Unknown

 

 

 

 

 

 

 

 

 

ଗୃହୀ ଓ ସନ୍ନ୍ୟାସୀ

ଅନୁବାଦ : ଅଧ୍ୟାପକ ଶ୍ରୀଧର ଦାସ

 

ଜେରାର୍ଡ଼ ଓ ମାର୍ଗାରେଟ୍‌

 

ପାଞ୍ଚଶହ ବର୍ଷ ତଳର କଥା । ସେତେବେଳେ ପ୍ରିନ୍‌ସ ଫିଲଫ୍‌ ଥିଲେ ହଲାଣ୍ଡରେ ରାଜା-। ଏଠାରେ ଯେଉଁ ଘଟଣାର ବର୍ଣ୍ଣନା କରାଯାଉଅଛି, ତାହା ଏହି ହଲାଣ୍ଡରେ ଘଟିଥିଲା ।

 

ଟର୍ଗାଓ ହଲାଣ୍ଡରେ ଗୋଟିଏ ଛୋଟ ସହର । ସେହି ସହରରେ ଇଲିଆସ ଓ ତାଙ୍କର ପତ୍ନୀ କାଥେରିନ୍‌ ବାସ କରୁଥିଲେ । ଇଲିଆସ୍‌ ଲୁଗା ଓ ଚମଡ଼ା ବ୍ୟବସାୟ କରି ଯାହା ଅର୍ଜୁଥିଲେ ସେଥିରେ କୌଣସିମତେ ଚଳିଯାଉଥିଲେ । କିନ୍ତୁ ଗୋଟିକ ପରେ ଗୋଟିଏ ହୋଇ ନଅଟି ସନ୍ତାନର ଜନ୍ମ ପରେ ପରିବାର ଚଳାଇବା କଠିନ ହେଲା । ଇଲିଆସ୍‌ କ୍ରମେ ବୃଦ୍ଧ ହୋଇ ଆସିଲେ-। ଏଣେ ପିଲାମାନେ ବଡ଼ ହେବାକୁ ଲାଗିଲେ । ସେମାନଙ୍କୁ ପୋଷିବା ପାଇଁ ବେଶି ଅର୍ଥ ଆବଶ୍ୟକ ହେଲା । ପିତାମାତାଙ୍କର ଚିନ୍ତା ହେଲା- ଆମ ଅନ୍ତେ ଏମାନଙ୍କୁ କିଏ ପୋଷିବ ?

 

କ୍ରମେ ପିତାମାତାଙ୍କର ଚିନ୍ତା ବଡ଼ ପିଲାମାନଙ୍କୁ ସଂକ୍ରମିତ ହେଲା । ଦିନେ ଦ୍ୱିତୀୟ ସନ୍ତାନ ରିଚାର୍ଡ଼ ମାଆକୁ କହିଲା, ‘‘ମାଆ, ମୋତେ ଊଣିଶି ବର୍ଷ ହେଲା । ଆଉ ଘରେ ବସି ତୁମମାନଙ୍କ ଉପରେ ବୋଝ ହେବା ଭଲ ନୁହେ । ଆମଷ୍ଟରଡାମ୍‍କୁ ଗଲେ କୌଣସି ବଣିକ ପାଖରେ ଚାକିରୀ କରିପାରିବି । ମାଆ, ତୁମେ ବାପାଙ୍କୁ କହି ମୋର ଆମଷ୍ଟରଡାମ୍‍କୁ ଯିବାର ସୁବିଧା କରାଇଦିଅ ।’’

 

କାଥେରିନ୍‌ ବିସ୍ମୟରେ କହିଲେ ‘‘କଅଣ କହୁଛୁ ? ଆମକୁ ଛାଡ଼ି ଆମଷ୍ଟରଡାମ୍‍ ଯିବୁ-?’’

 

ରିଚାର୍ଡ଼ ଏହା କହିଲା ସତ, କିନ୍ତୁ ତା’ର ଆଖି ଲୁହରେ ଛଳଛଳ ହୋଇଗଲା ।

 

ରିଚାର୍ଡ଼ ଆମଷ୍ଟରଡାମ୍‍କୁ ଚାଲିଗଲା । ସେଦିନ ରାତିରେ ଖାଇବାବେଳେ ରିଚାର୍ଡ଼ର ଖାଲି ଚଉକିଟିକୁ ଚାହିଁ କାଥେରିନ୍‌ କାନ୍ଦି ପକାଇଲେ । ଇଲିଆସ୍‌ଙ୍କର ମନଟା ମଧ୍ୟ ଖରାପ ଲାଗିଲା-

 

ଦୁଇବର୍ଷ ପରେ ରିଚାର୍ଡ଼ ଆମଷ୍ଟରଡାମ୍‍ର ଆଉଜଣେ ବ୍ୟବସାୟୀ ପାଖରେ ଗୋଟିଏ ଚାକିରୀର ବ୍ୟବସ୍ଥା କରାଇ ସେଥିରେ ତାର ତଳ ଭାଇ ଜାକବ୍‌କୁ ରଖାଇଦେଲା । ଜାକବ୍‌ ବାପମାଆଙ୍କଠାରୁ ବିଦାୟ ନେଇ ଯିବାରେ ସେମାନେ ବଡ଼ ଦୁଃଖିତ ହେଲେ ।

 

ଚତୁର୍ଥ ପୁଅଟି ଦେଖିଲା, ସେ କିଛି କାମ କରି ନିଜ ଗୋଡ଼ରେ ଛିଡ଼ାହେବା ଉଚିତ । ସେ ବେଶି ପାଠ ପଢ଼ି ନ ଥିଲା । ତେଣୁ ସେ ସେହି ଟର୍ଗାଓ ସହରରେ ଗୋଟିଏ ଦରଜୀ ଦୋକନ ଖୋଲିଲା । ବଡ଼ ଝିଅଟି ମଧ୍ୟ ଗୋଟିଏ ପୋଷାକ ଦୋକାନରେ ଖଣ୍ଡିଏ ଚାକିରୀ ପାଇଗଲା । ଏହିପରି ଚାରିଜଣଙ୍କର ଜୀବିକା ନିର୍ବାହର ଉପାୟ ହୋଇଗଲା । ଅବଶିଷ୍ଟ ପାଞ୍ଚଜଣଙ୍କ ମଧ୍ୟରୁ ଦୁଇଜଣ କୌଣସି କାର୍ଯ୍ୟ କରିବାକୁ ଅକ୍ଷମ ଥିଲେ । ସେମାନଙ୍କ ଭିତରୁ ଗୋଟିଏ ପୁଅ, ଆରଟି ଝିଅ । ପୁଅର ନାମ ଜାଇଲ୍‍ସ । ତାହାର ଚେହେରା ଅଦ୍ଭୁତ ଥିଲା । ମୁଣ୍ଡଟି ଗୋଟିଏ ବଡ଼ ଆଟିକା ପରି, ହାତ ଯୋଡ଼ିକ ଖୁବ୍‌ ଲମ୍ୱା; କିନ୍ତୁ ଦେହ ଓ ଗୋଡ଼ ଅତି ସରୁ । ତାର ଆକାର ଯେପରି ଅଦ୍ଭୁତ, ଆଚରଣ ମଧ୍ୟ ସେହିପରି ଅଦ୍ଭୁତ । କିନ୍ତୁ କାଥେରିନ୍‌ ଏହି ଅସମର୍ଥ ପୁଅଟିକୁ ବିଶେଷ ଆଦର କରୁଥିଲେ । ତାକୁ କେହି ନିନ୍ଦାକଲେ ସେ ସହିପାରୁ ନଥିଲେ । ଅସମର୍ଥ ଝିଅଟିର ନାମ କେଟ୍‌ । ଜନ୍ମର ତାର ଗୋଡ଼ ଦୁଇଟି ଅଚଳ । ତେଣୁ ସେ ଦୁଇଟି ବାଡ଼ି ସାହାଯ୍ୟରେ ଯିବା ଆସିବା କରୁଥିଲା-। ଅନେକ ସମୟରେ ସେ ଯନ୍ତ୍ରଣା ଭୋଗୁଥିଲା, କିନ୍ତୁ ନୀରବରେ ସେ ତାହା ସହି ଯାଉଥିଲା; କାହାରିକୁ ବ୍ୟସ୍ତ କରୁ ନ ଥିଲା ।

 

ସବୁଠାରୁ ବଡ଼ପୁଅ କର୍ଣ୍ଣେଲିସ ଓ ସବା ସାନପୁଅ ଶିବ୍ରାଣ୍ଟ । ଏ ଦୁହେଁ କୌଣସି କାର୍ଯ୍ୟ କରିବାକୁ ଇଚ୍ଛା କରୁ ନ ଥିଲେ । ସାନପୁଅ ଶିବ୍ରାଣ୍ଟ ଖେଳି ବୁଲିବାରେ ସମୟ କଟାଇ ଦେଉଥିଲା । ବଡ଼ପୁଅ କର୍ଣ୍ଣେଲିସର ଧାରଣା, ତାର କାମ କରିବା ଦରକାର ନାହିଁ, ବାପାଙ୍କ ଅନ୍ତେ ସେ ତାଙ୍କ ଉତ୍ତରାଧିକାରୀ ହେବ ।

 

ଅନ୍ୟ ପୁଅଟିର ନାମ ଜେରାର୍ଡ଼ । ତାର ପ୍ରକୃତି ଅନ୍ୟମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ସେ ଲେଖାପଢ଼ାରେ ସମୟ କଟାଉଥିଲା । ତାର ଇଚ୍ଛା, ସେ ଜଣେ ଧର୍ମଯାଜକ ହେବ । ସେ ଲେଖାପଢ଼ାରେ ଏପରି ମଜ୍ଜି ଯାଉଥିଲା ଯେ ବେଳେବେଳେ ଖାଇବାପିଇବା ସୁଦ୍ଧା ଭୁଲି ଯାଉଥିଲା-

 

ଟର୍ଗାଓରେ କେତେଜଣ ସନ୍ନ୍ୟାସୀ ରହୁଥିଲେ । ସେହିମାନେ ଜେରାର୍ଡ଼କୁ ଲେଖାପଢ଼ା ଶିଖାଉଥିଲେ ଓ ସନ୍ନ୍ୟାସୀ ହେବା ପାଇଁ ଉତ୍ସାହିତ କରୁଥିଲେ । ଅଳ୍ପଦିନ ମଧ୍ୟରେ ଜେରାର୍ଡ଼ ଲେଖାପଢ଼ାରେ ତାର ଗୁରୁମାନଙ୍କୁ ବଳିଗଲା । ସେକାଳରେ ଛାପାବହିର ପ୍ରଚଳନ ନ ଥିଲା । ତେଣୁ ଯାହାର ଲେଖା ଯେଡ଼େ ସୁନ୍ଦର, ସେ ସେତେ ଆହର ପାଉଥିଲା । ଦିନେ ଜଣେ ବୃଦ୍ଧ ସନ୍ନ୍ୟାସୀ ଜେରାର୍ଡ଼କୁ କହିଲେ, ‘‘ତୋର ଅକ୍ଷରଗୁଡ଼ିକ ମୁକ୍ତାପରି । ଚାରୁକଳା ପ୍ରତି ତୋର ଆଦର ଅଛି । ଯେଉଁ ବହି ଲେଖୁଛୁ, ସେଥିରେ ପତ୍ରଫୁଲର ଚିତ୍ର, ମହାପୁରୁଷମାନଙ୍କର ଚିତ୍ର ଦେଲେ କେଡ଼େ ସୁନ୍ଦର ହୁଅନ୍ତା ।’’

 

ଜେରାର୍ଡ଼ ଉତ୍ତର କଲା, ‘‘ବହିରେ ଚିତ୍ର କରିବାକୁ ମୁଁ ଥରେ ଦିଥର ଚେଷ୍ଟା କରିଥିଲି । କିନ୍ତୁ ମୋର ଦୁର୍ଭାଗ୍ୟକୁ ସେଥିରେ ମୁଁ ସଫଳ ହୋଇ ପାରିଲି ନାହିଁ ।’’

 

ଟର୍ଗାଓ ସହରରେ ମାର୍ଗାରେଟ ଭାନ୍‌ ଇକ୍‌ ବୋଲି ଚିତ୍ରବିଦ୍ୟା ନିପୁଣା ଜଣେ ଭଦ୍ରମହିଳା ବାସ କରୁଥିଲେ । ଦୈବାତ୍‌ ସେ ଜେରାର୍ଡ଼ର କୃତିତ୍ୱ ବିଷୟ ଶୁଣିପାରିଲେ ଓ ତାର କେତେକ ଲେଖା ଓ ଚିତ୍ର ଦେଖିବାକୁ ପାଇ ତାକୁ ଡକାଇ ଆଣିଲେ । ଲିଖନ ଓ ଚିତ୍ରକଳା ବିଷୟରେ ଦୁହିଁଙ୍କ ଭିତରେ ଆଲୋଚନା ହେଲା ଓ ଦୁହେଁ ବନ୍ଧୁତା ସୂତ୍ରରେ ଆବଦ୍ଧ ହୋଇପଡ଼ିଲେ । ରଙ୍ଗିନ୍‌ ଚିତ୍ର କରିବାପାଇଁ ନାନା ବର୍ଣ୍ଣର ରଙ୍ଗ ଦରକାର । ଏସବୁ କିଣବାକୁ ଜେରାର୍ଡ଼ର ଅର୍ଥାଭାବ । ତେଣୁ ସେ ଜେରାର୍ଡ଼କୁ ଉତ୍ସାହିତ କରିବାପାଇଁ ବିଭିନ୍ନ ରଙ୍ଗ ଓ କାଗଜ ପ୍ରଭୃତି ଯୋଗାଇଦେଲେ ।

 

ପ୍ରିନ୍‌ସ ଫିଲିଫ୍‌ଙ୍କର ଅନେକ ଭଲ ଗୁଣ ଥିଲା । ସମଗ୍ର ଇଉରୋପରେ ବୀରତ୍ୱ ଓ ପାଣ୍ଡିତ୍ୟରେ ସେ ଖ୍ୟାତି ଅର୍ଜିଥିଲେ । ଚିତ୍ରାଙ୍କନ, ହସ୍ତଲିପି ପ୍ରଭୃତି କଳାବିଦ୍ୟାର ଉନ୍ନତି ନିମନ୍ତେ ସେ ପ୍ରଚୁର ଅର୍ଥ ବ୍ୟୟ କରୁଥିଲେ । ଭାନ ଇକ୍‌ ପରିବାର କଳାଶିଳ୍ପୀ ହୋଇଥିବାରୁ ସେ ସେମାନଙ୍କୁ ନାନା ପ୍ରକାର ଉତ୍ସାହ ଦେଉଥିଲେ । ଶିଳ୍ପୀମାନଙ୍କୁ ପ୍ରତି ବର୍ଷ ସେ ଚାରୋଟି ପୁରସ୍କାର ପ୍ରଦାନ କରୁଥିଲେ । ଏହି ପୁରସ୍କାର ସକାଶେ ପ୍ରତିଯୋଗିତା ହେବ ବୋଲି ଟର୍ଗାଓ ସହରରେ ଘୋଷଣା ଦିଆଗଲା । ତାହା ଶୁଣି ଜେରାର୍ଡ଼ ହୃଦୟରେ ଆଶା ଜାଗିଉଠିଲା । ଚିତ୍ର ଓ ହସ୍ତଲିପି ଏହି ଦୁଇଟି ବିଷୟରେ ସେ ପ୍ରତିଯୋଗିତାରେ ଯୋଗ ଦେବ ବୋଲି କହିବାରୁ ଜାଇଲ୍‌ସ ଗୋଟାଏ ବିକୃତ ହସ ହସିଦେଲା । କିନ୍ତୁ ମା’ କାଥେରିନ୍‌ ତା ଉପରେ ବିରକ୍ତ ହେଲେ ଓ ଜେରାର୍ଡ଼କୁ ଉତ୍ସାହ ଦେଇ କହିଲେ, ‘‘ତୁ ଜାଇଲ୍‌ସର କଥା ଶୁଣୁନା । ଚେଷ୍ଟାକର ।’’

 

ଯଥାସମୟରେ ଜୋରାର୍ଡ଼ ତାର ଚିତ୍ର ଓ ହାତଲେଖା ପ୍ରତିଯୋଗିତା ପାଇଁ ପଠାଇଦେଲା ଓ ନିର୍ଦ୍ଦିଷ୍ଟ ଦିନ ରଟରଡାମ୍‍କୁ ଯିବାକୁ ବାହାରିଲା । ସେ ପୁରସ୍କାର ପାଇବାର ଆଶା ରଖି ନ ଥିଲା, କିନ୍ତୁ ସେଠାରେ ବିଶିଷ୍ଟ ଶିଳ୍ପୀମାନଙ୍କର ଚିତ୍ର ଓ ଲେଖା ଦେଖି କିଛି ଶିକ୍ଷା କରିବାର ଆଶା ପୋଷଣ କରିଥିଲା । ଘରୁ ବାହାରିବାର ପୂର୍ବ ରାତ୍ରିରେ ସେ ମାର୍ଗାରେଟ୍‌ ଭାନ ଇକ୍‌ଙ୍କ ସଙ୍ଗେ ଦେଖାକଲା । ସେ ତା ହାତରେ ପ୍ରିନ୍‌ସେସ୍‌ ମେରୀଙ୍କ ପାଖକୁ ଖଣ୍ଡିଏ ପତ୍ର ଦେଲେ ।

 

ଜେରାର୍ଡ଼ ତାର ଉତ୍କୃଷ୍ଟ ପୋଷାକ ପିନ୍ଧି ରଟରଡାମ୍‌ ଅଭିମୁଖେ ଚାଲିଲା । ରଟରଡାମ୍‌ ଆଉ ତିନିମାଇଲ ମାତ୍ର ଅଛି, ଏହି ସମୟରେ ସେ ନିତାନ୍ତ କ୍ଳାନ୍ତ ହୋଇପଡ଼ିଲା । ବାଟ ପାଖରେ ସେ ଜଣେ ବୃଦ୍ଧ ଓ ଜଣେ ଯୁବତୀଙ୍କୁ ଦେଖିଲା । ସେ ଦୁହେଁ ତାହାଠାରୁ ଅଧିକ କ୍ଳାନ୍ତ ଥିଲେ । ବୃଦ୍ଧ ରାସ୍ତାଧାରରେ ବସିଥଲେ ଯୁବତୀ ତାଙ୍କ ହାତ ଧରିଥିଲେ । ଅନେକ ଲୋକ ସେହିବାଟେ ଗଲେ, କିନ୍ତୁ କେହି ସେ ଦୁହିଁଙ୍କ ଆଡ଼କୁ ନଜର ଦେଲେ ନହିଁ ।

 

ଜେରାର୍ଡ଼ ଦେଖିଲା, ବୃଦ୍ଧଙ୍କର ପୋଷାକ ପୁରୁଣା ମଇଳା ହେଲେ ହେଁ ସୁରୁଚିର ପରିଚାୟକ । ଯୁବତୀର ପୋଷାକ ସାଧାରଣ । ଏହି ଯୁବତୀର ଚକ୍ଷୁ ଲୋତକରେ ଛଳଛଳ ହେଉଥିଲା ।

 

ଜେରାର୍ଡ଼ ସେମାନଙ୍କ ପାଖକୁ ଯାଇ ବୃଦ୍ଧଙ୍କୁ କହିଲା, ‘‘ମଉସା, ତୁମେ ବୋଧହୁଏ ଖୁବ୍‌ କ୍ଳାନ୍ତ ହୋଇପଡ଼ିଛ ?’

 

‘‘ହଁ ବାପ ! କ୍ଳାନ୍ତ ତ ହୋଇଛି –ଅନେକବେଳୁ ଖାଇ ନ ଥିବାରୁ ନିତାନ୍ତ ଦୁର୍ବଳ ହୋଇପଡ଼ିଛି ?’’

 

ଯୁବତୀ ଲଜ୍ଜାରେ ବୃଦ୍ଧଙ୍କ କାନ ପାଖରେ ଚୁପ୍‌ଚୁପ୍‌ କରି କହିଲା, ‘‘ବାପା, ସେ ପରା ଜଣେ ଅଚିହ୍ନା ଯୁବକ । ତାଙ୍କୁ ଏପରି କହୁଛ କାହିଁକି ?’’

 

ସଙ୍ଗେ ସଙ୍ଗେ ଜେରାର୍ଡ଼ ନିଜ ଥଳୀରୁ ଖଣ୍ଡିଏ ରୁଟି ଓ ଗୋଟିଏ ଲୋଟା ବାହାର କଲା । ରୁଟିଟି ବୃଦ୍ଧଙ୍କୁ ଦେଇ ଲୋଟା ନେଇ ପାଣି ଆଣିବାକୁ ଗଲା ।

 

ଏହି ସମୟରେ ଜଣେ ବଳବାନ୍‌ ଲୋକ ଗୋଟିଏ ଘୋଡ଼ାରେ ବସି ସେଠାରେ ଉପସ୍ଥିତି ହେଲେ । ତାଙ୍କ ପାଖରେ ଗୋଟିଏ ଟଙ୍କାଥଳୀ ରହିଥିଲା । ତାଙ୍କର ବହୁମୂଲ୍ୟ ନୂଆ ପୋଷାକ ଓ ଟଙ୍କାଥଳୀରୁ ଜଣାପଡ଼ୁଥିଲା ଯେ ସେ ଜଣେ ଖୁବ୍‌ ଧନୀ ଲୋକ । ଏହି ଲୋକଟି ଟର୍ଗାଓ ସହରର ମେୟର । ତାଙ୍କର ନାମ ଘିସବ୍ରେକ୍‌ଟ । ସେ ଭାରୀ ଅର୍ଥଲୋଭୀ ବୋଲି ସମସ୍ତଙ୍କୁ ଜଣା । ସେ ରାଜାଙ୍କ ଭୋଜିସଭାରେ ଯୋଗ ଦେବାକୁ ଆମଷ୍ଟରଡାମ୍‍ ଯାଉଥିଲେ । ତାଙ୍କର ମନ ସେଥିପାଇଁ ପ୍ରଫୁଲ୍ଲ ଥିଲା । ବୃଦ୍ଧ ଓ ତାଙ୍କ ଝିଅକୁ ଗଛମୂଳେ ଦେଖି ସେ କହିଲେ, ‘‘କିଏ ? ପିଟର ! ମାର୍ଗାରେଟ୍‌ ! ଏଠି ଏ କଅଣ କରୁଛ ?’’ ପିଟର କିଛି କହିବାକୁ ଯାଉଥିଲେ, କିନ୍ତୁ ମାର୍ଗାରେଟ୍‌ ସଙ୍ଗେ ସଙ୍ଗେ କହିଲା ‘‘ବାବା ନିତାନ୍ତ ହାଲିଆ ହୋଇ ପଡ଼ିଛନ୍ତି । ତାଙ୍କୁ କିଛି ଖାଇବାକୁ ଦେଉଛି ।’’

 

‘‘ଭିକାରିଙ୍କ ଭଳି ରାସ୍ତା କଡ଼ରେ ଖାଇବ ?’’ ଏହା କହି ସେ ଟଙ୍କାଥଳୀରେ ହାତ ପୂରାଇଲେ, କିନ୍ତୁ ହାତ ଥଳୀ ଭିତରେ ରହିଗଲା । ଏହି ସମୟରେ ଜେରାର୍ଡ଼ କିଛି କାଠି ଆଣି ନିଆଁ ଉପରେ ପକାଇ ଦେଇ ଫୁଙ୍କିବାକୁ ଲାଗିଲା । ଜେରାର୍ଡ଼କୁ ଦେଖି ଘିସବ୍ରେକ୍‌ଟ ଥଳୀରୁ ହାତ ବାହାର କରି ଆଣି କହିଲେ, ଓଃ ! ଏଠି ମୋର ସାହାଯ୍ୟ ଦରକାର ନାହିଁ ।’’ ଏହା କହି ସେ ଜେରାର୍ଡ଼ ଓ ମାର୍ଗରେଟ୍‍ଙ୍କ ଉପରେ ତୀକ୍ଷ୍‌ଣ ଦୃଷ୍ଟି ପକାଇ ରାସ୍ତାରେ ଚାଲିଗଲେ । ଏ ଦୃଷ୍ଟିର ଅର୍ଥ ବୁଝି ହେଉ ନ ଥିଲା । ଜେରାର୍ଡ଼ କହିଲା, ‘‘ଏ ଲୋକଟା ଆମର ସାମାନ୍ୟ ଖାଇବା ସୁଦ୍ଧା ସହିପାରୁ ନାହିଁ । ଜଣାଯାଉଛି ଏହାର ସ୍ୱଭାବ ଭଲ ହୋଇ ନ ଥିବ ।’’

 

ଘିସବ୍ରେକ୍‍ଟ ଘୋଡ଼ାରେ ବସି ଯାଉଥାନ୍ତି । ପାଖରେ ଥଳୀଏ ଟଙ୍କା ଥିଲେ ସୁଦ୍ଧା ସେ ଘୋର ଦୁଃଖ ଅନୁଭବ କରୁଥିଲେ । ଆଶ୍ଚର୍ଯ୍ୟର କଥା, ସେ ଯେଉଁ ଘୋଡ଼ାରେ ବସି ଯାଉଥିଲେ ସେ ଘୋଡ଼ା ତାଙ୍କର ନୁହେଁ । ଥଳୀରେ ଯେଉଁ ଟଙ୍କା ଥିଲା ସେଥିର ଅଧିକରୁ ବେଶି ତାଙ୍କର ନୁହେଁ, ତାହା ହେଉଛି ଏହି ବୃଦ୍ଧ ପିଟର ଓ ତାଙ୍କ ଝିଅର । କିନ୍ତୁ ଏ ଘଟଣା ସେ ଦୁହିଁଙ୍କୁ ଜଣା ନଥିଲା । ସେ ଦୁହିଁଙ୍କୁ ଜଣେ ଅପରିଚିତ ଯୁବକର ଉଦାରତା ଉପରେ ନିର୍ଭର କରିବାକୁ ହୋଇଥିଲା । କୋଡ଼ିଏ ବର୍ଷ ପୂର୍ବେ ଘିସବ୍ରେକ୍‌ଟ ଗୋଟାଏ କୌଶଳ କରି ଏହି ବୃଦ୍ଧଙ୍କର କେତେକ ସମ୍ପତ୍ତି ହସ୍ତଗତ କରିଥିଲେ । କେତେବେଳେ ତାଙ୍କ କୌଶଳ ଧରାପଡ଼ିଯିବ ବୋଲି ତାଙ୍କର ଆଶଙ୍କା ରହିଥିଲା । ଆଜି ଜଣେ ବଳିଷ୍ଠ ବୁଦ୍ଧିମାନ୍‍ ଯୁବକ ସେମାନଙ୍କୁ ସାହାଯ୍ୟ କରୁଥିବାର ଦେଖି ତାଙ୍କର ସେହି ଆଶଙ୍କା ଦ୍ୱିଗୁଣିତ ହୋଇଗଲା । ପାପୀର ମନ ଶଙ୍କାକୁଳ ହେବା ସ୍ୱାଭାବିକ ।

Image

 

ସୁଖର ଦିନ

 

କିଛି ଖାଇବା ପରେ ପିଟରଙ୍କର ବଳ ଫେରିଆସିଲା । ସେମାନେ ପୁଣି ଚାଲିବାକୁ ବାହାରିଲେ । କିନ୍ତୁ ଏହି ସମୟରେ ଟିକିଏ ଅସୁବିଧା ପହଞ୍ଚିଲା । ଜେରାର୍ଡ଼ ଘରୁ ବାହାରିଲା ବେଳେ ତାର ମାଆ ତା ମୁଣ୍ଡର ଟୋପିଟିକୁ ଫିତାରେ ବାନ୍ଧିଦେଇଥିଲେ ! ବୃଦ୍ଧଙ୍କୁ ସାହାଯ୍ୟ କଲାବେଳେ ସେ ଟୋପିକୁ ଫିଟାଇ ତଳେ ରଖିଥିଲା । ପୁଣି ଟୋପିର ଫିତାକୁ ଭଲକରି ବାନ୍ଧିବା ଦରକାର । କିନ୍ତୁ ଜେରାର୍ଡ଼ ଯେତେ ଚେଷ୍ଟା କଲେ ସୁଦ୍ଧା ପୂର୍ବପରି ବାନ୍ଧି ପାରିଲା ନାହିଁ । ଜେରାର୍ଡ଼ର ବୃଥା ଚେଷ୍ଟା ଲକ୍ଷ୍ୟକରି ମାର୍ଗାରେଟ୍‌ ତାକୁ ସାହାଯ୍ୟ କରିବାକୁ ବାହାରିପଡ଼ିଲା । ସେ ତା ଆଡ଼କୁ ନଇଁପଡ଼ି ଫିତାଟିକୁ ଯଥାସ୍ଥାନରେ ବାନ୍ଧି ଗଣ୍ଠି ପକାଇଦେଲା । ଜେରାର୍ଡ଼ ଆଖି ଆଗରେ ମାର୍ଗାରେଟ୍‌ର ରୂପାଜାଲିରେ ଆବଦ୍ଧ ସୁନେଲି କେଶରାଶି ଦେଖି ଓ ତାର କୋମଳ କରସ୍ପର୍ଶ ଅନୁଭବ କରି ଏକପ୍ରକାର ଅପୂର୍ବ ପୁଲକରେ ମୁଗ୍‌ଧ ହୋଇଗଲା । ଏଭଳି ଅନୁଭୂତି ଜେରାର୍ଡ଼ର ଜୀବନରେ ଏଇ ପ୍ରଥମ ।

 

ଗଣ୍ଠି ବାନ୍ଧିସାରି ମାର୍ଗାରେଟ୍‌ କିଛି ସମୟ ଯାଏ ଜେରାର୍ଡ଼କୁ ଚାହିଁରହିଲା, ଜେରାର୍ଡ଼ ମଧ୍ୟ ମାର୍ଗେରେଟ୍‌ ଉପରୁ ତାର ଆଖି ଫେରାଇ ନେଇ ପାରିଲା ନାହିଁ । ଏ ଦେଖାରେ ଗୋଟାଏ ବିଶେଷତ୍ୱ ଥିଲା । ଦୁହେଁ ଚିରଦିନ ପାଇଁ ଏହିପରି ପରସ୍ପରକୁ ଚାହିଁ ରହିବାକୁ ଇଚ୍ଛା କରୁଥିଲେହେଁ ଦୁହେଁ ମୁହଁ ତଳକୁ କରି ପରସ୍ପରଠାରୁ ଦୂରକୁ ଚାଲିଗଲେ । ମାର୍ଗାରେଟ୍‌ ପିତାଙ୍କର ଗୋଟିଏ ହାତ ଧରି ଯିବାର ଉପକ୍ରମ କଲାକ୍ଷଣି ଜେରାର୍ଡ଼ ଅନ୍ୟ ହାତଟି ଧରି ଚାଲିବାକୁ ଲାଗିଲା । ଦୁହେଁ ବୃଦ୍ଧଙ୍କୁ ସାହାଯ୍ୟ କରୁଥିଲେ ହେ କାହାରି ତୁଣ୍ଡରୁ କିଛି କଥା ବାହାରୁ ନଥିଲା ।

 

ରଟରଡାମ୍‍ରେ ପହଞ୍ଚିବାରୁ ପିଟର ଜେରାର୍ଡ଼କୁ ରାଜପ୍ରାସାଦ ଆଡ଼କୁ ବାଟ ଦେଖାଇଦେଲେ । ଜେରାର୍ଡ଼ ପଚାରିଲେ, ‘‘ମଉସା, ତୁମେ କେଉଁଠାରେ ରହିବ ?’’ ବୃଦ୍ଧ ଉତ୍ତର କଲେ, ‘‘ଏଠାରେ ଉଇଲିଅମ ଜନ୍‍ସନ୍‍ ବୋଲି ଜଣେ ଲୋକ ଅଛନ୍ତି । ସେ ମୋର ଦାଦିପୁଅ ଭାଇ-। ଆମେ ଦୁହେଁ ତାଙ୍କରି ଘରକୁ ଯାଉଛୁ ।’’

 

ଜେରାର୍ଡ଼ ଲୋକଗହଳି ଭିତରେ ଯାଇ ରାଜବାଟୀର ଗୋଟିଏ ଫାଟକ ପାଖରେ ପହଞ୍ଚିଲା । କିନ୍ତୁ ପ୍ରହରୀ ତାକୁ ଭିତରକୁ ଛାଡ଼ିଲା ନାହିଁ । ସେ ଅନ୍ୟ କେତୋଟି ଫାଟକ ପାଖକୁ ଗଲା, କିନ୍ତୁ କୌଣସିଠାରେ ତାକୁ ଭିତରେ ପ୍ରବେଶ କରିବାର ଅନୁମତି ମିଳିଲା ନାହିଁ । ଶେଷରେ ସେ ଗୋଟିଏ ବଡ଼ ଫାଟକ ଦେଖିଲା । ସେଠାରେ ସୈନିକମାନେ ଜଗିରହିଥିଲେ । ସେମାନଙ୍କ ଛଡ଼ା ରାଜପୁରର ଜଣେ ଭୃତ୍ୟ ମଧ୍ୟ ସେଠାରେ ଥିଲା । ଜେରାର୍ଡ଼ ଲୋକଙ୍କୁ ଠେଲି ଠେଲି ଫାଟକ ପାଖକୁ ଗଲା । ଦେଖେ ତ ପିଟର ମାର୍ଗାରେଟ୍‌ ଉପରେ ଭରାଦେଇ ଭିତରକୁ ଯିବାପାଇଁ ଆକୁଳ ପ୍ରାର୍ଥନା କରୁଛନ୍ତି–

 

ମୋର ବନ୍ଧୁ ଉଇଲିଅମ ଜନ୍‍ସନ୍‍ଙ୍କ ଘରକୁ ଯାଇଥିଲି । ସେ ଘରେ ନାହାନ୍ତି । ତାଙ୍କ ଚାକର କହିଲା, ସେ ଏଠାକୁ ଆସିଅଛନ୍ତି । ମୋତେ ଭିତରକୁ ଛାଡ଼ିଦିଅ ।’’

 

‘‘ଆରେ ବୁଢ଼ା, ସେଥିରେ ମୋର କଅଣ ଅଛି ?’’

 

‘‘ମୋତେ ଭିତରକୁ ଯେବେ ନ ଛାଡ଼ିବ, ଏ ଚିଠି ଖଣ୍ଡିକ ନେଇ ତାଙ୍କୁ ଦିଅ । ଚିଠି ପାଇଲେ ସେ ଏଠାକୁ ଆସିବେ ।’’

 

‘‘ତୁ ମୋତେ କଅଣ ମନେ କରିଛୁ କି ? ମୁଁ ଫାଟକରେ ଜଗୁଆଳି-ଚିଠି ବୋହିବା ମୋର କାମ ନୁହେଁ । ହଁ, ସମସ୍ତେ ଶୁଣ । କେବଳ ଯେଉଁମାନେ ପ୍ରତିଯୋଗିତାରେ ଯୋଗ ଦେଇଅଛନ୍ତି ସେମାନେ ଓ ସେମାନଙ୍କ ବନ୍ଧୁମାନଙ୍କ ଛଡ଼ା ଅନ୍ୟ କେହି ଭିତରକୁ ପଶି ପାରିବେ ନାହିଁ ।’’

 

ଏହା ଶୁଣିଲା କ୍ଷଣି ଜେରାର୍ଡ଼ ବୃଦ୍ଧଙ୍କୁ କହିଲା, ‘‘ଆଉ ଅପେକ୍ଷା କାହିଁକି ? ଆସ, ଆମକୁ ଭିତରକୁ ଯିବାପାଇଁ ଅନୁମତି ମଳିଗଲା ।’’

 

ଜେରାର୍ଡ଼ ଫାଟକ ପାଖକୁ ଯାଇ ଭୃତ୍ୟଟିକୁ କହିଲା, ‘‘ମୁଁ ପ୍ରତିଯୋଗିତା ପାଇଁ କେତୋଟି ଶିଳ୍ପକାର୍ଯ୍ୟ ପଠାଇଛି । ମୋର ନାମ ଜେରାର୍ଡ଼, ପିତାଙ୍କ ନାମ ଇଲିଆସ୍‌ ।’’

 

ଲୋକଟି ହାତରେ ଖଣ୍ଡିଏ କାଗଜ ଧରିଥିଲା । ତାହାକୁ ପଢ଼ି କହିଲା, ‘‘ହଁ, ଇଲିଆସ୍‌ଙ୍କ ପୁଅ ଜେରାର୍ଡ଼ ଭିତରକୁ ଯାଆନ୍ତୁ ।’’

 

‘‘ମୋ ସାଥିରେ ଏ ଦୁଇଜଣ ମଧ୍ୟ ଯିବେ ।’’

‘‘ନା, ସେମାନେ ତୁମର ବନ୍ଧୁ ନୁହନ୍ତି । ତୁମେ ଆସିବା ଆଗରୁ ସେ ଦୁହେଁ ଆସିଛନ୍ତି ।’

 

‘‘ଆଗରୁ ଆସିବା କଅଣ ଦୋଷ ହେଲା ? ସେ ଦୁହେଁ ମୋର ବନ୍ଧୁ । ତାଙ୍କୁ ନ ନେଇ ମୁଁ ଭିତରକୁ ଯାଇପାରିବି ନାହିଁ ।’’

 

‘‘ବେଶ୍‌, ତାହାହେଲେ ବାହାରେ ଥାଅ ।’’

‘‘ନା, ମୁଁ ବାହାରେ ରହିବି ନାହିଁ । ସେମାନଙ୍କୁ ସଙ୍ଗରେ ନେଇ ଭିତରକୁ ଯିବି ।’’

‘‘ଦେଖାଯାଉ, କିପରି ଭିତରେ ପଶିବ ?’’

 

ଏହା ଶୁଣି ଜେରାର୍ଡ଼ ଖୁବ୍‌ ଜୋର୍‌ରେ ଚିତ୍କାର କରି କହିଲା, ‘‘ହେ ମହାରାଜ, ଦେଖିବା ହେଉ, ଜଣେ ଭୃତ୍ୟ ଆପଣଙ୍କ ଆଦେଶକୁ ଅମାନ୍ୟ କରୁଛି ।’’ ଭୃତ୍ୟ କହିଲା, ‘‘ଏ କଅଣରେ ପାଗଲ ! ରାଜା ଏ କଥା ଶୁଣିଲେ ମୋ ଚାକିରୀଟି ଯିବ ।’’ ସେ ଜେରାର୍ଡ଼ର ଚିତ୍କାରଠାରୁ ଆହୁରି ଜୋର୍‌ରେ ଚିତ୍କାର କଲା, ‘‘ଇଲିଆସ୍‌ଙ୍କ ପୁଅ ଜେରାର୍ଡ଼ ଓ ତାଙ୍କ ସାଥୀମାନଙ୍କୁ ସସମ୍ମାନେ ଭିତରକୁ ନେଇଯାଅ ।’’ ଏହା କହି ସେ ଫାଟକ ଫିଟାଇଦେଲା । ଜେରାର୍ଡ଼, ପିଟର ଓ ମାର୍ଗାରେଟ୍‌ ଭିତରକୁ ଗଲେ । ସୈନିକମାନେ ସେମାନଙ୍କର ଦୁଇ ପାଖରେ ଛିଡ଼ାହୋଇ ସମ୍ମାନ ଦେଖାଇଲେ ।

 

ଅଗଣାରେ ଅନେକ ଚଉକି ଓ ଟେବୁଲ ପଡ଼ିଥିଲା । ଟେବୁଲ ଉପରେ ସୁନା ଓ ରୁପାର ପାତ୍ରରେ ନାନାପ୍ରକାର ଖାଦ୍ୟ ଓ ପାନୀୟ ସଜ୍ଜିତ ହୋଇ ରହିଥିଲା । ଅଗଣାଟି ସୁନ୍ଦରଭାବରେ ସଜାଯାଇଥିଲା । ଚଉକିମାନଙ୍କରେ ବହୁମୂଲ୍ୟ ବସ୍ତ୍ର ପରିହିତ ଭଦ୍ରବ୍ୟକ୍ତି ଓ ମହିଳାମାନେ ବସି ମଧୁର ସଙ୍ଗୀତ ଉପଭୋଗ କରୁଥିଲେ । ଏ ପ୍ରକାର ଆଡ଼ମ୍ୱରପୂର୍ଣ୍ଣ ସାଜସଜ୍ଜା ଜେରାର୍ଡ଼ ଓ ତାର ସାଥୀ ଦୁହେଁ କେବେ ଦେଖି ନଥିଲେ । ସେମାନେ ବିସ୍ମୟରେ ଅଭିଭୂତ ହୋଇ ଛିଡ଼ାହୋଇ ରହିଲେ-। ଏହି ସମୟରେ ଶୁଣାଗଲା–ମହାରାଜ ବିଜେ କରୁଛନ୍ତି । ଜେରାର୍ଡ଼ ଚମକିପଡ଼ି ଦେଖିଲା, ମହାରାଜ ଫିଲିପ୍‌ ହାତ ହଲାଇ ସମସ୍ତଙ୍କୁ ସ୍ୱାଗତ ଜଣାଉଅଛନ୍ତି । ଲୋକେ ମୁଣ୍ଡ ନୁଆଇଁ ରାଜାଙ୍କୁ ପ୍ରଣାମ କଲେ । ସମସ୍ତଙ୍କ ଭଳି ଜେରାର୍ଡ଼ ଓ ତା’ର ସାଥୀ ଦୁହେଁ ମଧ୍ୟ ଗୋଟିଏ ଗୋଟିଏ ଟେବୁଲ ପାଖରେ ବସିଗଲେ । ତିନିହେଁ କଥାବାର୍ତ୍ତା ହେବାକୁ ଲାଗିଲେ । ପିଟର କହିଲେ ଯେ ଜେରାର୍ଡ଼ ସେ ଦୁହିଁଙ୍କୁ ସ୍ୱର୍ଗୀୟ ଦୂତପରି ରକ୍ଷା କରିଆସିଛି । ଜେରାର୍ଡ଼ କହିଲା, ‘‘ପୁନରାୟ ସାକ୍ଷାତ ହେବାରୁ ସମସ୍ତଙ୍କଠାରୁ କିଏ ବେଶି ଆନନ୍ଦିତ, ତାହା ମୁଁ ଜାଣେ ।’’

 

ମାର୍ଗାରେଟ୍‌–କିଏ ? ମୁଁ ?

ଜେରାର୍ଡ଼–ନା, ଆଉଥରେ ଅନୁମାନ କର ।

ମାର୍ଗାରେଟ୍‌–କିଏ ? ବାପା ?

ଜେରାର୍ଡ଼–ନା ।

ମାର୍ଗାରେଟ୍‌–ତାହାହେଲେ ଆଉ କିଏ ମୁଁ ଅନୁମାନ କରିପାରୁ ନାହିଁ ।

ଏହା କହି ମାର୍ଗାରେଟ୍‌ ଆନନ୍ଦରେ ହସିଉଠିଲା ।

 

ଭୋଜନ କାର୍ଯ୍ୟ ସରିଲା । ହଠାତ୍‌ ଜେରାର୍ଡ଼ର ମନେପଡ଼ିଗଲା ଯେ ସେ ମାର୍ଗାରେଟ୍‌ ଭାନ ଇକ୍‌ଙ୍କଠାରୁ ରାଣୀଙ୍କ ପାଖକୁ ଚିଠି ଆଣିଛି । ସେ ଜଣେ ଚାକର ହାତରେ ଚିଠିଖଣ୍ଡିକ ପଠାଇଦେଲା ।

 

ଯେଉଁ ଜନ୍‍ସନ୍‌ଙ୍କ ଘରୁ ପିଟର ଓ ମାର୍ଗାରେଟ୍‌ ଫେରି ଆସିଥିଲେ ସେ ଏମାନଙ୍କଠାରୁ ଅଳ୍ପ ଦୂରରେ ବସି ସବୁ ଦେଖୁଥିଲେ । ଏମାନଙ୍କର ସାଧାସିଧା ପୋଷାକ ଦେଖି ସେମାନଙ୍କୁ ନ ଦେଖିଲା ପରି ରହିଥିଲେ । ସନ୍ଧ୍ୟା ହୋଇଗଲେ ଏମାନଙ୍କୁ ଡାକିନେବେ ବୋଲି ତାଙ୍କର ଇଚ୍ଛା ଥିଲା-

 

ମାର୍ଗାରେଟ୍‌ ଜେରାର୍ଡ଼କୁ କହିଲେ, ‘‘କି ସୁନ୍ଦର ସୂର୍ଯ୍ୟକିରଣ ପଡ଼ିଛି । ଲୋକମାନଙ୍କର ବିଚିତ୍ର ପୋଷାକ ଦେଖିଲେ ଆଖି ଫେରାଇ ହେଉ ନାହିଁ । କେଡ଼େ ମଧୁର ସଙ୍ଗୀତ ଶୁଣାଯାଉଛି ? ତୁମରି ଯୋଗୁ ଆମେ ଏ ସବୁ ଦେଖିବାକୁ ପାଇଲୁ । କହିଲ, ‘‘ଏଠାରେ ସବୁଠାରୁ ସୁନ୍ଦର କଅଣ ଦେଖୁଛ ?’’

 

ଜେରାର୍ଡ଼ କହିଲା, ‘‘ସବୁଠାରୁ ସୁନ୍ଦର କଅଣ–ତୁମେ ଟିକିଏ ବୁଲିପଡ଼ି ବସିଲେ ମୁଁ କହିବି-।’’

 

‘‘ଏଇ ଡାହାଣ ଆଡ଼କୁ ?’’

 

‘‘ହଁ, ଏବେ ସୂର୍ଯ୍ୟକିରଣ ତୁମ ମୁଣ୍ଡ ଉପରେ ପଡ଼ିଲା । ଏଠି ସବୁ ସୁନ୍ଦର, କିନ୍ତୁ ତୁମ ମୁଣ୍ଡର ସୁନେଲି ରଙ୍ଗର କେଶଗୁଡ଼ିକ ରୁପାର ଜାଲି ଭିତରୁ ସୂର୍ଯ୍ୟକିରଣରେ ଯେପରି ସୁନ୍ଦର ଦିଶୁଛି ତା’ର ତୁଳନା ନାହିଁ ।’’

 

‘‘ଜେରାର୍ଡ଼–ଏ କଅଣ କହୁଛ ?’’

‘‘ମୋ ଉପରେ ରାଗ କର ନାହିଁ । ମୁଁ ତୁମକୁ ଭଲପାଏ ।’’

 

‘‘ମୋର ଅନୁରୋଧ ଆଉ ସେପରି କୁହ ନାହିଁ । ତୁମେ ଏପରି କହିବ ବୋଲି ମୁଁ ଆଶା କରି ନ ଥିଲି ।’’

 

ଜେରାର୍ଡ଼ ଦେଖିଲା, ମାର୍ଗାରେଟ୍‌ ରାଗିଯାଇଛି । ସେ କହିଲା, ‘‘ମୋର ଧୃଷ୍ଟତା ପାଇଁ କ୍ଷମା କରିବ, କିନ୍ତୁ ତମୁକୁ ଦେଖିଲେ କିଏ ତୁମକୁ ଭଲ ନ ପାଇ ରହିପାରିବ ?’’

 

ହେଉ, ମୁଁ ସେ କଥା ଭୁଲିଯିବି । ତୁମେ ଆମର ଯଥେଷ୍ଟ ଉପକାର କରିଛ । ଆଉ ଏପରି କହିବ ନାହିଁ ବୋଲି ଜାବାବ ଦିଅ ।’’

 

‘‘ହେଉ’’ ଏହା କହି ଜେରାର୍ଡ଼ ହାତ ବଢ଼ାଇଦେଲା । ମାର୍ଗାରେଟ୍‌ ମଧ୍ୟ ନିଜ ହାତଟିକୁ ବଢ଼ାଇଦେଲେ । ଦୁଇ ହାତର ମିଳନ ହେଲା । ଅନେକ ବେଳ ଯାଏଁ ସେ ଦୁହେଁ ପରସ୍ପରର ହାତ ଧରି ବସିରହିଲେ । ଦୁହେଁ ଶରୀରରେ ଏକ ଅପୂର୍ବ ଶିହରଣ ଅନୁଭବ କଲେ ।

 

ସୂର୍ଯ୍ୟ ଅସ୍ତ ହୋଇଗଲେ । ଜେରାର୍ଡ଼ ଓ ମାଗାରେଟ୍‍ ସ୍ୱର୍ଗରାଜ୍ୟରେ ବିଚରଣ କରୁଥିଲା ପରି ମନେକଲେ ।

Image

 

ଜେରାର୍ଡ଼ ଓ ମାର୍ଗାରେଟ୍‌ଙ୍କ ବିଚ୍ଛେଦ

 

ଅନ୍ତଃପୁରର ଜଣେ ବୃଦ୍ଧ କର୍ମଚାରୀ ଜେରାର୍ଡ଼ର ଟେବୁଲ ପାଖକୁ ଆସି କହିଲା, ‘‘ରାଣୀ ଆପଣଙ୍କୁ ଡକାଇଛନ୍ତି । ମୋ ସାଙ୍ଗରେ ଆସ ।’’ ସଙ୍ଗେ ସଙ୍ଗେ ସମସ୍ତଙ୍କ ଆଖି ପଡ଼ିଲା ଜେରାର୍ଡ଼ ଉପରେ । କିଏ ଏହି ଭାଗ୍ୟବାନ୍‌ ଯୁବକ, ଯାହାକୁ ସ୍ୱୟଂ ରାଣୀଙ୍କର ସାକ୍ଷାତ୍‌ ନିମିତ୍ତ ଏପରି ନିମନ୍ତ୍ରଣ । ଜେରାର୍ଡ଼ ଯିବାକୁ ବାହାରିବାରୁ ମାର୍ଗାରେଟ୍‌ କହିଲା, ‘‘ତୁମେ ଯାଉଛ । ବୋଧହୁଏ ତୁମ ସହିତ ଆମର ଆଉ ଭେଟ ହେବ ନାହିଁ ।’’ ଏହା କହିଲାବେଳେ ମାର୍ଗାରେଟ୍‌ ମୁହଁ ଲାଲ ପଡ଼ିଯାଇଥିଲା ।

 

‘‘ନିଶ୍ଚୟ ଦେଖା ହେବ । ମୋର ଅନୁରୋଧ, ଏହିଠାରେ ଅପେକ୍ଷା କରି ରହିଥାଅ । ମୁଁ ଶୀଘ୍ର ଫେରିଆସିବି ।’’

 

ଜେରାର୍ଡ଼ କର୍ମଚାରୀ ସହିତ ଚାଲିଗଲା । ପିଟର ଓ ମାର୍ଗାରେଟ୍‌ ସେହି ଟେବୁଲ ପାଖରେ ବସିରହିଲେ । ଏବେ ଭୋଜିସଭାର ସଭିଙ୍କ ଦୃଷ୍ଟି ସେହି ଦୁଇଜଣଙ୍କ ଉପରେ । ଏହି ସମୟରେ ଉଇଲିଅମ ଜନ୍‌ସନ୍‌ ସେମାନଙ୍କ ପାଖକୁ ଚାଲିଆସି କହିଲେ, ‘‘ମୁଁ ଏଇ ପାଖରେ ବସିଥିଲି । କିୁ ଦୁର୍ଭାଗ୍ୟର କଥା, ଏତେବେଳଯାଏ ତୁମକୁ ଦେଖିପାରି ନ ଥିଲି ।’’

 

ମାର୍ଗାରେଟ୍‌ କହିଲେ, ‘‘କିନ୍ତୁ ଅନେକ ବେଳୁ ମୁଁ ତୁମକୁ ଦେଖିଲିଣି ।’’

‘‘ମୋତେ ଦେଖିଲ-ମୋ ପାଖକୁ ଗଲ ନାହିଁ କି କିଛି କହିଲ ନାହିଁ ?’’

 

‘‘ତୁମେ ସିନା ଆମକୁ କହିଥାନ୍ତ–ଆମେ କହନ୍ତୁ କିପରି ? ତୁମ ଘରକୁ ଯାଇଥିଲୁ ଯେ ତୁମ ଚାକର ଆମକୁ ଟିକିଏ ବସିବାପାଇଁ ଜାଗା ସୁଦ୍ଧା ଦେଲା ନାହିଁ ।’’

 

ଜନ୍‌ସନ୍‌ ଦେଖିଲେ, ମାର୍ଗାରେଟ୍‌ ପ୍ରକୃତ କଥା ଜାଣିପାରିଛି । ସେ ତତ୍‌କ୍ଷଣାତ୍‍ ସେ ଦୁହିଁଙ୍କୁ ତାଙ୍କ ଘରକୁ ଯିବାପାଇଁ ଡାକିଲେ । ମାର୍ଗାରେଟ୍‌ କହିଲା, ‘‘ଆଉ ଟିକିଏ ଯାଉ । କେଡ଼େ ସୁନ୍ଦର ସଙ୍ଗୀତ ହେଉଛି । ଛାଡ଼ିଯିବାକୁ ମନ ହେଉନାହିଁ ।’’

 

ପନ୍ଦର କୋଡ଼ିଏ ମିନିଟ୍‌ ପରେ ଜନ୍‌ସନ୍‌ ପୁଣି ଯିବାପାଇଁ ଅନୁରୋଧ କରି କହିଲେ, ‘‘ଲୋକେ ଚାଲିଗଲେଣି । ଆଉ ଅଳ୍ପ ଲୋକ ଅଛନ୍ତି । ଚାଲ ଯିବା ।’’

 

ମାର୍ଗାରେଟ୍‌ ଏବେ ବିଳମ୍ୱର ପ୍ରକୃତ କାରଣ କହିବାକୁ ବାଧ୍ୟ ହେଲା । ସେ କହିଲା, ‘‘ଆମର ଜଣେ ବନ୍ଧୁ ରାଣୀଙ୍କ ସଙ୍ଗେ ଦେଖା କରିବାକୁ ଯାଇଛନ୍ତି । ଆମେ ତୁମ ଘରକୁ ଯାଉଛୁ ବୋଲି ସେ କିପରି ଜାଣିବେ ? ସେ ତୁମର ଘର ମଧ୍ୟ ଦେଖିନାହାନ୍ତି ।’’

 

‘‘ଓଃ, ମୁଁ ତା’ର ବନ୍ଦୋବସ୍ତ କରିଦେଉଛି । ମୋର ଚାକର ହାନ୍‌ସକୁ ଏଠାରେ ରଖାଇ ଯିବା । ତୁମ ବନ୍ଧୁ ଆସିଲେ ସେ ତାଙ୍କୁ ମୋ ଘରକୁ ନେଇଯିବ ।’’

 

ହାନ୍‌ସକୁ ଟେବୁଲ୍‌ ପାଖରେ ବସାଇଦେଇ ଜନ୍‌ସନ୍‌, ପିଟର ଓ ମାର୍ଗାରେଟ୍‌ ସହିତ ନିଜ ଘରକୁ ଚାଲିଗଲେ । ହାନସ୍‌ ଟେବୁଲରେ ଥିବା ମଦ ଆଣି ବାରମ୍ୱାର ପିଇବାରେ ଲାଗିଲା ଓ ମଦ ନିଶାରେ ଭୋଳ ହୋଇ ଚଉକିରୁ ପଡ଼ିଯାଇ ତଳେ ଗଡ଼ିଲା । ତା’ର ଚେତା ରହିଲା ନାହିଁ ।

 

ଏଣେ ଉକ୍ତ ରାଜକର୍ମଚାରୀ ଜେରାର୍ଡ଼କୁ ରାଜଅନ୍ତଃପୁରର ଗୋଟିଏ କୋଠରୀକୁ ନେଇଗଲା । ସେଠାରେ ତିନିଜଣ ମହିଳା ଓ ଗୋଟିଏ ଅତି ସୁନ୍ଦରୀ ବାଳିକା ଥିଲେ । ବାଳିକାଟି ବୀଣା ବଜାଉଥିଲା । ଚାକର ଜଣକ ମହିଳାମାନଙ୍କ ମଧ୍ୟରୁ ଜଣକୁ କିଛି କହି ଚାଲିଗଲା । ସେ ଈଷତ୍‌ ହସି ଜେରାର୍ଡ଼କୁ କହିଲେ, ‘‘ମାର୍ଗାରେଟ୍‌ ଭାନ ଇକ୍‌ ମୋର ଜଣେ ପୁରୁଣା ବନ୍ଧୁ । ତାଙ୍କ ପତ୍ର ପାଇ ମୁଁ ଅତ୍ୟନ୍ତ ଆନନ୍ଦିତ । ତୁମେ ପତ୍ରଟି ଆଣିବାରୁ ତୁମକୁ ମୋର ଧନ୍ୟବାଦ । ମେରି, ତୁମପାଇଁ ମାର୍ଗାରେଟ୍‍ ଭାନ ଇକ୍‌ ଯେଉଁ ଛୋଟ ଛବିଟି ପଠାଇଥିଲେ, ସେଇଟିକୁ ଏହି ଯୁବକ ଆଣିଥିଲେ ।’’

 

ବାଳିକା ଜେରାର୍ଡ଼କୁ ବହୁ ଧନ୍ୟବାଦ ଦେଲା ।

 

ମହିଳାଙ୍କର ନାମ ଲେଡ଼ି ଚାର୍ଲେରୋଇସ୍‌ । ସେ ହେଉଛନ୍ତି ରାଜମାତା । ବାଳିକାଟି ହେଉଛନ୍ତି ରାଣୀ ମେରୀ ।

 

ଏହା ପରେ ରାଜମାତା ଜେରାର୍ଡ଼କୁ କହିଲେ, ‘‘ମୋର ବନ୍ଧୁ ମାର୍ଗାରେଟ୍‌ ତୁମକୁ ସାହଯ୍ୟ କରିବାକୁ ଲେଖିଛନ୍ତି । ତୁମେ କଅଣ ଜଣେ ଧର୍ମଯାଜକ ?’’

 

‘‘ନା, ମୁଁ ଧର୍ମଯାଜକ ହୋଇନାହିଁ, କିନ୍ତୁ ତାହାହିଁ ମୋର ଇଚ୍ଛା ।’’

 

‘‘ତୁମର ଧର୍ମଯାଜକ ହେବା ବିଶେଷ କଷ୍ଟକର ହେବ ନାହିଁ । କୌଣସି ଗୀର୍ଜାରେ ତୁମକୁ ନିଯୁକ୍ତ କରିଦେବି । ତୁମର ଘର ପାଖରେ ହେଲେ ସୁବିଧା ହେବ । ତୁମ ଘର କେଉଁଠି ?’’

 

‘‘ଟର୍ଗାଓ ।’’

 

‘‘ବେଶ୍‌, ଟର୍ଗାଓ ନିକଟରେ ତୁମକୁ ନିଯୁକ୍ତ କରାଯିବ । ସମୟ ହେଲାଣି । ଆମର ଜଣେ ଚାକର ତୁମକୁ ସଭାସ୍ଥଳରେ ଛାଡ଼ିଦେଇ ଆସିବ ।’’

 

ଜେରାର୍ଡ଼ ରାଣୀ ଓ ରାଜାମାତାଙ୍କୁ ପ୍ରଣାମ କରି ବିଦାୟ ନେଲା ।

 

ଜେରାର୍ଡ଼ ଏହି ଶୁଭ ସମ୍ୱାଦ ମାର୍ଗାରେଟ୍‍କୁ ଜଣାଇବା ପାଇଁ ଆସି ଦେଖିଲା, ଟେବୁଲ ପାଖରେ ମାର୍ଗରେଟ୍‌ ନାହିଁ କି ତାର ବାପା ନାହାନ୍ତି । କେବଳ ଜଣେ ଲୋକ ହାତରେ ଗୋଟିଏ ମଦଗ୍ଲାସ ଧରି ଟେବୁଲ ତଳେ ପଡ଼ିଛି । ହାୟ ! ଜେରାର୍ଡ଼ ଆଶା କରିଥିଲା, ମାର୍ଗାରେଟ୍‍କୁ ଦେଖିବ, ନିଜର ସୌଭାଗ୍ୟ ଜଣାଇଦେବ । କିନ୍ତୁ ଦେଖିଲା ଜଣେ କୁତ୍ସିତ ମଦ୍ୟପକୁ । ସେ ପିଟର ବା ମାର୍ଗାରେଟ୍‌କୁ ସହରର ରାସ୍ତାବଜାର ବୁଲି ଖୋଜିଲା । କିନ୍ତୁ ସେ ଦୁହିଁଙ୍କର ସନ୍ଧାନ ନ ପାଇ କ୍ଳାନ୍ତ ଭାବରେ ଗୋଟିଏ ହୋଟେଲକୁ ଯାଇ ସେଠାରେ ଶୋଇପଡ଼ିଲା । ସେ ଉଠିଲା ବେଳକୁ ସୂର୍ଯ୍ୟ ଉଇଁସାରିଥିଲା ।

 

ଦିନକଯାକ ସେ ମାର୍ଗାରେଟ୍‍କୁ ଖୋଜି ବୁଲିଲା, କିନ୍ତୁ କୌଣସିଠାରେ ତାର ସମ୍ୱାଦ ପାଇଲା ନାହିଁ । ହାତଲେଖା, ପ୍ରତିଯୋଗିତାରେ ସେ ଗୋଟିଏ ପୁରସ୍କାର ପାଇଛି; କିନ୍ତୁ ଏଥିରେ ସେ ଆନନ୍ଦ ପାଇ ପାରିଲା ନାହିଁ । ଏହାର ପରଦିନ ସେ ରାଜାଙ୍କର ପୁରସ୍କାର ଓ ପନ୍ଦରଟି ମୋହର ଧରି ଟର୍ଗାଓକୁ ଫେରିଯିବାକୁ ବାହାରିଲା ।

Image

 

ଜେରାର୍ଡ଼ର ଗୃହକୁ ପ୍ରତ୍ୟାବର୍ତ୍ତନ

 

ଦୁଇ ତିନ ଦିନ ଭିତରେ ଜେରାର୍ଡ଼ ଘରକୁ ନ ଫେରିବାରୁ ଘରେ ସମସ୍ତେ ତା ପାଇଁ ଚିନ୍ତିତ ଥିଲେ ।

ଏହି ସମୟରେ ହଠାତ୍‌ ଜେରାର୍ଡ଼ ଘରେ ପହଁଞ୍ଚିଗଲା । ସମସ୍ତେ ବିସ୍ମୟରେ ତାକୁ ସ୍ୱାଗତ ଜଣାଇଲେ । ଘରର ସମସ୍ତେ ତାକୁ ବେଢ଼ିଯାଇ ପ୍ରତିଯୋଗିତାର ଫଳ କଅଣ ହେଲା ବୋଲି ପଚାରିଲେ । ସେ ସଭାର ଆଡ଼ମ୍ୱର ବର୍ଣ୍ଣନା କରି କହିଲା, ‘‘କେଟ୍‌, ମୁଁ ସେଠାରେ ଛବିମାନ ଦେଖି ନିରାଶ ହୋଇପଡ଼ିଲି । ଓଃ, କି ସୁନ୍ଦର ଛବି । ତା ପାଖରେ ମୋ ଛବିର ତୁଳନା ହୋଇ ନ ପାରେ । ତା ଆରଦିନ ହାତଲେଖା ପାଇଁ ଆସିଥିବା କାମଗୁଡ଼ିକ ପରୀକ୍ଷା କରି ଦେଖାଗଲା । କହିଲୁ, ସେଥିରେ କିଏ ପ୍ରଥମ ସ୍ଥାନ ଅଧିକାର କରିଥିବ ?’’

କେଟ୍‌ କହିଲା, ‘‘ତୋରି ।’’ ଏହା ଶୁଣି ସମସ୍ତେ ହସିଉଠିଲେ ।

‘‘ତୁମେ ସବୁ ହସିପାର ।’’ କିନ୍ତୁ ଘୋଷଣା କରାଗଲା –ଟର୍ଗାଓର ଇଲିଆସ୍‌ଙ୍କ ପୁତ୍ର ଜେରାର୍ଡ଼ ହାତଲେଖା ପାଇଁ ପ୍ରଥମ ପୁରସ୍କାର ପାଇ ଅଛନ୍ତି । ମୁଁ ଛିଡ଼ାହୋଇ ରହିଲି । କଥାଟା ବିଶ୍ୱାସ କରି ପାରିଲି ନାହିଁ । କେତେ ଜଣ ମୋତେ ଠେଲିଠେଲି ଆଗକୁ ନେଇଗଲେ । ଦେଖିଲି ମୋ ଆଗରେ ସ୍ୱୟଂ ହଲାଣ୍ଡର ରାଜା । ମୁଁ ଆଣ୍ଠେଇପଡ଼ି ତାଙ୍କୁ ସମ୍ମାନ ଦେଖାଇଲି । ସେ କଅଣ ଆଣିବାପାଇଁ ପାଖକୁ ହାତ ବଢ଼ାଇଲେ । ମୁଁ ଭାବିଲି, ରାଜା କଅଣ ମୋ ମୁଣ୍ଡ କାଟିବାକୁ ଖଣ୍ଡା ଆଣୁଛନ୍ତି କି ? କିନ୍ତୁ ସେ ଗୋଟିଏ ସୁନାର କପ୍‌ ଓ ପନ୍ଦରଟି ସୁନାମୋହର ଆଣି ମୋ ହାତକୁ ବଢ଼ାଇଦେଲେ । ହେଇଟି ସେ ସୁନାକପ୍‌ । ମୁଁ ଥରେ ଗୋଟାଏ ସୁନା ମୋହର ଦେଖିଥିଲି; କିନ୍ତୁ କେବେ ହାତରେ ଗୋଟାଏ ମୋହର ଧରି ନ ଥିଲି । ଏଇ ଦେଖ, ରାଜା ମୋତେ ଏତେ ମୋହର ଦେଇଛନ୍ତି ।’’

ସମସ୍ତଙ୍କ ମୁହଁରେ ଜେରାର୍ଡ଼ର ପ୍ରଶଂସା ।

ଜେରାର୍ଡ଼ ଭାଇ ଭଉଣୀଙ୍କ ଭିତରେ କେତୋଟି ମୋହର ବାଣ୍ଟିଦେଲା । ଇଲିଆସ୍‌ ଆନନ୍ଦରେ ଅଧୀର ହୋଇ କହିଲ, ‘‘ଆରେ ଜେରାର୍ଡ଼, ମୋତେ ସେ ସୁନାକପ୍‌ଟା ଦେଲୁ । ମୁଁ ଯାଇ ପିଟର ବୁଇସ୍କିନଙ୍କୁ ଦେଖାଇ ଆସେ । ତା ପୁଅ ଜୋରିଆନ ଥରେ ଲକ୍ଷ୍ୟଭେଦ ପ୍ରତିଯୋଗିତାରେ ଗୋଟାଏ ଟିଣର କପ୍‍ ପୁରସ୍କାର ପାଇଥିଲା ବୋଲି ସେ ବରାବର କହେ । ଏବେ ଦେଖୁ ମୋ ପୁଅ ସୁନାକପ୍‌ ପାଇଛି ।’’

ଜେରାର୍ଡ଼ କହିଲେ, ‘‘ଟିକିଏ ପରେ ଯିବ । ଆଉ ଗୋଟାଏ ଶୁଭ ଖବର ଅଛି ।’’

‘‘ଏଁ ଏହାଠାରୁ ବଳି ଶୁଭ ଖବର ?’’

‘‘ହଁ, ମୁଁ ରାଣୀ ଓ ରାଜମାତାଙ୍କ ସଙ୍ଗେ ଦେଖାକଲି । ମାର୍ଗାରେଟ୍‌ ଭାନ୍‌ ଇକ୍‌ଙ୍କଠାରୁ ଖଣ୍ଡେ ଚିଠି ନେଇ ଯାଇଥିଲି । ମୋତେ ଗୋଟିଏ ଗୀର୍ଜାରେ ଧର୍ମଯାଜକ ରୂପେ ନିଯୁକ୍ତି କରାଯିବ-।’’

କାଥେରିନ୍‌ କହିଲେ, ‘‘ସାବାସ୍‌ ଜେରାର୍ଡ଼’’ । ଏଣିକି ଆମର ଚିନ୍ତା ଗଲା । ବୁଢ଼ାବୁଢ଼ୀ ଶାନ୍ତିରେ ମରିବୁ । ତୁ ଥାଉଁ ଥାଉଁ ତୋ ଭାଇଭଉଣୀଙ୍କର କିଛି ଚିନ୍ତା ରହିବ ନାହିଁ ।

Image

 

ଜେରାର୍ଡ଼ ଓ ମାର୍ଗାରେଟ୍‌ଙ୍କ ଦେଖା

 

ଦିନେ ସନ୍ଧ୍ୟାବେଳେ ଜେରାର୍ଡ଼ ଘରେ ପହଞ୍ଚିଲାକ୍ଷଣି କେଟ୍‌ କହିଲା, ‘‘ଜେରାର୍ଡ଼, ଆଜି ତୋତେ ଖୋଜିବା ପାଇଁ ଆମ ଘରକୁ କିଏ ଆସିଥିଲା ଜାଣିଛୁ ?’’

 

‘‘ନା, ମୁଁ ତ ଘରେ ନ ଥିଲି–ଜାଣନ୍ତି କିପରି ?’’

‘‘ଖୋଦ୍‌ ବର୍ଗୋମାଷ୍ଟର ।’’

‘‘ବର୍ଗୋମାଷ୍ଟର ଘିସ୍‌ବ୍ରେକ୍‌ଟ । ତାଙ୍କର ମୋ ପାଖରେ କି କାମ ? ’’

 

‘‘ମୁଁ ଜାଣେ ନାହିଁ । ସେ କଅଣ ଗୋଟାଏ ଜରୁରୀ କାମରେ ତୋତେ ଖୋଜୁଥିଲେ । ଘରକୁ ଆସିଲାକ୍ଷଣି ତାଙ୍କ ପାଖକୁ ଯିବା ପାଇଁ କହିଯାଇଛନ୍ତି ।’’

 

‘‘ହେଉ । ଯେତେବେଳେ ସେ ସହରର ହର୍ତ୍ତାକର୍ତ୍ତା, ମୋର ଯିବା ଦରକାର । କିନ୍ତୁ କେଟ୍‌, ମୋର ଯିବାକୁ ଇଚ୍ଛା ହେଉନାହିଁ । ତାର ଆଖିଯୋଡ଼ାକ ଦେଖିଲେ ଜଣାଯାଏ, ଲୋକଟାର ମତଲବ୍‌ ଭଲ ନୁହେ ।’’

 

ଯାହାହେଉ ଜେରାର୍ଡ଼ ଘସିବ୍ରେକ୍‌ଟଙ୍କ ପାଖକୁ ଗଲା । ସେ ଭାରି ଚାଲାଖ । ଅସଲ ଉଦ୍ଦେଶ୍ୟ ପ୍ରକାଶ ନ କରି ସେ କହିଲେ, ‘‘ଜେରାର୍ଡ଼, ସହରର ଅଫିସ କାଗଜପତ୍ର ବହୁତ ପୁରୁଣା ହୋଇଗଲାଣି । ଲେଖା ପଢ଼ି ହେଉନାହିଁ । ତୁମର ଅକ୍ଷର ଖୁବ୍‌ ଭଲ ବୋଲି ଶୁଣିଲି । ଅଫିସ ଖାତାଗୁଡ଼ିକ ନକଲ କରିଦିଅ ।’’

 

‘‘କରିପାରିବି । ସେଥିପାଇଁ ମୋତେ ପାରିଶ୍ରମିକ ମିଳିବ ?’’

‘‘ଆମେ ଯାହା ଦେବାର କଥା ଦେବା । କଲମ କାଗଜର ଦାମ୍‌ ତୁମକୁ ମିଳିବ ।’’

 

‘‘କିନ୍ତୁ ମୋ ପରିଶ୍ରମର ମୂଲ୍ୟ କିଏ ଦେବ ? ଏସବୁ ନକଲ କରିବାକୁ ବର୍ଷେ ପର୍ଯ୍ୟନ୍ତ ପରିଶ୍ରମ କରିବାକୁ ହେବ ।’’

 

‘‘ଲେଖିବା କଅଣ ଗୋଟାଏ ପରିଶ୍ରମ । କାଗଜରେ ଗାର ପକାଇବା କଥା ।’’

 

‘‘ଆପଣ ଯାହା କହନ୍ତୁ, ଲେଖିବା ଗୋଟାଏ କଳାବିଦ୍ୟା । ମୋ ସମୟର ମୂଲ୍ୟ ଅଛି ତ-?’’

 

‘‘ଓଃ, ତୁମର ସମୟ ! ତାର ପୁଣି ମୁଲ୍ୟ ? ବାଇଶ ବର୍ଷର ଯୁବକ ପକ୍ଷରେ ସମୟର କି ମୂଲ୍ୟ ? ଅସଲ କଥା ହେଉଛି, ତୁମେ ବୃଥା ସମୟ ନଷ୍ଟ କରିବାକୁ ଚାହଁ । ତୁମେ ପ୍ରେମରେ ପଡ଼ିଛ-। ତୁମ ଦେହଟା ସିନା ଏଠାରେ, ତୁମର ମନ ରହିଛି ପିଟର ବ୍ରାଣ୍ଟ ଘରେ, ତା ଝିଅ ପାଖରେ-।’’

 

‘‘ପିଟର ବ୍ରାଣ୍ଟ କିଏ ମୁଁ ଜାଣେ ନାହିଁ ।’’

 

‘‘ତୁମେ ମିଛ କହୁଛ । ରଟରଡାମ୍‌କୁ ଯିବା ରାସ୍ତାରେ ତା ଝିଅ ସାଙ୍ଗରେ ମୁଁ ନିଜେ ତୁମକୁ ଦେଖିଛି । ଏଇ କେତେ ଦିନ ଆଗେ ତୁମେ ସ୍ପେଟେନ୍‌ବର୍ଗକୁ ଯାଇଥିଲା ।’’

 

’‘ସ୍ପେଟନ୍‌ବର୍ଗକୁ ?’’

‘‘ହଁ, ସ୍ପେଟନ୍‌ବର୍ଗର ପିଟର ଘରକୁ ।’’

 

ବର୍ଗୋମାଷ୍ଟର ଶେଷ କଥାଟି ମନରୁ ଗଢ଼ି କହି ଦେଇଥିଲେ । ଜେରାର୍ଡ଼ର ଉତ୍ତରରୁ ସେ ପ୍ରକୃତ ଘଟଣା ଜାଣିବାର ଆଶା ରଖିଥିଲେ । ଜେରାର୍ଡ଼ କହିଲା, ‘‘ତିନିବର୍ଷ ହେଲା ମୁଁ ସ୍ପେଟେନ୍‌ବର୍ଗକୁ ଯାଇ ନାହିଁ । ତୁମେ ଯାହାଙ୍କ ନାଁ କହୁଛ ମୁଁ ତାଙ୍କୁ ଚିହ୍ନେ ନାହିଁ କି ସେ କେଉଁଠି ରହନ୍ତି ଜାଣେ ନାହିଁ । ତୁମେ ଭାବୁଛ ମୋର ସମୟର ମୂଲ୍ୟ ନାହିଁ–କିନ୍ତୁ ମୋର ସମୟ ମୂଲ୍ୟବାନ୍‍-। ମୋତେ ବିଦାୟ ଦିଅ ।’’ ଏହା କହି ଜେରାର୍ଡ଼ ଚାଲିଆସିଲା ।

 

ଘିସବ୍ରେକ୍‌ଟ ଜଣେ ଚାକରକୁ ଡାକି କହିଲେ, ଏ ଟୋକର ପଛେ ପଛେ ଯାଆ । ସେ କୁଆଡ଼େ ଯାଇ କଅଣ କରୁଛି ନଜର ରଖି ମୋତେ କହିବୁ । ଟୋକାଟା ଭାରି ଚାଲାଖ । ତୁ ତା’ ପଛେ ପଛେ ଅଛୁ ବୋଲି ସେ ଯେପରି ନ ଜାଣେ । ସାବଧାନରେ କାମ କରିବୁ ।’’

 

ରାତି ଦୁଇଘଡ଼ି ବେଳକୁ ଚାକର ଆସି ବର୍ଗୋମାଷ୍ଟରଙ୍କୁ କହିଲା, ‘‘ସେ ଟୋକା ଆପଣଙ୍କ ପାଖରୁ ଯାଇ ସିଧା ସ୍ପେଟେନ୍‌ବର୍ଗକୁ ଗଲା ।’’

 

ଘିସବ୍ରେକ୍‌ଟ ସ୍ଥିର କଲେ, ଜେରାର୍ଡ଼ ପିଟର ଘରକୁ ଯାଇଛି ।

 

ଜେରାର୍ଡ଼ ପିଟର୍‌ଙ୍କ ଘରେ ପହଞ୍ଚି ଦେଖିଲା, ମାର୍ଗାରେଟ୍‌ ଦ୍ୱାର ପାଖରେ ବସି ସୂଚୀକାମ କରୁଛି । ପାଖରେ ଜଣେ ଡେଙ୍ଗା ଲୋକ ଗୋଟାଏ ଧନୁ ଧରି ତା ସଙ୍ଗେ କଥାବାର୍ତ୍ତା ହେଉଛି । ଲୋକଟିର ବୟସ ପ୍ରାୟ ୫୦ବର୍ଷ । ସେ ଆଗେ ସୈନ୍ୟବିଭାଗରେ କାମ କରୁଥିଲା । ଏଥିପୂର୍ବରୁ ଜେରାର୍ଡ଼ ତାକୁ ଶର ମାରିବା ପ୍ରତିଯୋଗିତାରେ ପୁରସ୍କାର ପାଇବାର ଦେଖିଥିଲା ।

 

ଜେରାର୍ଡ଼କୁ ଦେଖିବାମାତ୍ରେ ମାର୍ଗାରେଟ୍‌ ନିଜର ସୂଚୀକାମ ରଖିଦେଲା । ତାର ମୁହଁ ଲାଜରେ ଲାଲ ପଡ଼ିଗଲା । ସେ କହିଲା, ‘‘ଏ କଅଣ ଜେରାର୍ଡ଼ ! ତୁମେ କିପରି ଆସିଗଲ ?’’

 

‘‘ମୁଁ ଏଇବାଟେ ଯାଉଥିଲି । ତୁମକୁ ଦେଖି ଭାବିଲି ତୁମ ବାପା କିପରି ଅଛନ୍ତି ବୁଝିଯିବି-।’’

 

‘‘ବାପା ଭଲ ଅଛନ୍ତି । ଏଇକ୍ଷଣି ସେ ଆସିବେ ।’’

‘‘ତେବେ ସେ ଆସିବାଯାଏ ମୁଁ ରହିବି ।’’

 

‘‘ଯାହା ତୁମ ଇଚ୍ଛା । ମାର୍ଟିନ୍‌, ଯାଅ, ବାପାଙ୍କୁ କହିଦେବ ତାଙ୍କର ଜଣେ ବନ୍ଧୁ ଆସିଛନ୍ତି-।’’

 

‘‘ତୁମର ବନ୍ଧୁ ନୁହେଁ ?’’

‘‘ବାପାଙ୍କର ଯିଏ ବନ୍ଧୁ ସେ ମୋର ମଧ୍ୟ ବନ୍ଧୁ ।’’

‘ସେଦିନ ମୁଁ ଯିବାକ୍ଷଣି ତୁମର ଚାଲି ଆସିବାଟା କଅଣ ବନ୍ଧୁର କାମ ? ’’

 

‘‘ତୁମେ ମି. ଜନ୍‌ସନ୍‌ଙ୍କ ଘରକୁ ଆସିଲ ନାହିଁ କାହିଁକି ? ସେ ତୁମକୁ ମଧ୍ୟ ଆଦର ଅଭ୍ୟର୍ଥନା କରିଥାନ୍ତେ ।’’

 

‘‘ରାଣୀଙ୍କ ପାଖରୁ କାମ ସରିଲା ମାତ୍ରେ ମୁଁ ତୁମେ ବସିଥିବା ଜାଗାକୁ ଆସିଲି, କିନ୍ତୁ ତୁମର ଦେଖା ମିଳିଲା ନାହିଁ ।’’

 

‘‘ତୁମେ ଆସି ନ ଥିଲ–ଆସିଥିଲେ ହାନ୍‌ସକୁ ଦେଖିଥାନ୍ତ । ତୁମକୁ ଜନ୍‍ସନ୍‌ଙ୍କ ଘରକୁ ନେଇ ଆସିବା ପାଇଁ ଆମେ ତାକୁ ସେଠାରେ ବସାଇ ଯାଇଥିଲୁ ।’’

 

‘‘ମୁଁ ସେଠାରେ କାହାରିକୁ ଦେଖିଲି ନାହିଁ । କେବଳ କିଏ ଜଣେ ମଦ ପିଇ ତଳେ ଗଡ଼ୁଥିଲା ।’’

 

‘‘ଆମ ଟେବୁଲ ପାଖରେ ? ତା’ର ପୋଷାକ କିପରି ?’’

 

‘‘ମୁଁ ସେତେ ଭଲକରି ଦେଖିନି; ତେବେ କଳାରଙ୍ଗର ପୋଷାକ ପିନ୍ଧୁଥିଲା ବୋଲି ମନେପଡ଼ୁଛି ।’’

 

ମାର୍ଗାରେଟ୍‌ଙ୍କର ସବୁ ସନ୍ଦେହ ଦୂର ହୋଇଗଲା । ଏହି ମାତାଲ ଲୋକଟି ହିଁ ସମସ୍ତ ଭୁଲ ବୁଝାମଣାର କାରଣ ବୋଲି ଦୁହେଁ ବୁଝିପାରିଲେ ।

 

ଏହି ସମୟରେ ପିଟର ପହଞ୍ଚିଗଲେ ଓ କହିଲେ, ‘‘ବାପ, ଜେରାର୍ଡ଼, ଆଜି ତୁମେ ଆମ ଘରେ ଖାଇବ ।’’ ମାର୍ଗାରେଟ୍‌ ଚାଲିଗଲା । ପିଟର ଓ ଜେରାର୍ଡ଼ ବସି ନାନା ବିଷୟରେ ଗଳ୍ପ କଲେ-। କିଛି ସମୟ ପରେ ମାର୍ଗାରେଟ୍‌ ଆସି ଟେବୁଲ ସଜାଇ ଖାଇବାକୁ ଦେଲା । ଭୋଜନ ପରେ ଜେରାର୍ଡ଼ ଓ ମାର୍ଗରେଟ୍‌ ହାତ ଧରାଧରି ହୋଇ କିଛିବେଳ ବଗିଚାରେ ବୁଲିଲେ । ଜେରାର୍ଡ଼ ଆନନ୍ଦ ମନରେ ନିଜ ଘରକୁ ଫେରିଲା ।

 

ଏହି ଦିନଠାରୁ ଜେରାର୍ଡ଼ ପ୍ରାୟ ପ୍ରତିଦିନ ପିଟରଙ୍କ ଘରକୁ ଯିବାକୁ ଲାଗିଲା । ଜେରାର୍ଡ଼ ଓ ମାର୍ଗାରେଟ୍‌ ପ୍ରେମରେ ବୁଡ଼ିରହିଲେ ।

Image

 

ବର୍ଗୋମାଷ୍ଟରଙ୍କ ଆଗମନ

 

ପ୍ରେମର ପଥ ବିପଦପୂର୍ଣ୍ଣ । ଜେରାର୍ଡ଼ ଓ ମାର୍ଗାରେଟ୍‌ଙ୍କ ଜୀବନରେ ବିପଦ ଦେଖାଦେଲା । ଦିନେ ଉପରବେଳା କାଥେରିନ୍‌ ଓ କେଟ୍‌ ବସି ଜେରାର୍ଡ଼ ବିଷୟରେ କଥାବାର୍ତ୍ତା ହେଉଛନ୍ତି, କେଟ୍‌ କହିଲା–

 

‘‘ମାଆ, ତୁମକୁ ଲୁଚାଇ ଗୋଟିଏ ଜିନିଷ ଦେଖାଇବି । ଜେରାର୍ଡ଼ ତାକୁ କନାରେ ଗୁଡ଼ାଇ ଲୁଚାଇ ରଖିଛି । ବେଳେ ବେଳେ ସେ ତାକୁ କୁଆଡ଼େ ନେଇଯାଏ ।’’

 

ଏହା କହି କେଟ୍‌ ଘରଭିତରୁ କନାର ଗୁଡ଼ାହୋଇଥିବା ଗୋଟିଏ ଛବି ଧରି ଆସିଲା । ଛବିଟି ହେଉଛି ଯୀଶୁଙ୍କର ମାତା ମେରୀଙ୍କର । ତାଙ୍କର ମଥାରେ ଗୋଟିଏ ମୁକୁଟ । ସୁନେଲି ରଙ୍ଗର ବାଳଗୁଡ଼ିକ କାନ୍ଧ ଉପରକୁ ଲମ୍ୱି ଯାଇଛି । କାଥେରିନ୍‌ ଛବିଟି ଦେଖିଲାକ୍ଷଣି କହିଲେ, ‘‘ଆହା, ସ୍ୱର୍ଗର ଦେବୀ ଯୀଶୁ–ମାତା ମେରୀଙ୍କର ଏଭଳି ସୁନ୍ଦର ଛବି ମୁଁ ଦେଖି ନ ଥିଲି । ’’

 

ସେ ଦୁହେଁ ଛବିର ପ୍ରଶଂସା କରୁଛନ୍ତି, ଏହି ସମୟରେ କବାଟ ପାଖରେ କାହାର ପାଦଶବ୍ଦ ଶୁଣାଗଲା । କାଥେରିନ୍‌ ହଠାତ୍‌ ଛବିଟିକୁ କନାରେ ଘୋଡ଼ାଇ ଦେଲେ । ବର୍ଗୋମାଷ୍ଟର ଘିସବ୍ରେକ୍‌ଟ ଘର ଭିତରକୁ ପଶିଗଲେ । କେଟ୍‌ ଓ ତାର ମାଆ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘ଆପଣ କୁଆଡ଼େ ଆସିଲେ ?’’

 

‘ମୁଁ ବନ୍ଧୁ ଭାବରେ ଆସିଚି ତୁମକୁ ସାହାଯ୍ୟ କରିବାପାଇଁ ।’’

 

କାଥେରିନ୍‌ ଓ କେଟ୍‌ ଜାଣନ୍ତି, ବର୍ଗୋମାଷ୍ଟର ଭଲ ଲୋକ ନୁହନ୍ତି । ତାଙ୍କର ପ୍ରକୃତି କୁଟିଳ । ସେ ଦୁହେଁ ପରସ୍ପରକୁ ଚାହିଁଲେ । ବର୍ଗୋମାଷ୍ଟର କହିଲେ, ‘‘ତୁମ ପୁଅ ଜେରାର୍ଡ଼ ବିଷୟରେ କିଛି କହିବାକୁ ଆସିଛି ।’’

 

‘‘ହଁ, ମୁଁ ଶୁଣିଥିଲି ଆପଣ ତାକୁ କେତେକ କାମ କରିବାକୁ କହିଥିଲେ । କିନ୍ତୁ ଟଙ୍କା ଦେବାକୁ ନାହିଁ କରିବାରୁ ସେ ମନା କରିଦେଲା । ସେଇ କଥା ତ ।’’

 

‘‘ନା, ମୁଁ ସେ ବିଷୟରେ କହିବାକୁ ଆସିନାହିଁ । ମୁଁ ଆସିଛି ଅନ୍ୟ ବିଷୟରେ । ଜାଣିଛ, ସେ କୁସଂସର୍ଗରେ ପଡ଼ିଲାଣି ।’’

 

‘‘ମୋ ପୁଅ ଜେରାର୍ଡ଼ କୁସଂସର୍ଗରେ ପଡ଼ିଛି ? ମନରୁ ଫାନ୍ଦି କିଛି କହନ୍ତୁ ନାହିଁ । ଯାହା ଜାଣନ୍ତି ଶୀଘ୍ର କହନ୍ତୁ ।’’

 

‘‘କହିବି କଅଣ ? ତୁମ ଜେରାର୍ଡ଼ ଧର୍ମଯାଜକ ହେବ ନାହିଁ ଯେ ଗୋଟିଏ ଗୃହସ୍ଥ ହେବ । ପିଟର ବ୍ରାଣ୍ଟର ଯେଉଁ ଝିଅ, ତା ପାଲରେ ସେ ପଡ଼ିଲାଣି ।’’

 

ଏହା ଶୁଣିଲାକ୍ଷଣି ମାଆ ଝିଅ ଦୁହେଁ ଠୋ ଠୋ ହସିଉଠିଲେ । ବର୍ଗୋମାଷ୍ଟର କହିଲେ, ‘‘ତାହାହେଲେ ତୁମେ ଆଗରୁ ଏକଥା ଜାଣିଥିଲ ।’’

 

‘‘ମୁଁ ଜାଣେ, ଜେରାର୍ଡ଼ କୌଣସି ସ୍ତ୍ରୀଲୋକକୁ ଆଡ଼ ଆଖିରେ ସୁଦ୍ଧା ଚାହେଁ ନାହିଁ ।’’

‘‘ହଁ, ଅନ୍ୟ ସ୍ତ୍ରୀଲୋକଙ୍କୁ ଚାହୁଁ ନ ଥିବ, କିନ୍ତୁ ଏଇଟି ହେଉଛି ତାର ସର୍ବସ୍ୱ ।’’

‘‘କେଟ୍‌, ତୋର ଏ କଥାରେ ବିଶ୍ୱାସ ହେଉଛି ?’’

 

‘‘ନା, ନା, ମୋର ମୋଟେ ବିଶ୍ୱାସ ହେଉନି । ଜେରାର୍ଡ଼ ସେଭଳି ପ୍ରକୃତିର ପିଲା ନୁହେ । ଯେ ଯଦି କାହାକୁ ଭଲପାଉଥାଏ, ସେ ହେଉଛନ୍ତି ମେରୀ, ସ୍ୱର୍ଗର ଦେବୀ । ସେ ଏହି ଦେବୀଙ୍କର କିପରି ଛବି ଆଙ୍କିଛି ଦେଖାଇଦେବି ।’’ ଏହା କହି ସେ ଛବିଟି ଉପରୁ କନା କାଢ଼ିଦେଲା ।

 

ବର୍ଗୋମାଷ୍ଟର ଚମକି ପଡ଼ିଲା ପରି କହିଲେ, ‘‘ଏ ତ ଠିକ୍‌ ସେଇ ।’’

‘‘ଦେଖିଲେ, ଆପଣଙ୍କ ଧାରଣା କେଡ଼େ ଭୁଲ ।’’

 

‘‘ସମସ୍ତେ କଅଣ ପାଗଳ ହୋଇଛ ? ଏ ହେଉଛି ପିଟରବ୍ରାଣ୍ଟର ଝିଅ ମାର୍ଗାରେଟ୍‌ର ଛବି ।’’

 

ଏହି ସମୟରେ ପିଟରବ୍ରାଣ୍ଟଙ୍କର ପଡ଼ୋଶୀ ପାଟିଶୁଣି ଦ୍ୱାରମୁହଁକୁ ଆସିଲେ । ସେସବୁ କଥା ଶୁଣି ଛବିଟି ଦେଖି କହିଲେ–‘‘ମୁଁ ବାପଝିଅଙ୍କୁ ଭଲ କରି ଚିହ୍ନେ । ଏ ତ ଠିକ୍‌ ତାରି ଛବି । ତେବେ ତା ମୁଣ୍ଡରେ ଗୋଟାଏ ମୁକୁଟ ଦିଆହୋଇଛି କାହିଁକି ?’’

 

ଏହି ସମୟରେ ଇଲିଆସ୍‌ ଦୋକାନରୁ ଆସି ପହଞ୍ଚିବାରୁ କାଥେରିନ୍‍ ବର୍ଗୋମାଷ୍ଟରଙ୍କୁ କହିଲେ, ‘‘ଏଇ ତାର ବାପା ଆସିଲେଣି । ମୋର ତାଙ୍କୁ କହିବାକୁ ସାହସ ହେଉନାହିଁ–ଆପଣ କହନ୍ତୁ ।’’

 

ଇଲିଆସ୍‌ ଜାଣିପାରିଲେ ଯେ ଗୋଟାଏ କିଛି କାଣ୍ଡ ଘଟିଛି । ବର୍ଗୋମାଷ୍ଟର କହିଲେ, ‘‘ସେପରି ବିଶେଷ କିଛି ଘଟି ନାହିଁ–ଏତେ ଭୟ କରୁଛ କାହିଁକି ?’’ ଏହା ପରେ ସେ ଜେରାର୍ଡ଼ ଓ ମାର୍ଗାରେଟ୍‍ର ସମ୍ୱନ୍ଧ ବର୍ଣ୍ଣନା କରି ଛବିଟି ଦେଖାଇଦେଲେ ।

 

ଇଲିଆସ୍‌ କହିଲେ, ‘‘ଜେରାର୍ଡ଼ ତାକୁ ବିଭା ହେବ ? ସେ କଥା ଅସମ୍ଭବ । ସେ ବିଭା ହେବାକୁ ବସିଲେ ମୁଁ ଜୋର୍‌କରି ବନ୍ଦ କରିବି । ଦରକାର ହେଲେ ଜନ୍‌ ଯାହା କରିଥିଲା ତାହା କରିବି ।’’

 

କାଥେରିନ୍‌ ପଚାରିଲେ ‘‘ଜନ୍‌ କଣ କରିଥିଲା ?’’

 

ଇଲିଆସ୍‌ କିଛି କହିବା ପୂର୍ବରୁ ବର୍ଗୋମାଷ୍ଟର କହିଲେ, ‘‘ଜନ୍‌ର ପୁଅ ଆଲବର୍ଟ ବାପର ଇଚ୍ଛା ବିରୁଦ୍ଧରେ ବିବାହ କରିବାକୁ ବସିଥିଲା । ଜନ୍‌ ମୋତେ ଏହା ଜଣାଇବାରୁ ମୁଁ ଆଲବର୍ଟକୁ ଜେଲ୍‍ଖାନାରେ ବନ୍ଦକରି ରଖିଲି । ଜେଲ୍‌ଖାନାରେ ତାକୁ ଖଣ୍ଡିଏ ରୁଟି ଓ ଗିଲାସେ ପାଣି ଛଡ଼ା କିଛି ଦିଆଯାଉ ନ ଥିଲା । ବେଶ୍‌, ଦିଓଟି ଦିନରେ ପୁଅ ବାଟକୁ ଆସିଗଲା ।’’

 

କାଥେରିନ୍‌ଙ୍କୁ ଏକଥା ବଡ଼ ଖରାପ ଲାଗିଲା । ସେ କହିଲେ, ‘‘ନା ନା, ମୋ ପୁଅ କଥା ଏତେ ଦୂରକୁ ଯିବ ନାହଁ । ମୋ କଥା ସେ କେବେ ଅମାନ୍ୟ କରିନାହିଁ । କେଟ୍‍, ଜେରାର୍ଡ଼ କୁଆଡ଼େ ଯାଇଛି ?’’

 

‘‘ମୁଁ ଜାଣିନି ?’’

 

ବର୍ଗୋମାଷ୍ଟର କହିଲେ, ‘‘ମୁଁ ଜାଣିଛି । ଜେରାର୍ଡ଼ ସେଭେନ୍‌ ବର୍ଜନକୁ ଯାଇଛି । ମୋ ଚାକର ତାକୁ ବାଟରେ ଦେଖିଥିଲା । ସେ ପିଟର ବ୍ରାଣ୍ଟ ଘରେ ଥିବ ।’’

Image

 

ଲେଡ଼ି ଭାନ୍‌ଇକ୍‌ଙ୍କ ସାହାଯ୍ୟ

 

ସେଦିନ ଜେରାର୍ଡ଼ ଅନେକ ବେଳ ଯାଏ ସ୍ପେଟେନ୍‌ବର୍ଗରେ ରହିଗଲା । ଫେରିଲାବେଳକୁ ରାତି ହୋଇଯାଇଥିଲା । ଘରଠାରୁ ଅଳ୍ପ ଦୂରରେ ସେ ଗୋଟିଏ ଗଛମୂଳେ ଦୁଇଜଣ ଲୋକଙ୍କୁ ଦେଖିଲା । ହଠାତ୍‌ ସେ ଦୁହେଁ ରାସ୍ତା ଉପରକୁ ଆସି ତା ଆଗରେ ଛିଡ଼ା ହୋଇଗଲେ । ଜେରାର୍ଡ଼ ଦେଖିଲା, ସେ ଦୁହେଁ ତାର ବାପା ଓ ମାଆ । ସେ ଆଶ୍ଚର୍ଯ୍ୟ ହୋଇ ପଚାରିଲା, ‘‘ତୁମେ କୁଆଡ଼େ ? ଘରେ କଅଣ ବିଶେଷ କିଛି ଘଟିଛି ?’’

 

ପିଟର କହିଲେ, ‘‘ପଚାରିବା ଦରକାର କଅଣ ? ତୁ ଜାଣି ପାରୁଥିବୁ ଆମେ କାହିଁକି ଆସିଛୁ ।’’

 

ଜେରାର୍ଡ଼ ନୀରବ । ତାର ବାପାଙ୍କ ମନରେ ଦୁଃଖ ହେଲା । ସେ କହିଲେ, ‘‘ହେଉ, ଘରକୁ ଚାଲ । ଏ ତୋର ଦୋଷ ନୁହେଁ, ତୋ ବୟସର ଦୋଷ । ଯୋଡ଼ିଏ ନୀଳରଙ୍ଗର ଆଖି, ଗୋଟିଏ ସୁନ୍ଦର ମୁହଁ ଦେଖି ଭୁଲିଯାଇଛୁ ଯେ ତୁ ଜଣେ ଧର୍ମଯାଜକ ହେବୁ । ସ୍ତ୍ରୀ ଲୋକଙ୍କ ସାଥିରେ ତୋର କି ସମ୍ୱନ୍ଧ ? ମୋତେ ଜବାବ ଦେ, ଏଣିକି ଆଉ ସେଭେନ୍‌ବର୍ଜନକୁ ଯିବୁ ନାହିଁ । ବେଶ୍‌, ଏତିକିରେ କଥା ତୁଟିଯିବ । ଥରେ ଭୁଲ କରିଛୁ- ସେ କଥା ଆମେ ଭୁଲିଯିବୁ ।’’

 

‘‘ନା ବାପା, ମୁଁ ସେପରି ଜବାବ ଦେଇ ପାରିବି ନାହିଁ ।’’

‘‘କଅଣ ! ଜବାବ ଦେଇ ପାରିବୁ ନାହିଁ ? କୃତଘ୍ନ .....’’

 

‘‘ମୋତେ ଗାଳି ଦିଅନା । ତୁମେ ଅସନ୍ତୁଷ୍ଟ ହେବ ବୋଲି ଏ କଥା ମୁଁ ତୁମକୁ କହି ନ ଥିଲି-। ମୁଁ ଧର୍ମଯାଜକ ହେବି ନାହିଁ । ମୁଁ ମାର୍ଗାରେଟ୍‌କୁ ଭଲପାଏ । ତାକୁ ଛାଡ଼ି ଧର୍ମଯାଜକ ହୋଇ ନ ପାରେ ।’’

 

‘‘ଆଚ୍ଛା, ସେ କଥା ପରେ ଦେଖାଯିବ–ଆଗେ ଘରକୁ ଚାଲ ।’’

 

ଏଣିକି ଇଲିଆସ୍‌ଙ୍କ ଘରେ ଆଉ ଶାନ୍ତି ରହିଲା ନାହିଁ । କେବଳ କେଟ୍‌ ଓ ଜାଇଲସ୍‍କୁ ଛାଡ଼ିଦେଲେ ଆଉ ସମସ୍ତେ ଜେରାର୍ଡ଼ର ବିରୋଧୀ ହୋଇଉଠିଲେ । ଏହିପରି ଘୋର ଅଶାନ୍ତିରେ ଛଅମାସ କଟିଗଲା । ଘରର ସମସ୍ତେ ଯେତେ କହିଲେ ସୁଦ୍ଧା ଜେରାର୍ଡ଼ର ମନ ବଦଳିଲା ନାହିଁ । ଶେଷରେ ଦିନେ ଇଲିଆସ୍‌ ସମସ୍ତଙ୍କୁ କହିଦେଲେ, ‘‘ଜେରାର୍ଡ଼ କାହାରି କଥା ଶୁଣିଲା ନାହିଁ । ମୁଁ ତାକୁ ମାର୍ଗାରେଟ୍‌ ସାଥିରେ କେବେହେଲେ ବିବାହ କରାଇ ଦେବି ନାହିଁ । ଜେରାର୍ଡ଼କୁ ଜେଲ୍‌ଖାନାରେ ରଖିବାପାଇଁ ମୁଁ ବର୍ଗୋମାଷ୍ଟରଙ୍କୁ କହିଦେଇଛି । ଜେରାର୍ଡ଼, ତୋତେ ଭଲ ଲାଗୁ ବା ନ ଲାଗୁ, ତୋତେ ଧର୍ମଯାଜକ ହେବାକୁ ପଡ଼ିବ । ତୁ କଦାପି ବିବାହ କରିପାରିବୁ ନାହିଁ ।

 

ଜେରାର୍ଡ଼ ରାଗିଯାଇ କହିଲା, ‘‘ତୁମେ ଜବରଦସ୍ତ କରୁଛ, କିନ୍ତୁ ମୁଁ କହିରଖୁଛି ମୁଁ କଦାପି ଧର୍ମଯାଜକ ହେବି ନାହିଁ । ବାପା, ତୁମେ ବଳ ପ୍ରୟୋଗ କଲେ ସୁଦ୍ଧା ମୋର ମନ ବଦଳିବ ନାହିଁ । ତୁମର ଏ ଘର, ଏ ରାଜ୍ୟ ଛାଡ଼ି ଚାଲିଯିବାକୁ ମୁଁ ପ୍ରସ୍ତୁତ ଅଛି ।’’

 

ଏହା କହି ଜେରାର୍ଡ଼ ଘରୁ ବାହାରିଗଲା । ବାଟରେ ମାର୍ଗାରେଟ୍‌ ଭାନ୍‌ଇକ୍‍ଙ୍କର ଜଣେ ଦାସୀ ସମ୍ୱାଦ ଦେଲା ଯେ ସେ ଜେରାର୍ଡ଼କୁ ଡକାଇ ଅଛନ୍ତି । ଜେରାର୍ଡ଼ ଦାସୀ ସହିତ ମାର୍ଗାରେଟ୍‍ ଭାନ୍‍ଇକ୍‌ଙ୍କ ପାଖରେ ପହଞ୍ଚିବାରୁ ସେ କହିଲେ, ‘‘ଏ କଅଣ ଜେରାର୍ଡ଼ ! ଏତେ ଦିନ ହେଲା ତୁମେ ଏଆଡ଼େ କାହିଁକି ଆସୁନାହଁ ?’’

 

ଜେରାର୍ଡ଼ ଲାଜରେ ମୁହଁ ତଳକୁ କରିଦେଲା । ତା ତୁଣ୍ଡରୁ କଥା ବାହାରିଲା ନାହିଁ । ଦାସୀଟି କହିଲା, ‘‘ସାଆନ୍ତାଣୀ କାହିଁକି ଏପରି କହିଲେ ଜାଣିଲ ? ତୁମେ ଏଥି ଭିତରେ ଜଣକର ପ୍ରେମରେ ପଡ଼ିଛି ଅଥଚ ସେ କଥା ତାଙ୍କଠାରେ ଲୁଚାଇଛ ।’’

 

ଜେରାର୍ଡ଼ ଆହୁରି ଲଜ୍ଜିତ ହୋଇ କହିଲା, ‘‘ହଁ, ମୁଁ ଯେ ବୋକାମି କରି ଗୋଟିଏ ଝିଅକୁ ଭଲ ପାଇଛି ସେକଥା କହିବାକୁ ମୋର ସାହସ ହେଲା ନାହିଁ ।’’

 

‘‘ଭଲପାଇବା କଅଣ ବୋକାମି ?’’

 

‘‘ପ୍ରତିଦିନ ଘରେ ମୋତେ ତାହାହିଁ କୁହାଯାଉଛି । ମୁଁ ଆପଣଙ୍କୁ ମୋ ଅନ୍ତରର କଥା ଜଣାଇଥାନ୍ତି, କିନ୍ତୁ ଆପଣ କଳାର ପୂଜା କରିବାପାଇଁ ପ୍ରେମକୁ ଯୌବନରୁ ତ୍ୟାଗ କରିଛନ୍ତି । ତେଣୁ ଆପଣଙ୍କୁ ମୋର ପ୍ରେମକଥା କହିବାକୁ ଭୟ ହେଲା ।’’

 

ହଁ, କଳାବେଦିରେ ମୁଁ ପ୍ରେମକୁ ବଳି ଦେଇଛି, କିନ୍ତୁ ତା’ର ପରିଣାମ ଦେଖୁଛ ? ଏ ବୟସରେ ମୋର କେହି ସାହା ନାହିଁ । ମୋର ସଙ୍ଗିନୀମାନେ ବିବାହ କରି କେଡ଼େ ସୁଖରେ ଅଛନ୍ତି-। ସବୁ ତ୍ୟାଗକରି ଯେଉଁ କଳାର ପୂଜା କରୁଥିଲି ସେ ମଧ୍ୟ ମୋତେ ଛାଡ଼ିଯାଉଛି । ଜ୍ୟୋତିହୀନ ଆଖି, ଥରଥର ହାତରେ କି କଳାର ଚର୍ଚ୍ଚା କରିହୁଏ ? ଜେରାର୍ଡ଼, ତୁମେ ମୋର ପୁଅ ପରି । ମୋର ଜୀବନକୁ ଅନୁସରଣ କରିବା ପାଇଁ ମୁଁ ତୁମକୁ କେବେହେଲେ କହି ନ ପାରେ । ତୁମେ ସେହି ମାର୍ଗାରେଟ୍‌କୁ ବିବାହ କରିବା ଉଚିତ । ସେ ଗୋଟିଏ ଭଲ ଝିଅ ବୋଲି ମୁଁ ବୁଝିଛି ।’’

ଜେରାର୍ଡ଼ର ସବୁ ଆଶଙ୍କା ତୁଟିଗଲା । ଭାନ୍‌ଇକ୍‍ଙ୍କ ମୁହଁରେ ମାର୍ଗାରେଟ୍‌ ବ୍ରାଣ୍ଟଙ୍କର ପ୍ରଶଂସା ଶୁଣି ସେ ଆନନ୍ଦିତ ହେଲା ଓ ଏହି ଘଟଣା ନେଇ ଘରେ ସେ କିପରି ନିର୍ଯାତନା ସହୁଛି ସବୁ ପ୍ରକାଶ କଲା । ତାହା ଶୁଣି ଭାନ୍‌ଇକ୍‌ କହିଲେ, ‘‘ତୁମେ ଅବିଳମ୍ୱେ ମାର୍ଗାରେଟ୍‌ ବ୍ରାଣ୍ଟଙ୍କୁ ବିବାହ କରିପକାଅ । ଥରେ ବିବାହ ହୋଇଗଲେ ପରେ ବାପା ମାଆ ବିରୋଧ କରି ନ ପାରନ୍ତି ।’’

ବାପାଙ୍କ କଥାରେ ଜେରାର୍ଡ଼ ରାଗିଯାଇଥିଲା, କିନ୍ତୁ ପ୍ରକାଶ୍ୟରେ ବାପାଙ୍କୁ ଅମାନ୍ୟ କରି ବିବାହ କରିବା କେତେଦୂର ଉଚିତ ହେବ ସେ ସ୍ଥିର କରିପାରିଲା ନାହିଁ । ସେ କହିଲା, ‘‘ବାପା ମୋତେ ଜେଲ୍‌ ଦିଆଇବେ ବୋଲି କହିଛନ୍ତି । କିନ୍ତୁ ସେ ତାହା କରିବେ ବୋଲି ମୋର ବିଶ୍ୱାସ ହେଉ ନାହିଁ । ମୋର ଭୟ ହେଉଛି ତାଙ୍କ ରାଗକୁ । ମୁଁ କାଲି ମାର୍ଗାରେଟ୍‌କୁ ବିବାହ କରିବାକୁ ପ୍ରସ୍ତୁତ । ମାତ୍ର ତାହାହେଲେ ବାପା ମୋତେ ଘରୁ ତଡ଼ିଦେବେ । ମୁଁ ମାର୍ଗାରେଟ୍‌କୁ ସୁଖରେ ରଖିପାରିବି ନାହିଁ । ବେଳେ ବେଳେ ଭାବୁଛି, ମାର୍ଗାରେଟ୍‌କୁ ଗୋପନରେ ବିବାହ କରି ଯେଉଁ ଦେଶରେ ମୋର କଳାବିଦ୍ୟାର ଆଦର ହେବ ସେପରି ଦେଶକୁ ପଳାଇଯିବି । ସେଠାରେ ଦୁଇ ତିନିବର୍ଷ ରହି ଟଙ୍କା ଅର୍ଜି ଫେରିଆସି ମାର୍ଗାରେଟ୍‌କୁ ଘେନି ସୁଖରେ ରହିବି ।’’

ବୃଦ୍ଧା ମାର୍ଗାରେଟ୍‌ ଭାନ୍‌ଇକ୍‌ଙ୍କର ଆଖି ଉଜ୍ଜ୍ୱଳ ହୋଇଆସିଲା । ସେ କହିଲେ, ‘‘ତୁମେ ଯାହା ଭାବିଛ ତାହା ଠିକ୍‌ । କେବଳ ସେ ଭାବନାକୁ କାର୍ଯ୍ୟରେ ପରିଣତ କରିବାପାଇଁ ମନର ବଳ ଦରକାର । ଏ ଦେଶରେ କଳାବିଦ୍ୟାରେ ଆଦର ନାହିଁ, କିନ୍ତୁ ଇଟାଲୀରେ କଅଣ ହୁଏ ଜାଣ- ସେ ଦେଶରେ ଶିଳ୍ପୀ ଜଣେ ରାଜାର ସମ୍ମାନ ପାଏ’’ ।

‘‘ମୁଁ ସେ କଥା ଶୁଣିଛି । ରୋମ୍‌ ଦେଖିବା ମୋର ଜୀବନର ସ୍ୱପ୍ନ ଥିଲା । କିନ୍ତୁ ସେ ଦୂର ଦେଶକୁ ଯିବାର ପାଥୟେ କାହୁଁ ପାଇବି ? ’’

‘‘ପାଥେୟ କାହୁଁ ମିଳିବ ସେ କଥା ମୁଁ ଜାଣେ, କିନ୍ତୁ ତୁମ ମନର ବଳ ଦରକାର । ତୁମେ ତୁମର ପତ୍ନୀକୁ ନେଇ ଯାଇପାରିବ ତ ?’’

 

ରାତି ଅଧ ପର୍ଯ୍ୟନ୍ତ ଏ ବିଷୟରେ ପରାମର୍ଶ ଚାଲିଲା । ଜେରାର୍ଡ଼ ଘରକୁ ପ୍ରଫୁଲ୍ଲ ମନରେ ଫେରିଲା । ଘରେ ତାକୁ ଗାଳି ଶୁଣିବାକୁ ହେଲା ସତ, କିନ୍ତୁ ସେସବୁକୁ ସେ ଖାତିର୍‌ କଲା ନାହିଁ ।

 

ମାର୍ଗାରେଟ୍‌ ଭାନ୍‌ଇକ୍‌ ଜେରାର୍ଡ଼ର ବାଟଖର୍ଚ୍ଚ ପାଇଁ ଯଥେଷ୍ଟ ଟଙ୍କା ଦେଲେ । ତାହାଛଡ଼ା ଚିତ୍ର ବିଦ୍ୟା ବିଷୟରେ କେତେଗୁଡ଼ିଏ ମୂଲ୍ୟବାନ୍‌ ଉପଦେଶ ଦେଲେ । ଜେରାର୍ଡ଼ ବିବାହ କରି ଇଟାଲୀକୁ ପଳାଇବ ବୋଲି ସ୍ଥିର କଲା ।

 

ପ୍ରଥମେ ସେ ସେଭେନ୍‍ବର୍ଜନକୁ ଯାଇ ମାର୍ଗାରେଟ୍‌କୁ ସବୁ କଥା କହିଲା । କିନ୍ତୁ ମାର୍ଗାରେଟ୍‌ ବିବାହ ପ୍ରସ୍ତାବରେ ରାଜି ନ ହୋଇ କହିଲା ‘‘ତୁମକୁ ମୁଁ ଯେତେ ଭଲପାଇଲେ ସୁଦ୍ଧା ତୁମ ବାପାଙ୍କ ଇଚ୍ଛା ବିରୁଦ୍ଧରେ ଆମର ବିବାହ ହୋଇ ନ ପାରେ ।’’

 

ଜେରାର୍ଡ଼ ଅନେକ ବୁଝାଇଲା; କିନ୍ତୁ ମାର୍ଗାରେଟ୍‌ର ମନ ବଦଳିଲା ନାହିଁ । ସେ କେବଳ କାନ୍ଦିବାକୁ ଲାଗିଲା । ଶେଷରେ ଜେରାର୍ଡ଼ ବିରକ୍ତ ହୋଇ ସେଠାରୁ ଚାଲିଗଲା ।

 

ପ୍ରାୟ ଘଣ୍ଟାକ ପରେ ଜେରାର୍ଡ଼ ହାତରେ ଖଣ୍ଡେ ଚିରା ଛବି ଧରି ଦଉଡ଼ି ଦଉଡ଼ି ଆସି ମାର୍ଗାରେଟ୍‌କୁ କହିଲା, ‘‘ମାର୍ଗାରେଟ୍‌, ଦେଖ, ତୁମର ଛବିର ଅବସ୍ଥା !’’

 

ମାର୍ଗାରେଟ୍‌ ଲୁହ ପୋଛି ଦେଖିଲା, ଜେରାର୍ଡ଼ ହାତରେ ତା’ର ଛବିଟି ପାଞ୍ଚଖଣ୍ଡ ହୋଇ ଚିରାହୋଇ ରହିଛି । ତାର ମୁହଁ କ୍ରୋଧରେ ଲାଲ ପଡ଼ିଗଲା । ସେ ପଚାରିଲା, ‘‘କିଏ ଏହା କଲା-?’’

 

‘‘ମୁଁ ଜାଣେନା–କାହାକୁ ବା ପଚାରନ୍ତି ? ମୋର ଛଅ ମାସର ପରିଶ୍ରମକୁ କିଏ ମୁହୂର୍ତ୍ତକେ ଚିରି ନଷ୍ଟ କରିଦେଲା । ଦେଖିଲ, ଛବିରେ ତୁମର ମୁହଁକୁ ଚିରି କିପରି ବିକୃତ କରାଯାଇଅଛି ? ଏମାନଙ୍କ ମନରେ ଦୟାମାୟା କିଛି ନାହିଁ ।’’

 

ମାର୍ଗାରେଟ୍‌ ଟିକିଏ ରହିଯାଇ କହିଲା, ‘‘ମୋରି ପାଇଁ ସେମାନେ ତୁମ ଉପରେ ଏଭଳି ଅତ୍ୟାଚାର କରୁଛନ୍ତି । ସେମାନେ ମୋ’ର ଛବିଟାକୁ ନେଇ ନଷ୍ଟ କରିଦେଲେ । ତୁମଠାରୁ ମୋର ଛବି ସିନା ନେଇଗଲେ–ମୋତେ ଛଡ଼ାଇ ନେଇପାରିବେ ନାହିଁ । ମୁଁ ଚିରଦିନ ତୁମର ।’’

 

‘‘ମାର୍ଗାରେଟ୍‌ ! ସତ କହୁଛ ?’’

 

‘‘ନିଶ୍ଚୟ, । ସେମାନେ ତୁମ ପ୍ରତି ନିର୍ଦ୍ଦୟ ହେଲେ ବୋଲି ମୁଁ କଣ ନିର୍ଦ୍ଦୟ ହେବି ? ମୁଁ ବିଭା ହେବାକୁ ମନାକରୁଥିଲି–ସେଥିପାଇଁ ମୋତେ କ୍ଷମା ଦିଅ । ମୁଁ ତୁମକୁ ବିଭା ହେବି । ତୁମେ ଇଚ୍ଛାକଲେ କାଲି ଆମ ଦୁହିଙ୍କର ବିବାହ ହୋଇପାରିବ ।’’

Image

 

ଜେଲ୍‌ଖାନା

 

ପରଦିନ ସକାଳ ଦଶଟା ବେଳକୁ ଜେରାର୍ଡ଼ ଓ ମାର୍ଗାରେଟ୍‌ ସେଭନ୍‍ବର୍ଜନର ଗୀର୍ଜା ଘରେ ଉପସ୍ଥିତ । ଗୋପନରେ ବିବାହ ହେବାର ସ୍ଥିର ହୋଇଥିବାରୁ ଅନ୍ୟ ଲୋକଙ୍କୁ ଜଣାଇ ଦିଆଯାଇ ନ ଥିଲା । କେବଳ ମାର୍ଗାରେଟ୍‌ର ବାପା ପିଟର ଓ ବୃଦ୍ଧ ସୈନିକ ମାର୍ଟିନ ଉପସ୍ଥିତ ଥିଲେ-। ଜେରାର୍ଡ଼ ଓ ମାର୍ଗାରେଟ୍‌ ସ୍ଥିର କରିଥିଲେ ଯେ ବିବାହ ପରେ ମାର୍ଗାରେଟ୍‌ ଇଟାଲିକୁ ଯିବ ନାହିଁ । ସେ ତା ବାପାଙ୍କ ପାଖେ ରହିବ–ଜେରାର୍ଡ଼ ଏକୁଟିଆ ଇଟାଲି ଯିବ ।

 

ପୁରୋହିତ ଆସି ଯେ ଦୁହିଁଙ୍କୁ ବେଦି ପାଖକୁ ଡାକିଲେ । ଜେରାର୍ଡ଼ ଓ ମାର୍ଗାରେଟ୍‌ ହାତ ଧରାଧରି ହୋଇ ଆଗେଇ ଯାଉଛନ୍ତି, ଏହି ସମୟରେ ଶୁଣାଗଲା–‘‘ବିବାହ ବନ୍ଦ କର’’ । ଦୁଇଜଣ ସୈନିକ ଗୀର୍ଜା ଭିତରକୁ ପଶିଯାଇ ଜେରାର୍ଡ଼କୁ ଧରିପକାଇଲେ । ମାର୍ଟିନ ରାଗରେ ଖଣ୍ଡା ବାହାର କଲା । ପୁରୋହିତ କହିଲେ, ‘‘ମାର୍ଟିନ, ଏ କଅଣ କରୁଛ ? ପବିତ୍ର ଗୀର୍ଜାରେ ଖଣ୍ଡା ।’’ ତାହାପରେ ସେ ସୈନିକ ଦୁହିଁଙ୍କୁ କହିଲେ, ‘‘ତୁମେ ଏ ଶୁଭ କାର୍ଯ୍ୟରେ ବାଧା ଦେଉଛ କାହିଁକି ? କଥା କଅଣ-?’’

 

ସୈନିକ ଦୁହେଁ ଉତ୍ତର କଲେ, ‘‘ଆମେ, ହେଉଛୁ ବର୍ଗୋମାଷ୍ଟରଙ୍କ କର୍ମଚାରୀ । ଏହି ଯୁବକ ତାର ବାପାଙ୍କ ଇଚ୍ଛା ବିରୁଦ୍ଧରେ ବିବାହ କରିବାକୁ ଯାଉଥିବାରୁ ସେ ବର୍ଗୋମାଷ୍ଟରଙ୍କୁ ଦରଖାସ୍ତ କରିଛନ୍ତି । ତେଣୁ ନିୟମ ଅନୁସାରେ ଆମେ ତାଙ୍କୁ ଧରିନେବାକୁ ଆସିଛୁ ।’’

 

ପୁରୋହିତ ଜେରାର୍ଡ଼କୁ ପଚାରିଲେ, ‘‘ଏ କଥା କଣ ସତ ?’’

ଜେରାର୍ଡ଼ କୌଣସି ଉତ୍ତର ନ ଦେଇ ମୁହଁ ପୋତିଦେଲା ।

ଜଣେ ସୈନିକ କହିଲା, ‘‘ଆମେ ଏହାକୁ ରଟରଡାମ୍‌ ନେଇଯାଉଛୁ । ସେଠାରେ ଡିଉକ୍‌ ତାର ବିଚାର କରି ଯାହା କରିବେ ।’’

ମାର୍ଗାରେଟ୍‌ ଭୋ ଭୋ କାନ୍ଦିପକାଇଲା । ତାର କାନ୍ଦ ଦେଖି ସୈନିକମାନଙ୍କର କଠିନ ହୃଦୟ ମଧ୍ୟ ତରଳିଗଲା । ଜଣେ ସୈନିକ ମାର୍ଗାରେଟ୍‍ ପାଖକୁ ଲାଗିଯାଇ ତାର କାନପାଖେ ତୁନି ତୁନି କରି କହିଲା, ରଟରଡାମ୍‌କୁ ନେବା କଥା ମିଛ । ଆମେ ତାକୁ ଟର୍ଗାଓର ଜେଲ୍‍ଖାନାକୁ ନେଉଛୁ ।’’ ସୈନିକ ଦୁହେଁ ଜେରାର୍ଡ଼କୁ ଘୋଡ଼ାରେ ବସାଇ ଟର୍ଗାଓକୁ ନେଲେ । ସେଠା ଜେଲ୍‍ଖାନାର ଗୋଟିଏ ଛୋଟ କୋଠରୀରେ ତାକୁ ବନ୍ଦ କରାଗଲା । କୋଠରୀରେ ଗୋଟିଏ ଝରକା ଥିଲା । ଝରକା ମଝିରେ ଗୋଟିଏ ପୁରୁଣା ଲୁହା ଧାରଣା ଥିଲା । ଏହି ଝରକା ବାଟେ କୋଠରୀ ଭିତରକୁ ସାମାନ୍ୟ ଆଲୁଅ ଆସୁଥିଲା । ସେଠାରେ କେବଳ ଗୋଟିଏ ବଡ଼ କାଠସିନ୍ଦୁକ ଛଡ଼ା କିଛି ନଥିଲା ।

ସେ କାଳରେ ଜେଲ୍‍ଖାନାରେ ଯିଏ ରହୁଥିଲା, ସେ ଜୀବନ ଘେନି ଫେରିବାର ଆଶା ନଥିଲା । ସେମାନଙ୍କୁ ଘୋଡ଼ିହେବା ପାଇଁ କିଛି ଦିଆଯାଉ ନଥିଲା । ଖାଇବାକୁ ଯାହା ଦିଆଯାଉଥିଲା ସେଥିରେ ଜଣକର ଜୀବନ ରହିବା ଅସମ୍ଭବ । ବେଳେବେଳେ ଖାଇବା ଜିନିଷରେ ବିଷ ମଧ୍ୟ ଦିଆଯାଉଥିଲା । ବନ୍ଦୀମାନଙ୍କୁ ପଶୁଠାରୁ ହୀନ ବ୍ୟବହାର କରାଯାଉଥିଲା । ଜେରାର୍ଡ଼ ଭାବିଲା, ତାର ମରଣ ନିକଟ । ତାର ବାପା କେବଳ ତାର ଶତ୍ରୁ ନୁହନ୍ତି, ତାଙ୍କଠାରୁ ବଡ଼ ଶତ୍ରୁ ହେଉଛି ବର୍ଗୋମାଷ୍ଟର । ସେ ଭଗବାନଙ୍କୁ ପ୍ରାର୍ଥନା କରି ଛିଡ଼ାହେଲା, ଘରର ଚାରିଆଡ଼କୁ ଚାହିଁଲା-

କିଛି ସମୟ ପରେ ସେ ଡେଇଁପଡ଼ି ଝରକାର ଲୁହା ଧାରଣାକୁ ଧରି ବାହାରକୁ ଚାହିଁଲା-। ମୁହୂର୍ତ୍ତକ ପାଇଁ ସେ ମାର୍ଟିନ୍‌ର ପଛପାଖ ଦେଖି ପାରିଲା । ଜେଲ୍‍ଖାନା ପାଖରେ ଗୋଟିଏ ଛୋଟ ନଈ ବହିଯାଉଥିଲା । ମାର୍ଟିନ୍‌ ସେହି ନଈକୂଳରେ ବସି ମାଛ ଧରୁଥିଲା ।

 

ଜେରାର୍ଡ଼ ବଡ଼ ପାଟିରେ ଡାକିଲା । ମାର୍ଟିନ୍‌ ଟିକିଏ ବୁଲିପଡ଼ି ଇସାରା ଦେଇ ଚାଲିଗଲା-। ଜେରାର୍ଡ଼ ଜାଣିପାରିଲା ଯେ ମାର୍ଟିନ୍‌ ପ୍ରକୃତରେ ମାଛ ଧରିବାକୁ ଆସି ନ ଥିଲା । ତାକୁ ଉଦ୍ଧାର କରିବାର ଚେଷ୍ଟା ହେଉଛି ବୋଲି ଜଣାଇଦେବାକୁ ଆସିଥିଲା । ତା ମନରେ ସାହସ ଆସିଲା । ସେ ଲୁହା ଧାରଣା ଛାଡ଼ିଦେଇ ତଳକୁ ଡେଇଁପଡ଼ିଲା । ମାତ୍ର ସେ ଡେଇଁପଡ଼ିଲା ବେଳକୁ ଲୁହା ଧାରଣଟା କାନ୍ଥରୁ ଛାଡ଼ିଯାଇ କୋଠରୀ ଭିତରେ ପଡ଼ିଲା ।

 

ଠିକ୍‌ ଏତିକିବେଳକୁ ବର୍ଗୋମାଷ୍ଟର କୋଠରୀର ଦ୍ୱାରା ଖୋଲି ଭିତରକୁ ଆସିଲେ । ଲୁହା ଧାରଣାଟି ଖସିପଡ଼ିଥବାର ସେ ଦେଖିଲେ, କିନ୍ତୁ ସେ ବିଷୟରେ କିଛି କହିଲେ ନାହିଁ । ସେ ଜାଣନ୍ତି, ବାହାରପଟେ ଝରକାଟିର ଶହେଫୁଟ ତଳେ ଭୂମି । ଯଦି ଜେରାର୍ଡ଼ ପଳାଇବା ପାଇଁ ଝରକାବାଟେ ଡେଇଁପଡ଼େ ତେବେ ତାଙ୍କର ଆପତ୍ତିର କାରଣ ନଥିଲା ।

 

ସେ ଖଣ୍ଡିଏ ଶୁଖିଲା ରୁଟି ଓ ଗିଲାସେ ପାଣି ଆଣି ଆସିଥିଲେ । ସେ ତାହାକୁ ସିନ୍ଦୁକ ଉପରେ ଥୋଇଦେଇ କହିଲେ, ‘‘ଜେରାର୍ଡ଼, ତୁ ଯେତେବେଳ ଯାଏ ମାର୍ଗାରେଟ୍‌କୁ ଛାଡ଼ି ଧର୍ମଯାଜକ ହେବାକୁ ରାଜି ନ ହେବୁ, ତୋତେ ଏହିପରି ବନ୍ଦୀକରି ରଖାଯିବ–ଏଇ ମୋର ହୁକୁମ-।’’

 

ମୁଁ ବରଂ ମରିବି, କିନ୍ତୁ ତା କରି ପାରିବି ନାହିଁ ।’’

 

‘‘ବେଶ୍‌, ଏଇ ବନ୍ଦୀଶାଳରେ ପଡ଼ିଥା’’ ଏହା କହି ବର୍ଗୋମାଷ୍ଟର ଦ୍ୱାର ବନ୍ଦ କରି ଚାଲିଗଲେ ।

 

ଏଣେ ମାର୍ଟିନ୍‍ ସେଭେନ୍‌ବର୍ଜନକୁ ଚାଲିଗଲା । ସେତେବେଳକୁ ମାର୍ଗାରେଟ୍‌ ବର୍ଗୋମାଷ୍ଟରଙ୍କ ଅତ୍ୟାଚାର ବିଷୟ ଜଣାଇ ଲେଡ଼ି ଚାର୍ଲୋରାଇସଙ୍କ ସାହାଯ୍ୟ ପ୍ରାର୍ଥନା କରି ଖଣ୍ଡିଏ ଚିଠି ଲେଖୁଥିଲା । ମାର୍ଟିନ୍‍ ପହଞ୍ଚିଲାକ୍ଷଣି କହିଲା, ‘‘ମାର୍ଗାରେଟ୍‌, ମୁଁ ଜେରାର୍ଡ଼କୁ ଦେଖିଆସିଛି । ସେ ଜେଲ୍‍ଖାନାର ସବା ଉପର ମହଲାର ଗୋଟିଏ କୋଠରୀରେ ଅଛି ।’’ ସେ କିପରି ଜେରାର୍ଡ଼କୁ ଦେଖିଲା ତାହା ବର୍ଣ୍ଣନା କରିଗଲା । ମାର୍ଗାରେଟ୍‌ କାନ୍ଦ କାନ୍ଦ ହୋଇ କହିଲା–ଆମେ ତାଙ୍କୁ ଉଦ୍ଧାର କରିବୁ ବୋଲି ତାଙ୍କର ଆଶା ଥିବ । ଆମେ କଅଣ କରିପାରିବା, ମାର୍ଟିନ୍‌ ।

 

ପିଟର ଏତେବେଳଯାଏ ଚୁପ୍‌ କରି ବସି ମାର୍ଗାରେଟ୍‌ ଓ ମାର୍ଟିନ୍‍ର କଥାବର୍ତ୍ତା ଶୁଣୁଥିଲେ-। ସେ କହିଲେ ‘‘ବୁଦ୍ଧି ଥିଲେ ଉପାୟ ମିଳିବ ।’’

 

ମାର୍ଗାରେଟ୍‍–ବାପା, ତୁମ ବୁଦ୍ଧି ଏଠାରେ କାମ ଦେଲାପରି ମନେ ହେଉନାହିଁ ।

ପିଟର–ତୁ ଜାଣିଲୁ କିପରି ? ମନୁଷ୍ୟର ବୁଦ୍ଧି ଲୁହା ଧାରଣାଠାରୁ ଆହୁରି ଟାଣ ।

 

ମାର୍ଗାରେଟ୍–ତା ହୋଇପାରେ; କିନ୍ତୁ ପ୍ରକୃତି ମନୁଷ୍ୟର ବୁଦ୍ଧିଠାରୁ ବଡ଼ । ପ୍ରକୃତି ଆମ ବିରୁଦ୍ଧରେ ଅଛି । ଝରକାଟା ଶହେ ଫୁଟ ଉଚ୍ଚରେ । ସେଠାକୁ ଯିବାପାଇଁ ଏତେ ଲମ୍ୱ ନିଶୁଣୀ କାହୁଁ ମିଳିବ ?

 

ପିଟର–ନିଶୁଣୀ ଆଦୌ ଦରକାର ନାହିଁ । ଏଇ ମାର୍ଟିନ୍‌ ଯେପରି ଧନୁଶର ଧରିଛି ସେହିପରି ଧନୁଶର ଓ ଆଉ କେତୋଟି ସାମାନ୍ୟ ଜିନିଷ ହେଲେ ହେଲା ।

 

ମାର୍ଟିନ୍‌ ନିଜର ଧନୁଶରକୁ ଅନେକ ବେଳ ଯାଏ ଚାହିଁଲା; କିନ୍ତୁ କିପରି ଏହାଦ୍ୱାରା ଏଭଳି ଅସାଧ୍ୟ ସାଧନ ପାରିବ ଭାବି ପାରିଲା ନାହିଁ । ପିଟର ଉପାୟ ବତାଇଦେଲେ । ଏଡ଼େ ସହଜ ଉପାୟ ମାର୍ଗାରେଟ୍‌ ବା ମାର୍ଟିନ୍‌ କାହାରି ମୁଣ୍ଡରେ ପଶିପାରି ନ ଥିଲା ଭାବି ସେ ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ ।

 

ରାତି ନଅଟା ହେବ । ଉଜ୍ଜ୍ୱଳ ଚନ୍ଦ୍ରକିରଣ ପଡ଼ିଥାଏ । ଜେରାର୍ଡ଼ର ବାପା ଇଲିଆସ୍‌ ବାହାରକୁ ଯାଇଥିଲେ । ଘରର ଆଉ ସମସ୍ତେ ଶୋଇଥିଲେ । ଜାଇଲସ୍‌ର ବିଛଣା ପାଖରେ ଗୋଟିଏ ମୂର୍ତ୍ତି ଦେଖାଗଲା । ସେ ଚମକି ପଡ଼ିଲା । ମୂର୍ତ୍ତିଟି କହିଲା, ‘‘ଡରିଗଲୁ କି ? ମୁଁ କେଟ୍‌ । ଚୁପ୍‌ ଚୁପ୍‌ କରି କଥା କହ । କର୍ଣ୍ଣେଲିସ ଓ ଶିବ୍ରାଣ୍ଟ ଯେପରି ଆମ କଥାବାର୍ତ୍ତା ଶୁଣି ନପାରନ୍ତି । ମୁଁ ଆଜି ଶୁଣିଲି ବାପାଙ୍କ ଅନୁରୋଧରେ ବର୍ଗୋମାଷ୍ଟର ଆମ ଜେରାର୍ଡ଼କୁ ଜେଲ୍‌ଖାନାରେ ବନ୍ଦୀ କରିଛି-। ଚାଲ, ଆମେ ଦୁହେଁ ଯାଇ ତାକୁ ଟିକିଏ ସାନ୍ତ୍ୱନା ଦେବା । ମୁଁ ଏକୁଟିଆ ଯାଇଥାନ୍ତି, କିନ୍ତୁ ଭୂତ ଥିବ ବୋଲି ମୋତେ ଡର ମାଡ଼ୁଛି । ତୁ ସାଥିରେ ଥିଲେ ଭୂତଭୟ ହେବ ନାହିଁ ।’’

 

ଜାଇଲସ୍‌ କହିଲା, ‘‘ଟର୍ଗାଓରେ ଭୂତ ଅଛନ୍ତି ବୋଲି ମୋର ବିଶ୍ୱାସ ନାହିଁ । ମୁଁ କେବେ ଭୂତ ଦେଖି ନାହିଁ ।’’

 

ଜାଇଲସ୍‍ ଓ କେଟ୍‌ ଧୀରେ କବାଟ ଖୋଲି ବାହାରିପଡ଼ିଲେ । କେଟ୍‌ର ପରାମର୍ଶରେ ଜାଇଲସ୍‌ ଗୋଟିଏ ଲଣ୍ଠନ ଧରିଲା । ଜହ୍ନ ଆଲୁଆରେ ଲଣ୍ଠନ ନେବା ଦରକାର ନାହିଁ ବୋଲି ଜାଇଲସ୍‌ କହିବାରୁ କେଟ୍‌ ଉତ୍ତର ଦେଲା, ‘‘ଭୂତମାନେ ଜହ୍ନ ଆଲୁଅକୁ ଡରନ୍ତି ନାହିଁ–ଲଣ୍ଠନକୁ ସେମାନଙ୍କର ଭୟ ।’’

Image

 

ଉଦ୍ଧାର

 

ଜେଲ୍‍ଖାନାର କୋଠରୀ ଦିନ ବେଳେ ମଧ୍ୟ ଅନ୍ଧାରୁଆ । ସନ୍ଧ୍ୟାପରେ ତାହା ଆହୁରି ବେଶି ଅନ୍ଧାରୁଆ ମନେ ହେଲା । ତାହା ସଙ୍ଗେ ଜେରାର୍ଡ଼ର ଉଦ୍ଧାର ପାଇବା ଆଶା ମଧ୍ୟ କ୍ଷୀଣତର ହୋଇଆସିଲା । ସେଥିରେ ପୁଣି ସେ ଦିନଯାକ ନ ଖାଇ ନ ପିଇ ରହିଥିବାରୁ ସେ ବଡ଼ ଦୁର୍ବଳ ଅନୁଭବ କରୁଥିଲା । ତାର ଆଶଙ୍କା ହୋଇଥିଲେ ଯେ ବର୍ଗୋମାଷ୍ଟର ଯେଉଁ ରୁଟି ଓ ପାଣି ଦେଇ ଯାଇଥିଲା । ସେଥିରେ ବିଷ ମିଶାଇଥିବ । ନିରାଶ ହୋଇ ସେ ସିନ୍ଧୁକ ଉପରେ ବସିଗଲା ।

 

ହଠାତ୍‌ କଅଣ ଗୋଟାଏ କାନ୍ଥରେ ବାଜି ତା ପାଦ ପାଖରେ ପଡ଼ିଗଲା । ସେ ଦେଖିଲା, ଏଇଟି ଗୋଟିଏ ଶର । ସେ ଶରଟିକୁ ଧରି ପରୀକ୍ଷା କଲା । ଦେଖେ ତ ଶରର ଆଗରେ ଖଣ୍ଡିଏ ରେଶମ ସୂତା ବନ୍ଧା ହୋଇଛି ଓ ଶର ଉପରେ ଲେଖାଯାଇଛି । ‘‘ବନ୍ଧୁ, ଏହି ରେଶମ ସୂତାର ଗୋଟିଏ ମୁଣ୍ଡରେ ତୁମ ଛୁରିଟି ବାନ୍ଧି ତଳକୁ ପକାଇଦିଅ । ସୂତାର ଆରମୁଣ୍ଡଟି ସାବଧାନରେ ଧରିଥିବ । ଶହେ ଗଣିବା ପରେ ପୁଣି ସୂତାଟିକୁ ଟାଣିବ ।’’

 

ଜେରାର୍ଡ଼ ବୁଝିପାରିଲା, ତାର ବନ୍ଧୁମାନେ ତାକୁ ଉଦ୍ଧାର କରିବାପାଇଁ ଗୋଟାଏ କୌଶଳ କରିଛନ୍ତି । ସେ ସିନ୍ଦୁକଟିକୁ ଝରକା ତଳକୁ ଟାଣି ନେଇ ତା ଉପରେ ଛିଡ଼ାହେଲା । ଝରକା ବାହାର ପାଖେ କେତେ ଜଣ ଲୋକ ଦେଖାଗଲେ । ସେ ଅତି ଶୀଘ୍ର ରେଶମ ସୂତାର ଗୋଟିଏ ମୁଣ୍ଡରେ ତାର ଛୁରି ବାନ୍ଧିଦେଲା ଓ ଆର ମୁଣ୍ଡଟି ଧରି ଛୁରିଟିକୁ ତଳକୁ ଛାଡ଼ି ଦେଲା । ଶହେ ଗଣିସାରି ସେ ସୂତାକୁ ଟାଣିଲା । କେତେ ଗଜ ରେଶମ ସୂତା ପରେ ଗୋଟିଏ ଗଣ୍ଠି ପଡ଼ିଲା । ଏହାଦ୍ୱାରା ଗୋଟିଏ ମୋଟ ଦଉଡ଼ି ବନ୍ଧା ହୋଇଥିଲା । ସେ ମୋଟ ଦଉଡ଼ିକୁ ଟାଣିଲା । କିଛି ସମୟର ପରେ ଆଉ ଗୋଟିଏ ଗଣ୍ଠି ଦେଖାଗଲା । ଏଠାରେ ଗୋଟିଏ ଆହୁରି ମୋଟା ଦଉଡ଼ି ବନ୍ଧା ହୋଇଥିଲା । ଏବେ ଜେରାର୍ଡ଼ ସ୍ପଷ୍ଟ ଜାଣିପାରିଲା, ଏହି ମୋଟ ଦଉଡ଼ି ଦ୍ୱାରା ସେ ତଳକୁ ଓହ୍ଲାଇ ଯିବ । ଦଉଡ଼ିଟି ତାର ଓଜନ ସହିବା ବିଷୟରେ ତାର ସନ୍ଦେହ ନ ଥିଲା ।

 

ମୋଟ ଦଉଡ଼ିର ଗୋଟିଏ ମୁଣ୍ଡକୁ ଆଣି ସେ ସିନ୍ଦୁକର ଚାରିପାଖେ ଗୁଡ଼ାଇ ବାନ୍ଧିଦେଲା-। ସିନ୍ଦୁକର ଜୋର ଜାଣିବାପାଇଁ ସେ ଦୁଇ ତିନି ଥର ତା ଉପରେ ଡେଇଁଲା । ହଠାତ୍‌ ସିନ୍ଦୁକର ଗୋଟାଏ ପାଖ ଖୋଲିଗଲା ଓ ସେଥିରୁ ଗୁଡ଼ାଏ କାଗଜ ବାହାରି ପଡ଼ିଲା । କାଳେ ସିନ୍ଦୁକ ମଜଭୁତ୍‍ ହୋଇ ନ ଥିବ ବୋଲି ସେ ଝରକାର ଲୁହାଧାରଣାଟିକୁ ସେଥିରେ ବାନ୍ଧିଦେଲା ।

 

ଟିକିଏ ବିଶ୍ରାମ ନେଇ ସେ ଝରକା ଉପରକୁ ଉଠିଗଲା । ତାର ଦେହର ଅଧେ ଝରକାର ଭିତର ପାଖକୁ ଓ ଆଉ ଅଧେ ବାହାର ପାଖକୁ ଥାଏ । ଭଗବାନଙ୍କୁ ସ୍ମରଣ କରି ସେ ଦଉଡ଼ିକୁ ଧରି ଓହଳି ପଡ଼ିଲା । ତଳୁ ସାହଯ୍ୟକାରୀମାନେ ଆନନ୍ଦରେ ଚିତ୍କାର କଲେ । ହାତ, ଆଣ୍ଠୁ, ଓ ପାଦ ସାହାଯ୍ୟରେ ସେ ଧୀରେ ଧୀରେ ତଳକୁ ଖସିଲା । ଖସିଲାବେଳେ ସ୍ଥାନେ ସ୍ଥାନେ କାନ୍ଥରେ ଦେହ ବାଜୁଥାଏ । ତଳେ ଲୋକମାନେ ଖୁବ୍‍ ଛୋଟ ଦିଶୁଥାନ୍ତି । ଜେରାର୍ଡ଼ର ମୁଣ୍ଡ ଭ୍ରମି ଯାଉଥାଏ । ତଳକୁ ଚାହିଁଲେ ତାର ଭୟ ହେଉଥାଏ ।

 

କିଛି ସମୟରେ ପରେ ସେ ଝରକାଠାରୁ ଅନେକ ଦୂର ଆସିଗଲା । ତଳେ ମାର୍ଗାରେଟ୍‌ ଓ ମାର୍ଟିନଙ୍କୁ ସେ ଚିହ୍ନି ପାରିଲା । ସେ ଦୁହେଁ ପାଟିକଲେ, ‘‘ଜେରାର୍ଡ଼, ସାବଧାନରେ ଓହ୍ଲାଅ । ତଳକୁ ଅନାଅ ନାହିଁ ।’’

 

ଆଉ କିଛି ସମୟର ପରେ ଜେରାର୍ଡ଼ର ପାଦକୁ ମାର୍ଗାରେଟ୍‌ ଓ ମାର୍ଟିନ‌୍‍ ଧରିପକାଇଲେ-

 

ଜେଲ୍‍ଖାନାର କାନ୍ଥ ଛାଇରେ ସମସ୍ତେ ଚାଲିବାକୁ ଲାଗିଲେ । କିଛି ଦୂର ଯିବା ପରେ ଜେଲ୍‌ଖାନରେ ଗୋଟିଏ କୋଣରୁ ହଠାତ୍‌ ଆଲୁଅ ଦେଖାଗଲା ଓ କେତେଜଣ ଲୋକଙ୍କର ଫୁସ୍‌ଫୁସ୍‌ କଥାବାର୍ତ୍ତା ସଙ୍ଗେ ପାଦ ଶବ୍ଦ ଶୁଣାଗଲା । ମାର୍ଟିନ୍‍‌ କହିଲା, ‘‘ପଛକୁ ଘୁଞ୍ଚିଯାଇ ଛାଇରେ ରହିଯାଅ ।’’ ଆଲୁଅଟା ସେମାନଙ୍କର ନିକଟ ହୋଇଗଲା । ସେମାନଙ୍କ ପଛରେ ଲୋକ ଲାଗିଛନ୍ତି, ଏଥିରେ ସନ୍ଦେହ ରହିଲା ନାହିଁ । ମାର୍ଟିନ୍‌ କହିଲା ‘‘ଭୟ ନାହିଁ । ମୋ ଧନୁ ଶର ଅଛି । ପାଞ୍ଚ ଛଅ ଜଣଙ୍କୁ ନ ମାରି ଛାଡ଼ିବି ନାହିଁ ।’’ ଏହା କହି ସେ ଧନୁରେ ଗୋଟିଏ ଶର ଖଞ୍ଜିଲା ଓ ସାଥୀମାନଙ୍କୁ ଚୁପ୍‌ ରହିବା ପାଇଁ ସଙ୍କେତ ଦେଲା । ଜେରାର୍ଡ଼ ଓ ମାର୍ଗାରେଟ୍‌ ଭୟରେ ତଟସ୍ଥ ହୋଇଗଲେ ।

 

ମାର୍ଟିନ୍‌ ଗୁଣ ଟାଣି ଶର ମାରିବାକୁ ପ୍ରସ୍ତୁତ । କିନ୍ତୁ ସେ କଅଣ ଦେଖିଲା କେଜାଣି ତାର ହାତ ଥରିଗଲା । ଶରଟା ତଳେ ଖସିପଡ଼ିଲା । ସେ ଜେରାର୍ଡ଼ର କାନ୍ଧରେ ଭରା ଦେଇ କହିଲା, ‘‘ଭୂତ ଭୂତ ! ମଣିଷ ହୋଇଥିଲେ ସିନା ଶର ମାରିଥାନ୍ତି; ଭୂତ ସାଙ୍ଗରେ ଲଢ଼େଇ ଅସମ୍ଭବ ।’’

 

ମାର୍ଟିନ୍‌ର ଦେହ ଥରୁଥିଲା । ତାର କଥା ଶୁଣି ଜେରାର୍ଡ଼ ଓ ମାର୍ଗାରେଟ୍‌ ମଧ୍ୟ ଭୟରେ ଥରିଲେ । ମାର୍ଟିନ୍‌ କହିଲା, ‘‘ଚାହିଁଲ, ସେ କାନ୍ଥ ଉପରକୁ ଆଲୁଅ ଧରି କିଏ ଚଢ଼ୁଛି ? ତୋ ମୁଣ୍ଡ ନିଆଁ ପରି ଜଳୁଛି । ମଣିଷ କଅଣ ଏପରି କାନ୍ଥ ଉପରକୁ ଉଠିପାରେ ? ନିଶ୍ଚୟ ଏ ଭୂତର କାମ ।’’

 

ଜେରାର୍ଡ଼ ଭାବିଲା, ବର୍ଗୋମାଷ୍ଟର ମୋର ପ୍ରଧାନ ଶତ୍ରୁ । ମୁଁ ଜେଲ୍‌ଖାନାରୁ ବାହାରି ଆସିଲିଣି ବୋଲି ସେ ଜାଣି ନ ଥିବ । ତେଣୁ ମୋତେ ମାରିବା ପାଇଁ କାହାକୁ ପଠାଇଥିବ ।

 

ଜେରାର୍ଡ଼ ପୂର୍ବ କୋଠରୀ ସିଧା ଆସିଲା ବେଳକୁ ଦେଖେ ତା ପାଖରେ ମାର୍ଗାରେଟ୍‌ । ଦୁହେଁ ଉପରକୁ ଚାହିଁଲେ । ଯାହା ଦେଖିଲେ ସେଥିରୁ ସେମାନଙ୍କର ଧାରଣା ହେଲା, ପ୍ରାୟ ଚାରି ଫୁଟ ଲମ୍ୱର ଗୋଟାଏ କାଳିଆ ଜନ୍ତୁ କାନ୍ଥ ଉପରକୁ ଉଠୁଛି । ତାର ମୁଣ୍ଡଟା ନିଆଁ ପରି ଜଳୁଛି । ତଳେ କାନ୍ଥକୁ ଲାଗି ଗୋଟାଏ ଧଳା ଛାୟାମୂର୍ତ୍ତି ଛିଡ଼ାହୋଇଛି । ଜେରାର୍ଡ଼ ଓ ମାର୍ଗାରେଟ୍‌ ଭୟ ଓ ବିସ୍ମୟରେ ସ୍ତମ୍ଭୀଭୂତ ହୋଇଗଲେ ।

 

ଜେରାର୍ଡ଼ କହିଲା, ‘‘ଏ ଜୀବଟା ଦଉଡ଼ି ଧରି କାନ୍ଥ ପାଖେ ପାଖେ ଉପରକୁ ଉଠୁଛି । ଚାହୁଁ ଚାହୁଁ ସେ ବିଚିତ୍ର ଜୀବ ଜେରାର୍ଡ଼ ଯେଉଁ କୋଠରୀରେ ବନ୍ଦୀ ଥିଲା ତାହା ଭିତରକୁ ଝରକାବାଟେ ପଶିଗଲା । ଧଳା ମୂର୍ତ୍ତିଟି ପୂର୍ବପରି ତଳେ ଛିଡ଼ା ହୋଇଥାଏ । ମାର୍ଗାରେଟ୍‌ କିଛି ସମୟ ବିସ୍ମୟରେ ଛିଡ଼ାହୋଇ ହଠାତ୍‌ ସେହି ଧଳାମୂର୍ତ୍ତି ଆଡ଼କୁ ଦଉଡ଼ିଗଲା । ଏହି ସମୟରେ ଧଳାମୂର୍ତ୍ତିଟି ଚିତ୍କାର କରି ମାର୍ଗାରେଟ୍‌ର ପାଦତଳେ ପଡ଼ିଗଲା । ଏବେ ଜଣାପଡ଼ିଲା ଯେ ଏହି ମୂର୍ତ୍ତିଟି ହେଉଛି କେଟ୍‌–ଯିଏ ଜେଲ୍‍ଖାନା କୋଠରୀରେ ପଶିଥିଲା ଯେ ହେଉଛି ଜାଇଲସ୍‌ । ଜାଇଲସ୍‌ ନିଶ୍ଚିତରୂପେ ଜାଣିପାରିଲା ଯେ ଏହି ଦଉଡ଼ି ସାହାଯ୍ୟରେ ଜେରାର୍ଡ଼ ବନ୍ଦୀଶାଳାରୁ ଖସିଯାଇଛି । ଜେରାର୍ଡ଼ ଆସି ମାର୍ଗାରେଟ୍‌ ଓ କେଟ୍‌କୁ ଦେଖି ଅତ୍ୟନ୍ତ ଆନନ୍ଦିତ ହେଲା ।

 

ଜାଇଲସ୍‌ କୋଠରୀ ଭିତରେ କାଗଜଗୁଡ଼ିକ ଦେଖି ଆନନ୍ଦରେ ଚିତ୍କାର କରିଉଠିଲା । ସେ ସେଗୁଡ଼ିକ ତଳକୁ ଫିଙ୍ଗିବାକୁ ଲାଗିଲା । ମାର୍ଗାରେଟ୍‌, କେଟ୍‌ ଓ ଜେରାର୍ଡ଼ ସେଗୁଡ଼ିକ ଗୋଟେଇବାରେ ଲାଗିଲେ । ଶେଷରେ ଜାଇଲସ୍‌ ଦଉଡ଼ି ଧରି ତଳକୁ ଓହ୍ଲାଇପଡ଼ିଲା । ଓହ୍ଲାଇବା ପାଇଁ ତାକୁ ମୁହୂର୍ତ୍ତେ ଲାଗିଲା ନାହିଁ ।

 

ତଳକୁ ଆସିଲାକ୍ଷଣି ସେ ଜେରାର୍ଡ଼କୁ କହିଲା, ‘‘ଏ କାଗଜ ପାଇଁ ମୋତେ କେତେ ଟଙ୍କା ଦେବୁ ?’’

ଜେରାର୍ଡ଼ କହିଲା, ‘‘ଏବେ ପାଟି କରନା । କାଗଜଯାକ ଘେନି ଏଠାରୁ କୌଣସି ନିରାପଦ ସ୍ଥାନକୁ ପଳାଇବା ଦରକାର ।’’

କେଟ୍‌ ପଚାରିଲା, ‘‘ଜେରାର୍ଡ଼, ଆମ ସାଥିରେ ଘରକୁ ଯିବୁ ନାହିଁ ?’’

‘‘ମୋର ଘର ନାହିଁ ।’’

‘‘କାହିଁକି ? ତୋ ବାପାଙ୍କ ଘର କଅଣ ତୋର ଘର ନୁହେଁ ? ’’

‘‘ମୋର ବାପା ନାହାନ୍ତି । ଯିଏ ବାପା ଥିଲେ ସେ ବର୍ଗୋମାଷ୍ଟରଙ୍କୁ କହି ମୋତେ ଜେଲ୍‍ଖାନାରେ ପକାଇଥିଲେ । ଆଜି ରାତିରେ ମୋର ଜନ୍ମଭୂମିରୁ ବିଦାୟ ନେଇ ଯାଉଛି ।’’

କେଟ୍‌–ଜେରାର୍ଡ଼ ! ତୋ’ଠାରୁ ବିଦାୟ ନେବା କଥା ଭାବିଲାକ୍ଷଣି ମୋର ଛାତି ଫାଟିଯାଉଛି ।

ଜାଇଲସ୍‌ ବିଡ଼ାଏ କାଗଜ ଜେରାର୍ଡ଼ ହାତକୁ ବଢ଼ାଇଦେଲା । ମାର୍ଗାରେଟ୍‌ କହିଲା, ‘‘ଏଗୁଡ଼ାକ ଆମର ନୁହେଁ–ପର ଜିନିଷ ନେବା କାହିଁକି ?’’

ଜେରାର୍ଡ଼–ଆମର ନୁହେଁ, ଆମ ଶତ୍ରୁର–ତେଣୁ ଏଗୁଡ଼ିକ ନେବାରେ ଆଦୌ ଦୋଷ ନାହିଁ । ସୁବିଧା ମିଳଲେ ମୁଁ ତା’ର ଜୀବନ ନିଅନ୍ତି । ଯେତେବେଳେ ତା’ ଜୀବନ ନେଇପାରୁ ନାହିଁ ସେତେବେଳେ ଅନ୍ତତଃ ତା’ର କାଗଜତକ ନେଇଥାଏଁ ।’’

ଜେରାର୍ଡ଼ ଜାଇଲସ୍‍କୁ କିଛି ଟଙ୍କା ଦେଲା । ଜାଇଲସ୍‌ ଆନନ୍ଦରେ କେଟ୍‌ ସାଥିରେ ଘରକୁ ଗଲା । ମାର୍ଟିନ୍‌, ଜେରାର୍ଡ଼ ଓ ମାର୍ଗାରେଟ୍‌–ସେଭେନ୍‌ବର୍ଜନକୁ ଚାଲିଲେ ।

Image

 

ପଳାୟନ

 

ବର୍ଗୋମାଷ୍ଟର ଘିସବ୍ରେକ୍‌ଟ ଜେରାର୍ଡ଼ ବନ୍ଦୀ ଥିବା କୋଠରୀର ଚାବି ନିଜ ପାଖରେ ରଖିଥିଲେ । ପରଦିନ ସକାଳ ଦଶଟା ଯାଏ ସେ ବନ୍ଦୀଶାଳକୁ ଯାଇ ନ ଥିଲେ । ବେଶୀ ବେଳ ପର୍ଯ୍ୟନ୍ତ ଭୋକ ଉପାସରେ ପଡ଼ିଲେ ଜେରାର୍ଡ଼ର ମନୋବଳ ତୁଟିଯିବ ବୋଲି ତାଙ୍କର ଧାରଣା ଥିଲା । ଦଶଟା ପରେ ସେ ଖଣ୍ଡିଏ ରୁଟି ଓ କିଛି ପାଣି ଘେନି ଜଣେ ଚାକର ସହିତ ଧୀରେ ଧୀରେ ଜେଲ୍‌ଖାନା ପାହାଚରେ ଉଠିଲେ । ଜେରାର୍ଡ଼ର କୋଠରୀର ଦ୍ୱାର ପାଖରେ ରହି ସେ କାନେଇଲେ, କିନ୍ତୁ ଭିତରୁ କୌଣସି ଶବ୍ଦ ଶୁଣାଗଲା ନାହିଁ । ସେ ଭାବିଲେ, ଏ ଭିତରେ ପୁଅର ମନ ଜାଣି ଯିବଣି-। ସେ ଚାବି ନେଇ ଘର ଫିଟାଇଲେ ।

 

କୋଠରୀ ଭିତରେ ଜେରାର୍ଡ଼କୁ ଦେଖି ନ ପାରି ସେ ବିସ୍ମୟରେ ସ୍ତବ୍‍ଧ ହୋଇଗଲେ । କିଛି ସମୟ ଛିଡ଼ା ହୋଇ ରହି ସେ କ୍ରୋଧରେ ଥରିବାକୁ ଲାଗିଲେ ଓ ଆଣ୍ଠେଇ ପଡ଼ି ସିନ୍ଦୁକ ଭିତରେ ଅଣ୍ଡାଳିବାକୁ ଲାଗିଲେ । ଚାକରଟି ଏଥିର କାରଣ ବୁଝିପାରିଲା ନାହିଁ । ସେ ପଚାରିଲା, ‘‘ହଜୁର, ଘଟଣା କଅଣ’’ କିନ୍ତୁ ତାଙ୍କ ତୁଣ୍ଡରୁ କିଛି କଥା ବାହାରିଲା ନାହିଁ । ଚାକର ପୁଣି କହିଲା, ‘‘ହଜୁର, ସେ ସିନ୍ଦୁକ ଖୋଜିଲେ ଲାଭ କଅଣ ? ଜେରାର୍ଡ଼ ସିନ୍ଦୁକ ଭିତରେ ଲୁଚି ନାହିଁ । ଦେଖୁନାହାନ୍ତି, ସେ ଝରକା ଦେଇ ପଳାଇଯାଇଛି ।’’

 

ବର୍ଗୋମାଷ୍ଟର ମୁହୂର୍ତ୍ତକ ପରେ ନିଜର କର୍ତ୍ତବ୍ୟ ସ୍ଥିର କରିପକାଇଲେ । ସେ ଚାକରକୁ ହଲାଇ ଦେଇ କହିଲେ, ‘‘ଆରେ ବୋକା, ଚାହିଁଛୁ କଅଣ ? ଚୋର ମୋର ସବୁ ଜିନିଷ ନେଇ ପଳାଇଛି, ଦଉଡ଼, ତାକୁ ଧରି ମୋ ଜିନିଷ ନେଇଆ–ଶହେ ମୋହର ବକ୍‌ସିସ୍‌ ଦେବି । ଓଃ, ଆଉ କଣ ସତେ ମିଳିବ ? ସର୍ବନାଶ ହେଲା ?’’

 

‘‘ହଜୁର, କଅଣ ସର୍ବନାଶ ହେଲା ?’’

 

‘‘ଘର ଗଲା, ଜମି ଗଲା, ମୋର ସୁନାମ ଗଲା । ଆଉ କଅଣ ରହିଲା ? ସର୍ବନାଶ ନୁହେଁ ତ ଆଉ କଅଣ ?’’

 

‘‘ଘର ଜମି ଗଲା କିପରି ?’’

‘‘ଆରେ ବୋକା, ସହରର କାଗଜପତ୍ର ଏଇ ସିନ୍ଦୁକରେ ଥିଲା ।’’

‘‘ଖାଲି କାଗଜ । ଟଙ୍କା ପଇସା ନ ଥିଲା ତ !’’

 

‘‘ଆରେ ବୁଡ଼୍‍ବକ୍‌, ତୁ କଅଣ ବୁଝିବୁ ? ସହରର ଲୋକେ ମୋତେ କଅଣ କହିବେ ? ସହରର କାମ ଚଳିବ କିପରି ? ତୁ ଯାଆ, କହିଦେ, ଯିଏ ଜେରାର୍ଡ଼କୁ ଧରି କାଗଜପତ୍ର ଆଣିଦେବ, ତାକୁ ଶହେ ମୋହର ପୁରସ୍କାର ମିଳିବ । ମନେରଖିଥା, ସବୁ କାଗଜ ଦେଲେ ପୁରସ୍କାର ମିଳିବ । ଖଣ୍ଡେ କାଗଜ ଊଣା ଥିଲେ କିଛି ମିଳବ ନାହିଁ ।’’

 

‘‘ହଜୁର, ମୁଁ ଯାଉଛି, ସହରର ପହରାବାଲାଙ୍କୁ ନେଇ ଜେରାର୍ଡ଼ର ଘରକୁ ଯିବି । ଚୋରି ଅଭିଯୋଗରେ ତାକୁ ଗିରଫ କରି ଆଣିବା ।’’

 

‘‘ହଁ, ଠିକ୍‌ କଥା । ସେ ଚୋରି କରିଛି । ତାକୁ ଗିରଫ କରିନେଇ ଆସ ।’’

 

ଅଧଘଣ୍ଟା ଭିତରେ ଡେରିକ୍‌ ଓ ଚାରିଜଣ ପହରାବାଲା ଯାଇ ଇଲିଆସ୍‌ର ଘରେ ପହଞ୍ଚିଲେ । ସଙ୍ଗେ ସଙ୍ଗେ ହୁକୁମ୍‌ ଦେଲେ, ‘‘ଜେରାର୍ଡ଼କୁ ଦିଅ । ଆମେ ତାକୁ ନେବାକୁ ଆସିଛୁ ।’’

ଜେରାର୍ଡ଼ର ମାଆ କାଥେରିନ୍‌ ଭୟରେ ପଚାରିଲେ, ‘‘ମୋ ପୁଅ କି ଦୋଷ କରିଛି ? ସେ ଘରେ ନାହିଁ ।’’

ଡେରିକ୍‌ କହିଲା, ‘‘ମାଉସି, ତମ ପୁଅ କଅଣ ଗୁଡ଼ାଏ କାଗଜ ନେଇ ଆସିଛି । ସେ କାଗଜ ବର୍ଗୋମାଷ୍ଟରଙ୍କ ଜିମାରେ ଥିଲା । ସେ କାଗଜ ପାଇଁ ବର୍ଗୋମାଷ୍ଟର ବ୍ୟସ୍ତ ହେଉଛନ୍ତି । କାଗଜତକ ଦେଇପକାଇଲେ ତୁମ ପୁଅର କିଛି ହେବ ନାହିଁ ।’’

କେଟ୍‌ ଜାଣିପାରିଲା ଯେ ବର୍ଗୋମାଷ୍ଟରର ଉଦ୍ଦେଶ୍ୟ ଭଲ ନୁହେଁ । ସେ ଜେରାର୍ଡ଼ର ସର୍ବାନଶ କରିବାରେ ଲାଗିଛି । କେଟ୍‍ ଡେରିକ୍‌କୁ ଏକୁଟିଆ ଡାକିନେଇ କହିଲା, ‘‘ମାଆ କିଛି ଜାଣନ୍ତି ନାହିଁ । କାଲି ରାତିରେ ଜେରାର୍ଡ଼ ‘ମୋ’ଠାରୁ ବିଦାୟ ନେଇ ସହର ଛାଡ଼ି ଚାଲିଯାଇଛି । କାଗଜଗୁଡ଼ାକ କଅଣ ସେ ନେଇଯାଇଥିବ ? ନଈକୂଳରେ କି କେଉଁଠି ଖାତରେ ଫିଙ୍ଗିଦେଇଥିବ । ଖୋଜିଲେ ନିଶ୍ଚୟ ପାଇବ ।’’

କେଟ୍‌ର କଥାକୁ ସତ ମଣି ଡେରିକ୍‌ ଚାଲିଗଲା ।

ଘରକୁ ଫେରିଆସି କେଟ୍‍ ଜାଇଲସ୍‌କୁ କହିଲା, ‘‘ତୁ ଲୁଚିକରି ସେଭେନ୍‌ବର୍ଜନକୁ ଯାଆ-। ସେଠି ଜେରାର୍ଡ଼କୁ ଏସବୁ ଖବର ଦେଇ ଆସିବୁ । ଶୀଘ୍ର ଚାଲିଯା ।’’

Image

 

ସେଭେନ୍‌ବର୍ଜନର ଘଟଣା

 

ଟର୍ଗାଓର ଜେଲ୍‍ଖାନାରୁ ଜେରାର୍ଡ଼ ଖସି ପଳାଇ ଆସିଥିବାରୁ ତାର ଓ ମାର୍ଗାରେଟ୍‌ ଦୁହିଁଙ୍କ ମନରେ ମହା ଆନନ୍ଦ । କିନ୍ତୁ ଏହି ଆନନ୍ଦ ବେଶୀ ବେଳଯାଏ ରହି ପାରି ନ ଥିଲା । ଜେଲ୍‍ଖାନାରୁ ପଳାଇବା ଏକ ଭୀଷଣ ଅପରାଧ ଓ ସେଥିପାଇଁ ତାକୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରାଯାଇପାରେ । ତେଣୁ ସେ ଅନ୍ତତଃ କିଛିଦିନ ପାଇଁ ମାର୍ଗାରେଟ୍‌ଠାରୁ ଦୂରରେ ରହିବା ସ୍ଥିର ହେଲା । ମାର୍ଗାରେଟ୍‌ ଏହି ପ୍ରସ୍ତାବର ସମର୍ଥନ କରୁଥିଲେ ହେଁ, ଜେରାର୍ଡ଼ ଇଟାଲୀକୁ ଯିବା ତାର ଇଚ୍ଛା ନ ଥିଲା । ଜେରାର୍ଡ଼ର ଇଟାଲୀକୁ ଯିବା ଉଦ୍ଦେଶ୍ୟ ଥିଲେ ହେଁ ମାର୍ଗାରେଟ୍‌ଠାରୁ ଦୂରକୁ ଚାଲିଯିବା ସେ କଳ୍ପନା କରିପାରୁ ନ ଥିଲା । ଜେରାର୍ଡ଼ର ବିଚ୍ଛେଦ କଥା ଭାବି ମାର୍ଗାରେଟ୍‌ ଦୁଃଖରେ କାନ୍ଦିପକାଇଲା ।

ଦିନ ତିନିଟା ବେଳକୁ ଜାଇଲସ୍‌ ଆସି କହିଲା, ‘‘ଜେରାର୍ଡ଼, କେଟ୍‌ ଖବର ପଠାଇଛି, ଜୀବନ ରଖିବାର ଇଚ୍ଛା ଥିଲେ ଏହିକ୍ଷଣି ପଳା । ବର୍ଗୋମାଷ୍ଟର ତୋ ଉପରେ ଚୋରି ଅଭିଯୋଗ ଆଣିଛି । ତୁ ସେ କାଗଜଗୁଡ଼ିକ ଆଣିବାରୁ ଏପରି ଅସୁବିଧା ହେଲା । ତୋତେ ଧରିବା ପାଇଁ ବର୍ଗୋମାଷ୍ଟର ମୋଟା ପୁରସ୍କାର ଘୋଷଣା କରିଛି । ତୋ ପକ୍ଷରେ ପଳାଇଯିବା ହିଁ ଏକମାତ୍ର ପନ୍ଥା-। ଡେରିକ୍‌ କେତେ ଜଣ ପହରାବାଲା ନେଇ ତୋତେ ଧରିବାପାଇଁ ଆମ ଘରକୁ ଆସିଥିଲା । କେଟ୍‌ ସେମାନଙ୍କ ମତଲବ୍‌ ବୁଝିପାରି ସେମାନଙ୍କୁ ଭୁଲାଇ ଦେଇଛି । ଆଉ ବେଳ ନାହିଁ । କେଟ୍‌ର କଥା ମାନି ଶୀଘ୍ର ପଳାଇଯା ।’’

ମାର୍ଗାରେଟ୍‌ ମଧ୍ୟ କହିଲା, ‘‘ତୁମେ ଶୀଘ୍ର ପଳାଅ, ଜେରାର୍ଡ଼ ! ନୋହିଲେ ବିପଦ ଘଟିବ-।’’

ଜେରାର୍ଡ଼ ଜାଇଲସ୍‌ଠାରୁ ବିଦାୟ ମାଗି କହିଲା, ‘‘କେଟ୍‌କୁ କହିବୁ, ମୁଁ ଗଲି । ତୁ ଘରେ ପହଞ୍ଚିବା ଆଗରୁ ମୁଁ ଚାଲିଯାଇଥିବି ।’’

ଜେରାର୍ଡ଼ ମାର୍ଗାରେଟ୍‌ ସାଥିରେ ବଗିଚାକୁ ଗଲା ଓ ସେଠାରେ ଗୋଟାଏ ଗହୀର ଗାତ ଖୋଳି ସେଥିରେ କାଗଜଗୁଡ଼ିକ ପୋତିବାରେ ଲାଗିଲା । ସେ କାଗଜଗୁଡ଼ିକୁ ଖଣ୍ଡ ଖଣ୍ଡ କରି ଦେଖି ଗାତରେ ପକାଉଥାଏ । ସେଗୁଡ଼ିକ ସବୁ ଟର୍ଗାଓ ସହରର ଜମିଜମା ସଂକ୍ରାନ୍ତ କାଗଜ । ପିଟରଙ୍କର ବାପା ଫ୍ଲୋରିସ୍‌ବ୍ରାଣ୍ଟ ଓ ବର୍ଗୋମାଷ୍ଟର ଘିସବ୍ରେକ୍‌ଟ ମଧ୍ୟରେ ହୋଇଥିବା ଏକ ଚୁକ୍ତିପତ୍ର ସେଥିମଧ୍ୟରେ ଥିଲା । ଜେରାର୍ଡ଼ ସେଖଣ୍ଡିକ ଧରି ପଢ଼ିବାକୁ ଆରମ୍ଭ କଲା ।

ମାର୍ଗାରେଟ୍‌ କହିଲା ‘‘ଏହିକ୍ଷଣି ପଢ଼ିବାକୁ ବେଳ ନାହିଁ । ଯେତିକି ଡେରି ହେଉଛି ମୋର ସେତିକି ବେଶି ଭୟ ହେଉଛି । ଏଣେ ମେଘ ଘୋଟି ଆସୁଛି । ଟୋପାଏ ଟୋପାଏ ବର୍ଷା ପଡ଼ିଲାଣି-।’’

ଜେରାର୍ଡ଼ ସେ କାଗଜଖଣ୍ଡିକ ପକେଟରେ ପୂରାଇ ଦେଇ ଅନ୍ୟଗୁଡ଼ିକ ପୋତିଦେଲା । ଏହି ସମୟରେ ପ୍ରବଳ ବର୍ଷା ଆସିଲା । ମାର୍ଗାରେଟ୍‌ ଓ ଜେରାର୍ଡ଼ ଘର ଭିତରକୁ ପଳାଇଗଲେ । ସେ ଘରେ ପଶିଗଲା ବେଳକୁ ମାର୍ଟିନ୍‌ ଆସି ପହଞ୍ଚିଲା ।

ମାର୍ଟିନ୍‌ କହିଲା, ‘‘ତୁମର ରାସ୍ତା ସଫା । ଝଡ଼ ମାଡ଼ିଆସୁଛି, ଏଥିରେ ଡେରିକ୍‌ ବା ପହରାବାଲା ଏ ଆଡ଼କୁ ଆସିବା ସମ୍ଭବ ନୁହେ ।’’

ପ୍ରବଳ ଝଡ଼ ଆସିଲା । ଜେରାର୍ଡ଼ ଘରର ଝରକା ବନ୍ଦ କରି ବସିଗଲା । ସେ ମନେ ମନେ ଝଡ଼କୁ ଧନ୍ୟବାଦ ଦେଲା । ଏହାରି ଯୋଗୁ ସେ ମାର୍ଗାରେଟ୍‌ ସହିତ ଆଉ କିଛି ସମୟ କଟାଇ ପାରିଲା । ଦୁହିଁଙ୍କୁ ଖାଇବାକୁ ଦିଆଗଲା–କିନ୍ତୁ କେହି ଖାଇପାରିଲେ ନାହିଁ । ବିଦାୟ ଦୁଃଖରେ ପାଟିକୁ ଆହାର ଗଲା ନାହିଁ । ପିଟର ଶୋଇବାକୁ ଗଲେ । କିନ୍ତୁ ଜେରାର୍ଡ଼ ବା ମାର୍ଗାରେଟ୍‌ କାହାରି ଆଖିକୁ ନିଦ ଆସିଲା ନାହିଁ । ସିନ୍ଦୂରା ଫାଟିଲା ବେଳକୁ ଜେରାର୍ଡ଼ ଯିବାର କଥା-

ଘର ଭିତରେ ଜେରାର୍ଡ଼ ଓ ମାର୍ଗାରେଟ୍‌ କଥାବାର୍ତ୍ତାରେ ଲାଗିଛନ୍ତି । ଟିକିଏ ଛଡ଼ାରେ ମାର୍ଟିନ୍‌ ବସିଛି । ହଠାତ୍‌ ସେ ହାତ ଠାରି ସେ ଦୁହିଁଙ୍କୁ ଚୁପ୍‌ ରହିବାକୁ ସଙ୍କେତ ଦେଲା । ସେମାନେ କଥାବାର୍ତ୍ତା ବନ୍ଦକରି କାନେଇ ରହିଲେ, କିନ୍ତୁ କିଛି ଶୁଣି ପାରିଲେ ନାହିଁ । କିଛି ସମୟ ପରେ ଆର ଦ୍ୱାର ପାଖରେ କେତେ ଜଣ ଲୋକଙ୍କର ଅତି ଧୀର ପାଦଶବ୍ଦ ଶୁଣାଗଲା । ପୁଣି ତାହା ବନ୍ଦ ହୋଇଗଲା ।

ମାର୍ଗାରେଟ୍‌ କହିଲା, କେଟ୍‌ ସେହି ମୁହୂର୍ତ୍ତରେ ପଳାଇ ଯିବାପାଇଁ ତୁମକୁ କହି ପଠାଇଥିଲା । ମୁଁ ତୁମକୁ ଆଜି ରାତିଟା ରଖାଇ କି ବିପଦରେ ପକାଇଲି ?

ମାର୍ଟିନ୍‌ ତାକୁ ଚୁପ୍‌ କରିଦେଇ ଆଲୁଅଟା ଲିଭାଇଦେଲା ଓ ଧନୁଶର ଧରି ପ୍ରସ୍ତୁତ ହୋଇଗଲା ।

କବାଟରେ କିଏ ଆସି ଧକ୍‌କା ମାରିଲା ।

Image

 

ଡେରିକ୍‌ର ଅନୁସନ୍ଧାନ

 

ଠିକ୍‌ ସେତିକିବେଳକୁ ଘରର ପଛପଟ ଦ୍ୱାରରେ ମଧ୍ୟ କେହି ଧକ୍‌କା ମାରିଲା । ଏଥିରୁ ଜଣାଗଲା, ଘରର ଆଗରେ ଓ ପଛରେ ଲୋକ ଜଗି ରହିଛନ୍ତି । ଏ ଘୋର ବିପଦରେ ମଧ୍ୟ ମାର୍ଗାରେଟ୍‌ର ବୁଦ୍ଧି ହଜିଯାଇ ନଥିଲା । ସେ ତୁନି କରି ମାର୍ଟିନ୍‌କୁ କହିଲା, ‘‘କହିବ, ଜେରାର୍ଡ଼ ଏଠାରେ ଥିଲା, କିନ୍ତୁ ଚାଲିଗଲାଣି ।’’

 

ଏହା କହିବା ସଙ୍ଗେ ସଙ୍ଗେ ସେ ଜେରାର୍ଡ଼କୁ ଟାଣି ପିଟରଙ୍କ ଶୋଇବା ଘରକୁ ନେଇଗଲା-। ବାପାଙ୍କ ଖଟଠାରୁ ଟିକିଏ ଛଡ଼ାରେ ତା ନିଜର ଖଟ ପଡ଼ିଥିଲା ।

 

କବାଟରେ ଧକ୍‌କା ଉପରେ ଧକ୍‌କା । ମାର୍ଟିନ୍‍ କହିଲା, ‘‘କିଏ ଏତେ ରାତିରେ କବାଟରେ ଧକ୍‌କା ମାରୁଚି ?’’

 

‘‘କବାଟ’’ ଫିଟାଅ, କିଏ ଧକ୍‌କା ମାରୁଚି ଦେଖିବ ।’’

‘‘ମୋର ଦେଖିବା ଦରକାର ନାହିଁ । ସମସ୍ତେ ଶୋଇଛନ୍ତି ।’’

‘‘ମାର୍ଟିନ୍‌, ସରକାରଙ୍କ ହୁକୁମ । ଆଇନ୍‌ ମାନି କବାଟ ଫିଟାଇଦିଅ ।’’

‘‘ଆରେ, ଏ ତ ଡେରିକ୍‌ର ସ୍ୱର । ଏତେ ରାତିରେ ଟର୍ଗାଓରୁ କାହିଁକି ଆସିଛ ?’’

‘‘କବାଟ ଫିଟାଇଲେ ଜାଣିବ କାହିଁକି ଆସିଛି ।’’

 

ମାର୍ଟିନ୍‌ ଧୀରେ କବାଟ ଫିଟାଇଲା ମାତ୍ରେ ଡେରିକ୍‌ ଓ ତା’ର ସାଥୀ ଚାରିଜଣ ଘର ଭିତରକୁ ପଶିଗଲେ । ଡେରିକ୍‌ ପଚାରିଲା, ‘‘ମାର୍ଟିନ୍‌, କହ, ଜେରାର୍ଡ଼ କେଉଁଠି ଅଛି ?’’

 

‘‘କିଏ–ଜେରାର୍ଡ଼ ? ଇଲିଆସ୍‌ର ପୁଅ ଜେରାର୍ଡ଼ ? ହଁ, ଟିକିଏ ଆଗେ ସେ ଏଇଠି ଥିଲା-।’

 

‘‘ଏଇଠି ଥିଲା ! ଏବେ କେଉଁଠି ଅଛି କହ ।’’

 

‘‘ସେ ଚାଲିଗଲାଣି । କହୁଥିଲା ଇଟାଲୀକୁ ଯିବ । କାହିଁକି ଏମିତି ବ୍ୟସ୍ତ ହୋଇ ତାକୁ ଖୋଜୁଛ ?’’

 

‘‘କାହିଁକି ସେକଥା କହିବା ଦରକାର ନାହିଁ । ଏଠୁ ସେ କେତେବେଳେ ଗଲା ? ଏଭଳି ଝଡ଼ରେ ଗଲା କିପରି ? ମୋର ବିଶ୍ୱାସ ହେଉ ନାହିଁ ।’’

 

ମାର୍ଟିନ୍‍ ଧୀରେ ଆଲୁଅ ଲଗାଇ ଦେଇ ନିଆଁ ଉହ୍ନେଇ ପାଖରେ ବସି ଧନୁରେ ଖଣ୍ଡେ ସରୁ ସୂତା ଗୁଡ଼ାଇବାରେ ଲାଗିଲା ।

 

କିଛିମାତ୍ର ଉଦ୍‌ବେଗ ପ୍ରକାଶ ନକରି ମାର୍ଟିନ୍‍ କହିଲା, ‘‘ଜେରାର୍ଡ଼ କଥା ପଚାରୁଛ ? ତା’ ଭାଇ ଜାଇଲସ୍‌କୁ ଚିହ୍ନିଛ । ସେଇ ଯେଉଁ ବିଚିତ୍ର ଟୋକା–ଏଡ଼େ ବଡ଼ ମୁଣ୍ଡ–ହାତ ଗୋଡ଼ ସରୁ ସରୁ–ସେଇ ଆସି ଏଡ଼େ ପାଟିକରି କଅଣ କହିଲା । ମୁଁ ଦୂରରେ ଥିବାରୁ ସେ କଅଣ କହିଲା ଜାଣିପାରିଲି ନାହିଁ, ଖାଲି ପାଟି ଶୁଣିଲି । ତା’ ପରେ ଜେରାର୍ଡ଼ ଚାଲିଗଲା । ଗଲାବେଳେ ଏତିକି ଲୁହ, ଏତେ କାନ୍ଦ । ମୁଁ ଶୁଣୁଛି ସେ ଇଟାଲୀକୁ ଗଲା । ଇଟାଲୀ କଅଣ ଆମର ଏଇ ହଲାଣ୍ଡରେ ? ସେ ଇଟାଲୀ କେଉଁଠି ମୋତେ ଜଣା ନାହିଁ , ତୁମେ ଅବା ଜାଣିଥିବ ।’’

 

ଡେରିକ୍‍ର ମୁହଁରେ ବିଷାଦରେ ଚିହ୍ନ । ସେ ମନଦେଇ ମାର୍ଟିନ୍‌ର କଥା ଶୁଣୁଥିଲା । ତା’ର ବିଶ୍ୱାସ ଆସିଲା । ମାର୍ଟିନ୍‍ ସବୁକଥା ଏପରି ସଜେଇ କହିଥିଲା ଯେ ତାକୁ ସନ୍ଦେହ କରିବାର କାରଣ ନଥିଲା ।

 

ଡେରିକ୍‌ କହିଲା–‘‘ହଁ, ତୁମ କଥା ସତ ହୋଇଥିବ । ମୁଁ ବର୍ଗୋମାଷ୍ଟରଙ୍କୁ ସେଇଆ କହୁଥିଲି । ଜାଇଲସ୍‌ ସେଭେନ୍‌ବର୍ଜନରୁ ଫେରିଗଲାବେଳେ ତାକୁ ବର୍ଗୋମାଷ୍ଟର ଦେଖିଥିଲେ ।’’

 

‘‘ତେବେ ବର୍ଗୋମାଷ୍ଟରଙ୍କ ହୁକୁମ ମାନି ଆମେ ଥରେ ଘରଟା ଦେଖିବୁ ।’’

 

ମାର୍ଟିନ୍‍ର ଚେହେରା ବଦଳିଗଲା । ଡେରିକ୍‌ ତାହା ଲକ୍ଷ୍ୟକରି ମନେ ମନେ ଟିକିଏ ସନ୍ଦେହ କଲା । ସେ ପହରାବାଲାମାନଙ୍କୁ କହିଲା, ‘‘ତୁମେ ଦୁଇ ଜଣ ଲେଖାଏଁ ବାହାରୁ ଜଗିଥାଅ । ଦେଖିବ, କେହି ଯେପରି ଝରକା ବାଟେ ଡେଇଁ ପଳାଇ ନ ଯାଏ । ଅନ୍ୟମାନେ ମୋ ସଙ୍ଗରେ ଆସ-।’’

 

ଡେରିକ୍‌ ଆଲୁଅ ଧରି ଚାଲିଲା; ମାର୍ଟିନ୍‌ ଏକୁଟିଆ ଘର ଭିତରେ ବସି ରହିଲା । ତାର ମନରେ ଚିନ୍ତା ହେଲା, ଜେରାର୍ଡ଼ ନିଶ୍ଚୟ ପିଟର ବା ମାର୍ଗାରେଟ୍‌ର ଘରେ ଥିବ ଓ ଧରାପଡ଼ିଯିବ ।

 

ସେ ଏହିପରି ଭାବୁଛି, ଏହି ସମୟରେ ଡେରିକ୍‌ ମାର୍ଗାରେଟ୍‌ର କୋଠରୀ ପାରହୋଇଗଲା । ଏହା ଦେଖି ମାର୍ଟିନ୍‌ ଆଶ୍ୱସ୍ତ ହେଲା ।

 

ଏବେ ଡେରିକ୍‌ ଓ ତା’ର ଲୋକେ ପିଟରଙ୍କ କୋଠରୀରେ ପଶିଲେ । ସେମାନେ କୋଠାରୀ ଭିତରଯାକ ଖୋଜି ଦେଖିଲେ କେତେ ଜାଗାରେ ଜିନିଷପତ୍ର ଟାଣିପକାଇଲେ, କିନ୍ତୁ ଜେରାର୍ଡ଼କୁ ପାଇଲେ ନାହିଁ । ତତ୍ପରେ ସେମାନେ ମାର୍ଗାରେଟ୍‌ର କୋଠାରୀକୁ ଆସିଲେ । ଏହା ଅତି ସାନ ଓ ଏଥିରେ ପ୍ରାୟ କିଛି ଜିନିଷ ନ ଥିଲା । ଘର ଭିତରେ ଗୋଟାଏ ବଡ଼ ଚୁଲୀ ଓ ଗୋଟାଏ ଧୂଆଁନଳୀ ଥିଲା । ଡେରିକ୍‌ ଆଗେ ଏ ଦୁଇଟାକୁ ଦେଖିନେଲା । ଗୋଟାଏ ସିନ୍ଦୁକ ଉପରେ ମାର୍ଗାରେଟ୍‌ ଶୋଇଥିଲେ । ଏମାନଙ୍କୁ ଦେଖି ସେ ଉଠିପଡ଼ିଲେ ଓ ପାଟିକରି କହିଲେ ‘‘ମୋ’ ଉପରେ ଅତ୍ୟାଚାର କର ନାହିଁ ।’’

 

ଡେରିକ୍‌ କହିଲା, ‘‘ଏପରି କାହିଁକି ହେଉଛ ? ଆମେ ତୁମର କିଛି ଅନିଷ୍ଟ କରିବୁ ନାହିଁ । ତୁମେ ଆଖିବୁଜି ଶୋଇ ତୁମ ବିବାହରେ ସ୍ୱପ୍ନ ଦେଖୁଥାଅ ।

 

ମୁଁ ଏ ଧୂଆଁ ନଳୀଟାକୁ ପରୀକ୍ଷା କରି ଦେଖେ, ଜେରାର୍ଡ଼ ସେଥିରେ ଲୁଚିଛି କି ନା ।’’

 

ଡେରିକ୍‌ ସବୁଆଡ଼ ଖୋଜିସାରି କହିଲା, ‘‘ଆରେ, ଚାଲିଆସ । ସେ ଧୂଆଁ ନଳୀରେ ପଶିନାହିଁ । ମୁଁ ଦେଖିସାରିଲଣି । ମୁଁ ବର୍ଗୋମାଷ୍ଟରଙ୍କୁ ପରା କହୁଥିଲି–ସେ ଏଠି ନଥିବ ।’’

 

ସେମାନେ ଚାଲିଗଲେ ।

Image

 

ସିନ୍ଦୁକର ଭିତିରିକଥା

 

ବର୍ଗୋମାଷ୍ଟରର ଲୋକଗୁଡ଼ାକ ଚାଲିଯିବା ମାତ୍ରେ ମାର୍ଗାରେଟ୍‌ ସିନ୍ଦୁକ ଉପରୁ ଓହ୍ଲାଇ ପଡ଼ିଲା । ଲୋକେ ଆସୁଥିବା ଜାଣିପାରି ସେ ତରତର ହୋଇ ସିନ୍ଦୁକ ଉପରେ ବିଛଣା ପକାଇ ଶୋଇପଡିଥିଲା । ଏ ସିନ୍ଦୁକଟିର କିଛି ବିଶେଷତ୍ୱ ଥିଲା–ସାଧାରଣ ଲୋକ ପକ୍ଷରେ ତାହା ଜାଣିବା ଅସମ୍ଭବ । ତଳ ମେଜିଆରେ ଗୋଟାଏ ଖାଲ ହୋଇଥିଲା । ସିନ୍ଦୁକର ତଳ ଚାରିପାଖ ଭୂଇଁରେ ଲାଗୁଥିଲା; କିନ୍ତୁ ତା’ ଭିତରେ ଯେ ପ୍ରାୟ ଦୁଇଫୁଟ ଫାଙ୍କ ଥିଲା ତାହା ବାହାରକୁ ଜଣାପଡ଼ୁ ନଥିଲା-

 

ମାର୍ଗାରେଟ୍‌ ଗାତ ପାଖକୁ ମୁହଁ ନେଇ ଚୁପ୍‌ ଚୁପ୍‌ କରି ଡାକିଲା, ‘‘ଜେରାର୍ଡ଼ ! ’’

କିଛି ଉତ୍ତର ନାହିଁ ।

 

ସେ ପୁଣି ଟିକିଏ ବଡ଼ପାଟିରେ ଡାକିଲା, ‘‘ଜେରାର୍ଡ଼ ! ଆଉ କିଛି ଭୟ ନାହିଁ । ସାବଧାନରେ ଉଠିଆସ ।’’

 

ତଥାପି ଉତ୍ତର ନାହିଁ ।

 

ମାର୍ଗାରେଟ୍‌ ଜେରାର୍ଡ଼ର କାନ୍ଧ ଉପରେ ହାତ ରଖି ହଲାଇଲା । ଶେଷକୁ ତାକୁ ଟେକିଲା-। କିନ୍ତୁ ଜେରାର୍ଡ଼ ତଳେ ପଡ଼ିଗଲା–ସତେ ଅବା ଗୋଟାଏ ମୃତ ଦେହ । ମାର୍ଗାରେଟ୍‌ର ରକ୍ତ ଭୟରେ ପାଣି ହୋଇଗଲା ।

 

ସେ ଭାବିଲା, ଲୋକଗୁଡ଼ାକ ତ କେତେବେଳଯାଏ ଏ ଘର ଭିତରେ ଥିଲେ, ତେବେ କଅଣ ଜେରାର୍ଡ଼ ଅଣନିଶ୍ୱାସୀ ହୋଇ ମରିଗଲା । ସେ ଜେରାର୍ଡ଼କୁ ରକ୍ଷା କରିବାକୁ ଯାଇ ତାକୁ ହତ୍ୟାକଲା ? ବାୟାଣୀ ଭଳି ସେ ଜେରାର୍ଡ଼କୁ ଝରକା ପାଖକୁ ଟେକିନେଲା । ଝରକା ଖୋଲିଦେବାରୁ ଖୋଲା ପବନ ଘର ଭିତରେ ପଶିଲା । ସେତେବେଳକୁ ଜେରାର୍ଡ଼ର ମୁହଁ ଶେତା ପଡ଼ିଯାଇଥିଲା ।

 

ସେ କାନ୍ଦି କାନ୍ଦି ଚିତ୍କାର କଲା, ‘‘ଧାଇଁଆସ, ଧାଇଁଆସ, । ରକ୍ଷା କର, ମୁଁ ତାଙ୍କୁ ମାରିଦେଲି ।’’ ମାର୍ଗାରେଟ୍‌ ଏତେ ଜୋର୍‌ରେ ପାଟିକଲା ଯେ ତାହା ଡେରିକ୍‌ ଓ ତା’ର ଲୋକମାନଙ୍କୁ ଶୁଣାଗଲା । ସେମାନେ ବିସ୍ମିତ ହୋଇଗଲେ ।

 

ମାର୍ଟିନ୍‌ ଧନୁଶର ଧରି ପାହାଡ଼ ପାଖରେ ଛିଡ଼ା ହୋଇଥିଲା । ଡେରିକ୍‌ ଓ ତା’ର ଲୋକମାନେ ଫେରିଲେ, କିନ୍ତୁ ଜେରାର୍ଡ଼କୁ ସେମାନେ ଆଣୁ ନ ଥିବାର ଦେଖି ମାର୍ଟିନ୍‍ ବିସ୍ମିତ ହୋଇଗଲା । ସେମାନେ ମଧ୍ୟ ମାର୍ଟିନ୍‍କୁ ଏପରି ଭଙ୍ଗୀରେ ଛିଡ଼ା ହୋଇଥିବାର ଦେଖି ବିସ୍ମିତ ହୋଇଗଲେ ।

 

ଡେରିକ୍‌ କହିଲା, ‘‘ଦେଖୁଛ, ଏ ବୁଢ଼ା ଆମକୁ ଶର ମାରିବାକୁ ତିଆର ହୋଇ ରହିଛି ।’’

 

ମାର୍ଟିନ୍‍ କହିଲା, ‘‘ନା ନା, କାହାକୁ ମାରିବାକୁ ଯିବି କାହିଁକି ? ଧନୁଟା ଠିକ୍‌ ଅଛି କି ନା ଦେଖୁଥିଲି । ଆଚ୍ଛା, ତୁମର ଯେବେ ସନ୍ଦେହ ହେଉଛି ଏଇ ତଳେ ଫିଙ୍ଗିଦେଉଛି ।’’ ଏହା କହି ସେ ଧନୁଶର ତଳେ ଫିଙ୍ଗିଦେଲା ।

 

ଏହି ସମୟରେ ମାର୍ଗାରେଟ୍‌ ଘରୁ ପାଟି ଶୁଣାଗଲା । ସେମାନେ ଉଠିପଡ଼ିଲେ । ଜଣେ ଆଲୁଅ ଧରି ଶୋଇବାଘର ଆଡ଼କୁ ଯିବାକୁ ବସିଲା । ମାର୍ଟିନ୍‌ ମଧ୍ୟ ଏହି ପାଟିର କାରଣ ବୁଝି ନ ପାରି ଛିଡ଼ାହୋଇପଡ଼ିଲା ଓ ସେମାନଙ୍କ ଆଗରେ ଛିଡ଼ା ହୋଇ ବାଟ ବନ୍ଦ କଲେ । ଏହା ଦେଖି ଡେରିକ୍‌ ମାର୍ଟିନ୍‌କୁ ଦୁଇ ହାତରେ ଧରି ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଡାକିଲା । ସେତେବେଳକୁ ଆଲୁଅ ଧରିଥିବା ଲୋକଟି ଚାଲି ଯାଇଥିଲା । ଅନ୍ୟମାନେ ଡେରିକ୍‌ ସହିତ ମିଶି ମାର୍ଟିନ୍‌ର ହାତଗୋଡ଼ ବାନ୍ଧିପକାଇଲେ । ମାର୍ଟିନ୍‍ ନିରୁପାୟ ହୋଇ କାନ୍ଦି ପକାଇଲା । ଏଥିମଧ୍ୟରେ ଆଲୁଅ ଧରିଥିବା ଲୋକଟି ମାର୍ଗାରେଟ୍‌ର କୋଠାରୀକୁ ଚାଲିଗଲା ।

Image

 

ଜୋରିଆନ୍‌

 

ଯେଉଁ ଲୋକଟି ଆଲୁଅ ନେଇ ଯାଇଥିଲା ତାର ନାମ ଜୋରିଆନ୍‌ କେଟେଲ । ସେ ମାର୍ଗାରେଟ୍‌ର ଶୋଇବାଘରେ ପଶିଯାଇ ଦେଖିଲା ଜେରାର୍ଡ଼ ମଲାପରି ପଡ଼ିଛି; ତାର ମୁଣ୍ଡ ମାର୍ଗାରେଟ୍‌ର କୋଳରେ । ମାର୍ଗାରେଟ୍‌ ପଥରର ପିତୁଳାଟିଏ ପରି ବସିଛି; ଆଖିର ପଲକ ପଡ଼ୁନାହିଁ; ଏକ ଦୃଷ୍ଟିରେ ଜେରାର୍ଡ଼ର ମୁହଁକୁ ଚାହିଁଛି । ଏହି ଦୃଶ୍ୟ ଦେଖି ଜୋରିଆନ୍‌ ଆଶ୍ଚର୍ଯ୍ୟ ହୋଇଗଲା । ତା ତୁଣ୍ଡରୁ ବାହାରି ପଡ଼ିଲା–ଏତେ–ବେଳ ଯାଏ କେଉଁଠି ଥିଲା ? ଆମେ ଏତେ ଖୋଜି ନ ପାଇଲୁ କିପରି ?

 

ମାର୍ଗାରେଟ୍‌ କିଛି ଦେଖି ପାରୁ ନ ଥିଲା କି ଶୁଣିପାରୁ ନ ଥିଲା । ତହୁଁ ଜୋରିଆନ୍‌ ସିନ୍ଦୁକ ପାଖକୁ ଗଲା । ସିନ୍ଦୁକ ତଳର ଗାତଟା ଦେଖି ସେ ସବୁ ଘଟଣା ଅନୁମାନ କରିନେଲା । ମାର୍ଗାରେଟ୍‌ର ଅବସ୍ଥା ଦେଖି ଜୋରିଆନ୍‌ର ମନ ତରଳିଗଲା । ସେ କହିଲା,‘‘ଓଃ, କି କରୁଣ ଦୃଶ୍ୟ-! ଗୁଡ଼ାଏ କାଗଜ ପାଇଁ ରାତିକଯାକ ହଇରାଣ ହେବାକୁ ପଡ଼ିଲା । ଏପରି ମରିବା ଅପେକ୍ଷା ଜେରାର୍ଡ଼ ଆମ ସାଥିରେ ଯାଇଥିଲେ ଭଲହୋଇଥାନ୍ତା । ହତଭାଗ୍ୟର ଚେତା ବୁଡ଼ିଯାଇଛି, ମରିନାହିଁ ।’’

 

ଏହା ମାର୍ଗାରେଟ୍‌ର କାନରେ ବାଜିଲାକ୍ଷଣି ସେ ଚମକିଉଠିଲା । ସତେ ଅବା ପଥର ପ୍ରତିମା ଦେହରେ ଜୀବନ ପଶିଲା । ସେ ଉଠିଯାଇ ଜୋରିଆନ୍‌କୁ ଦୁଇ ବାହୁରେ କୁଣ୍ଢାଇ ପକାଇ କହିଲା, ‘‘ତୁମ ତୁଣ୍ଡ ସୁତୁଣ୍ଡ ହେଉ । ଈଶ୍ୱର ତୁମର ମଙ୍ଗଳ କରନ୍ତୁ ।’’

 

ଜୋରିଆନ୍‌ କହିଲା, ‘‘ତାଙ୍କ ଦେହ ଗରମ ରଖ ।’’ ଏହା କହି ସେ ଜେରାର୍ଡ଼କୁ ଟେକିନେଲା ଓ ବିଛଣା ଉପରେ ଶୁଆଇଦେଲା । ତତ୍ପରେ ସେ ପକେଟରୁ ମଦ ବୋତଲ ବାହାରକରି ସେଥିରୁ କିଛି ଜେରାର୍ଡ଼ର ମୁହଁରେ ଛାଟିଦେଲା । ଏହା ଫଳରେ ଜେରାର୍ଡ଼ର ଚେତା ଆସିଲା । ସେ କିଛି ଶବ୍ଦ କଲା । ତାହା ଶୁଣି ମାର୍ଗାରେଟ୍‌ ଆନନ୍ଦରେ ତାକୁ ଧରିବା ପାଇଁ ଦଉଡ଼ି ଯାଉଥିଲା; କିନ୍ତୁ ଜୋରିଆନ୍‌ କହିଲା, ‘‘ତା ପାଖକୁ ଯାଅନାହିଁ, ଟିକିଏ ବିଶ୍ରାମ କରିବାକୁ ଦିଅ ।’’

 

ଜେରାର୍ଡ଼ର ମୁହଁର ରଙ୍ଗ ବଦଳି ଆସିଲା । ତୁଣ୍ଡରୁ ପଦେଅଧେ ଅସ୍ପଷ୍ଟ କଥା ବାହାରିଲା-। ଜୋରିଆନ୍‌ ଘରୁ ବାହାରିଯାଉଥିଲା । ଏହି ସମୟରେ ମାର୍ଗାରେଟ୍‌ ତାର ପାଦ ଦୁଇଟିକୁ ଧରିପକାଇ କହିଲା, ‘‘ଜୋରିଆନ୍‌ ତୁମେ ଜେରାର୍ଡ଼ଙ୍କୁ ଜୀବନ ଦେଇଛ, ପୁଣି କଣ ଧରାପକାଇ ଜୀବନ ନେବ ? ତୁମ ପାଦ ଧରୁଛି; ଜେରାର୍ଡ଼ ଏଠାରେ ଅଛି ବୋଲି କହିବ ନାହିଁ ।’’

 

‘‘ନା, କହିବି ନାହିଁ । ଡେରିକ୍‌ ମୋର କଅଣ ? ତାକୁ କହି ମୁଁ କଅଣ ଜଣକର ଜୀବନ ନେବି ?’’

 

କାଳେ ଅନ୍ୟମାନେ ତାକୁ ଖୋଜିବାକୁ ଆସିବେ ବୋଲି ସେ ଶୀଘ୍ର ଚାଲିଗଲା । ଡେରିକ୍‌ ପଚାରିଲା, ‘‘କଅଣ ଦେଖିଲୁ ? ସେ ଟୋକୀଟା କାହିଁକି ଏପରି ପାଟି କରୁଥିଲା ?

 

‘‘କାହିଁକି ପଚାରୁଛ ? ଆରେ ଆମକୁ ଦେଖି ତାର ଏମିତି ଭୟ ହୋଇ ଯାଇଛି ଯେ ତାର ମୁଣ୍ଡ ବିଗିଡ଼ି ଯାଇଛି–ଆଉ କିଛି ନୁହେଁ ।’’

 

‘‘ତେବେ ଚାଲ, ତାକୁ ଯଦି କିଛି ସାହାଯ୍ୟ କରିପାରିବା ।’’

 

‘‘ଭଲ ବୁଦ୍ଧି । ଆମକୁ ଦେଖି ସେ ଏପରି ହୋଇଛି । ପୁଣି ଯାଇ କଅଣ ତାର ପ୍ରାଣ ନେବା ? ତାର ବାପ ନିଜେ ଜଣେ ଡାକ୍ତର । ମୁଁ ତାକୁ ତା ବାପ ପାଖକୁ ପଠାଇ ଆସିଛି । ଆମେ ଚାଲ ନିଆଁ ପାଖରେ ବସି ଟିକିଏ ଉଷୁମ ହେବା ।’’

 

ସେ ଏପରି ସରଳ ଭାବରେ କଥାଗୁଡ଼ାକ କହିଗଲା ଯେ ସେଥିରେ କାହାରି ସନ୍ଦେହ ନାହିଁ । ତେଣୁ ସେମାନେ ମାର୍ଟିନ୍‌କୁ ଫିଟାଇ ଦେଇ ଯିବାକୁ ବାହାରିଲେ । ଡେରିକ୍‌ କହିଲା, ‘‘ମୋ କଥା କେମିତି ଠିକ୍‌ ଦେଖିଲ ? ମୁଁ ସେତେବେଳୁ କହୁଛି ଯେ ଜେରାର୍ଡ଼ ଏତେବେଳ ଯାଏ ନ ଥିବ-କୁଆଡ଼େ ଖସିଯିବଣି ।’’

 

ଜେରାର୍ଡ଼ର ଭାଗ୍ୟ ଭଲ କହିବାକୁ ହେବ । ଏହିପରି ସେ ଖାଲି ଜେଲ୍‌ଖାନାରୁ ଖସି ଆସିଲା ନାହିଁ–ମରଣ ମୁହଁରୁ ମଧ୍ୟ ବର୍ତ୍ତିଗଲା ।

 

ମାର୍ଗାରେଟ୍‌ ଅନେକ ବେଳ ଯାଏ ଜେରାର୍ଡ଼ର କାନ୍ଧ ଉପରେ ମୁଣ୍ଡଟି ରଖି ବସିରହିଲା । ଦୁହିଁଙ୍କ ମନରେ ଆନନ୍ଦ, କିନ୍ତୁ ସକାଳୁ ସେମାନଙ୍କର ବିଚ୍ଛେଦ ହେବାର କଥା ।

Image

 

ବର୍ଗୋମାଷ୍ଟରଙ୍କ ଅନ୍ୱେଷଣ

 

ସେଦିନ ରାତିରେ ବର୍ଗୋମାଷ୍ଟରଙ୍କୁ ନିଦ ନାହିଁ । ଝଡ଼ ବର୍ଷା ହେଉ ନ ଥିଲେ ସେ ନିଜେ ଲୋକମାନଙ୍କ ସଙ୍ଗରେ ଜେରାର୍ଡ଼କୁ ଖୋଜିବାକୁ ଆସିଥାନ୍ତେ । ରାତି ଅଧବେଳକୁ ଝଡ଼ କମିଯିବାରୁ ସେ ଘୋଡ଼ାରେ ବସି ସେଭେନ୍‍ବର୍ଜନକୁ ବାହାରିଲେ । ବାଟରେ ସେ ଡେରିକ୍‌ ଓ ଅନ୍ୟମାନଙ୍କୁ ଭେଟିଲେ । ସେମାନେ ଗୋଟିଏ ଘରେ ଥିଲେ, କିଏ ଟେବୁଲ ଉପରେ ଶୋଇଥିଲା, କେହି ଚଉକିରେ ବସି ଘୁମାଉଥିଲା, କେହି ଅବା ତଳେ ଶୋଇଥିଲା । ସେ ବିରକ୍ତ ହୋଇ ସେମାନଙ୍କୁ ଉଠାଇଲେ । ଡେରିକ୍‌ ସମସ୍ତ ଘଟଣା ବର୍ଣ୍ଣନା କରିଗଲା ।

 

‘‘ତୁମେମାନେ ନିହାତି ବୋକା । ତୁମ ସାଥିରେ ନିଜେ ନ ଆସି ମୁଁ ଭଲ କରିଛି । ସିଏ ସେଇ ଘର ଭିତରେ ଥିବ–ଯିବ କୁଆଡ଼େ ? ତୁମେ ସେ ଟୋକୀର ସିନ୍ଦୁକ ତଳ ଦେଖିଥିଲ-?’’ କହିଲା ବର୍ଗୋମାଷ୍ଟର ।

 

‘‘ସିନ୍ଦୁକ ତଳେ ଫାଙ୍କ ନ ଥିଲା ଦେଖନ୍ତୁ କଅଣ ?’’

 

‘‘କେମିତି ଜାଣିଲ ଫାଙ୍କ ନାହିଁ ? ଦେଖିବା ଦରକାର ଥିଲା । ଆଚ୍ଛା, ମୋ ସାଥିରେ ଚାଲ, କେମିତି ଖୋଜିବାକୁ ହୁଏ ଦେଖାଇଦେବି ।’’

 

ସମସ୍ତେ ପୁଣି ପିଟରଙ୍କ ଘରକୁ ଆସିଲେ । ଜୋରିଆନ୍‍ ବର୍ଗୋମାଷ୍ଟରଙ୍କ ଘୋଡ଼ାକୁ ଧରି ବାହାରେ ଛିଡ଼ାହେଲା–ଅନ୍ୟମାନେ ଘର ଭିତରକୁ ପଶିଗଲେ । ଘର ଭିତର ଶୂନ୍ୟ । ଜଣେ ହେଲେ କାହାରି ଦେଖା ନାହିଁ । ବୁଢ଼ା ପିଟର ମଧ୍ୟ କୁଆଡ଼େ ଯାଇଛି ।

 

ସମସ୍ତେ ଉପରେ ମହଲାକୁ ଗଲେ । ଝରକା ଖୋଲା ଥିଲା । ଝରକାବାଟେ ଚାହିଁବାରୁ ଦେଖାଗଲା, ଜେରାର୍ଡ଼ ମାର୍ଗାରେଟ୍‌ ଓ ମାର୍ଟିନ୍‍ ସାଙ୍ଗ ହୋଇ ପଡ଼ିଆରେ ଚାଲିଛନ୍ତି । ବର୍ଗୋମାଷ୍ଟର ଆନନ୍ଦରେ ତଳକୁ ଓହ୍ଲାଇ ଆସି ଘୋଡ଼ାରେ ବସିପଡ଼ିଲେ ଓ ପଡ଼ିଆ ଆଡ଼କୁ ଘୋଡ଼ାକୁ ଚଳାଇଲେ-। ତାଙ୍କ ଲୋକମାନେ ମଧ୍ୟ ତାଙ୍କ ପଛେ ପଛେ ଦୌଡ଼ିଲେ ।

Image

 

ଡାହାଳକୁକୁର

 

ରାତି ନ ପାହୁଣୁ ଜେରାର୍ଡ଼ ଉଠି ମାର୍ଟିନ୍‌କୁ ଉଠାଇଲେ । ମାର୍ଟିନ୍‍ର ଧାରଣା ଥିଲା ଜେରାର୍ଡ଼ ରାତିରୁ ପଳାଇ ଯାଇଛି, ତେଣୁ ସେ ଆଶ୍ଚର୍ଯ୍ୟ ହୋଇଗଲା । କିପରି ପଳାଇବାକୁ ହେବ ଓ ପଛରେ ଗୋଡ଼ାଉଥିବା ଲୋକଙ୍କ ହାତରୁ କିପରି ରକ୍ଷାମିଳିବ ଏ ବିଷୟରେ ଜେରାର୍ଡ଼ ମାର୍ଟିନ୍‍ର ପରାମର୍ଶ ମାଗିଲା । ମାର୍ଟିନ୍‍ କହିଲା, ‘‘ନିରାପଦରେ ଯିବା ପାଇଁ ଗୋଟିଏ ବାଟ ଅଛି । ବଣ ଭିତରେ ମୁଁ ଗୋଟିଏ ବାଟରେ ତୁମକୁ ନେଇଯିବି । ତାହା ପରେ ଆଉ ଗୋଟିଏ ବାଟ ପଡ଼ିବ । ସେଥିରେ କିଛି ଦୂର ଗଲାପରେ ଗୋଟିଏ ଘର ଦେଖିବ । ସେ ଘରର ଲୋକେ ଭାରି ଭଲ । ସେଠାରୁ ଗୋଟିଏ ଘୋଡ଼ାରେ ବସି ଗଲେ ଦିନକ ଭିତରେ ହଲାଣ୍ଡର ସୀମା ପାର ହୋଇଯିବ ।’’

 

ପିଟରଙ୍କ ଘରଠାରୁ ଜଙ୍ଗଲ ମୋଟେ ତିନିଶ ଗଜ ଦୂର ହେବ । ଦୁହେଁ ବାହାରି ପଡ଼ିଲେ-। ମାର୍ଟିନ୍‌ର ହାତରେ ତାର ଧନୁ ଓ ତିନୋଟି ଶର, ଜେରାର୍ଡ଼ ହାତରେ ଗୋଟିଏ ଠେଙ୍ଗା ।

 

ମାର୍ଗାରେଟ୍‌ ଓ ପିଟର ମଧ୍ୟ ସେ ଦୁହିଁଙ୍କ ସାଥିରେ ଘରୁ ବାହାରିଲେ । ପିଟର ବଗିଚା ଶେଷଯାଏ ଆସି ଜେରାର୍ଡ଼କୁ ଆଶୀର୍ବାଦ କରି ଫେରିଗଲେ । ପଡ଼ିଆ ପାର ହୋଇ ଜଙ୍ଗଲ ପାଖରେ ହେଲାବେଳକୁ ସୂର୍ଯ୍ୟ ଉଦୟ ହେଉଥିଲେ । ମାର୍ଗାରେଟ ବରାବର ପଛକୁ ଚାହୁଁଥିଲା । ହଠାତ୍‌ ସେ ଗୋଟାଏ ବିକଳ ଚିତ୍କାର କରି ଜଙ୍ଗଲ ଆଡ଼କୁ ଦୌଡିଲା, ବର୍ଗୋମାଷ୍ଟର ଘୋଡ଼ାରେ ବସି ଓ ଅନ୍ୟମାନେ ସେମାନଙ୍କ ପଛରେ । ଏତେ ଲୋକଙ୍କ ସଙ୍ଗେ ଯୁଦ୍ଧ ଅସମ୍ଭବ । ତେଣୁ ଜେରାର୍ଡ଼ ଓ ମାର୍ଟିନ୍‍ ମଧ୍ୟ ମାର୍ଗାରେଟ୍‌ ପଛେ ପଛେ ଜଙ୍ଗଲ ଆଡ଼କୁ ଦୌଡ଼ିଲେ । ବର୍ଗୋମାଷ୍ଟର ପାଖେଇ ଆସୁଛି; ମାର୍ଟିନ୍‍ ଡାକପକାଇଲା–‘‘ବଣକୁ ଚାଲିଯାଅ, ବଣକୁ ଚାଲିଯାଅ ।’’

 

ବର୍ଗୋମାଷ୍ଟର ଗୋଟାଏ କୌଶଳ କଲେ । ସେ ଠିକ୍‌ ପଛେ ପଛେ ନ ଆସି ଗୋଟାଏ ପାଖରେ ଘୋଡ଼ାକୁ ଦୌଡ଼ାଇ ଜେରାର୍ଡ଼ର ଆଗରେ ରହିଗଲେ । ସେ ଭାବିଲେ, ‘‘ଅନ୍ୟମାନେ ପଳାଇଲେ ପଳାନ୍ତୁ । ଅସଲ ହେଉଛି ଜେରାର୍ଡ଼ । ତାକୁ ଧରିବାକୁ ହେବ ।’

 

ବର୍ଗୋମାଷ୍ଟର ଗୋଟାଏ କଥା ଭୁଲିଯାଇଥିଲେ । ଶିକାର ଧରାଦେବା ପୂର୍ବରୁ ଶିକାରୀକୁ ପୁଳାଏ ନ କାମୁଡ଼ି ଛାଡ଼େ ନାହିଁ । ହୁଏତ ସେହି କାମୁଡ଼ାରେ ଶିକାରୀର ପ୍ରାଣ ଯାଏ । ବର୍ଗୋମାଷ୍ଟର ଭାବିଥିଲେ ଜେରାର୍ଡ଼ ପଳାଇବାକୁ ଚେଷ୍ଟା କରିବ; କିନ୍ତୁ ସେ ତାହା ନ କରି ଗୋଟାଏ ଚିତ୍କାର କରି ଆଗେଇଗଲା ଓ ଠେଙ୍ଗାରେ ବର୍ଗୋମାଷ୍ଟର ମୁଣ୍ଡ ଉପରେ ପାହାରେ ଦେଲା । ବର୍ଗୋମାଷ୍ଟର ଘୋଡ଼ା ଉପରୁ ତଳେ ପଡ଼ିଗଲେ । ତାଙ୍କ ମୁହଁରୁ ରକ୍ତର ଧାର ବହିଗଲା ।

 

ଏଥିମଧ୍ୟରେ ତିନିଜଣଯାକ ବଣ ଭିତରକୁ ପଶିଗଲେ । ଏଣେ ଘିସବ୍ରେକ୍‌ଟର ଲୋକେ ଆଗେଇ ଆସିଲେ । ତିନିଜଣଯାକ ପ୍ରାଣପଣେ ଦଉଡ଼ିବାକୁ ଆରମ୍ଭ କଲେ । ହଠାତ୍‌ ଜେରାର୍ଡ଼ ରହିଯାଇ କହିଲା, ‘‘ମାର୍ଟିନ୍‍, ଦୌଡ଼ିବା କି ଦରକାର ? ତୁମ ହାତରେ ଧନୁଶର ଅଛି, ମୋ’ ହାତରେ ଏ ଠେଙ୍ଗା । ଯାହା ହେବାର ହେଉ, ଦେଖାଯିବ ।’’ କିନ୍ତୁ ମାର୍ଟିନ୍‌ ସେ କଥା ନ ଶୁଣି ଦୌଡ଼ୁ ଦୌଡ଼ୁ କହିଲା ‘‘ମୋ ପଛେ ପଛେ ଦୌଡ଼ିଆସ ।’’

 

ଅଳ୍ପ ସମୟ ପରେ ସେମାନଙ୍କ ଡାହାଣ ପାଖେ ପାଟି ଶୁଣାଗଲା । ଲୋକମାନେ ମଧ୍ୟ ବଣ ଭିତରେ ପଶି ଏମାନଙ୍କୁ ଦେଖିପାରିଥିଲେ । ମାର୍ଗାରେଟ୍‌ ସେତେବଳକୁ ଅଣନିଶ୍ୱାସୀ ହୋଇପଡ଼ିଥିଲା । ଯାହାହେଉ ସେମାନେ ଜଙ୍ଗଲର ଗୋଟିଏ ବୁଦୁବୁଦୁକିଆ ଅଞ୍ଚଳ ଭିତରେ ପଶିଗଲେ ଓ ସେମାନଙ୍କୁ ବର୍ଗୋମାଷ୍ଟରର ଲୋକେ ଦେଖିପାରିଲେ ନାହିଁ । ମାର୍ଟିନ୍‌ ଏହି ଜଙ୍ଗଲ ଭିତରେ ବସିଗଲା ଓ ପକେଟରୁ ଖଣ୍ଡେ ରୁଟି ବାହାର କରି ସେ ଖାଇବାକୁ ଆରମ୍ଭ କଲା । ଏହା ଦେଖି ଅନ୍ୟ ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ମାର୍ଟିନ୍‌ କହିଲା, ‘‘ଭୟ କର ନାହିଁ । ଯେତେ ଲୋକ ଆସି ଖୋଜନ୍ତୁ ତୁମକୁ କେହି ଦେଖିପାରିବେ ନାହିଁ । ଆରେ, ଏ କଅଣ କରିଛ ଜେରାର୍ଡ଼–ଇଟାଲୀକୁ ଯିବ କିପରି ? ଟଙ୍କାତକ ଏହିଠାରେ ହଜାଇ ଯିବ ନା କଅଣ ?’’

 

ଜେରାର୍ଡ଼ ଦେଖିଲା, ତା’ ପୋଷାକରୁ ଗୋଟାଏ ଟଙ୍କାଥଳି ଓହଳିଛି । ସେ କହିଲା, ‘‘ସେ ଟଙ୍କା ମୋର ନୁହେଁ । କେଉଁଠାରୁ ଆସିଲା, ଆଶ୍ଚର୍ଯ୍ୟ କଥା !’’

 

ପ୍ରକୃତ କଥା ହେଉଛି, ଜେରାର୍ଡ଼ ଘିସ୍‌ବ୍ରେକ୍‌ଟକୁ ପିଟିଲାବେଳେ ଦୈବାତ୍‌ ତାର ଟଙ୍କାଥଳିଟା ଜେରାର୍ଡ଼ର ପୋଷାକରେ ଛନ୍ଦିହୋଇ ରହିଯାଇଥିଲା । ଏପରିଭାବେ ଛନ୍ଦିହୋଇ ଗଣ୍ଠି ପଡ଼ିଯାଇଥିଲା ଯେ ଛୁରିରେ କାଟି ଏହାକୁ କାଢ଼ିବାକୁ ହେଲା । ଏହା ଭିତରେ ଅନେକ ଟଙ୍କା ଥିଲା-। ମାର୍ଗାରେଟ୍‌ କହିଲା, ‘‘ସେ ପାପିଷ୍ଠର ଟଙ୍କାକୁ ଫିଙ୍ଗିଦିଅ, ନ ହେଲେ ମାର୍ଟିନ୍‌ ନେଇଯାନ୍ତୁ । ସେ ପାପ ଧନ ଛୁଇଁବାର ନୁହେଁ ।

 

ଜେରାର୍ଡ଼ କହିଲା, ‘‘କେବେହେଲେ ଫିଙ୍ଗିଦେବି ନାହିଁ । ସେ ଆମର ଶତ୍ରୁ । ଯୁଦ୍ଧରେ ଜିଣିଲେ ଶତ୍ରୁର ଧନ ଲୁଟିକରି ନେବା ବିଧିସଙ୍ଗତ । ଏ ଧନ ଏବେ ଆମର । କଅଣ କହୁଛ ମାର୍ଟିନ୍‌-?’’

 

ଏହି ସମୟରେ ଦୂରରୁ କୁକୁର ଭୁକିବା ଶୁଣାଗଲା ।

 

ମାର୍ଟିନ ଜଣେ ପୁରୁଷ ସୈନିକ । ସେ ଜୀବନରେ କେତେ ବିପଦର ସମ୍ମୁଖୀନ ହୋଇଛି, କିନ୍ତୁ ଏଭଳି ବିପଦ ତା ପକ୍ଷରେ ଏକବାରେ ନୂତନ । ସେ କେବେ ଡାହାଳ କୁକୁର ସହିତ ଯୁଦ୍ଧ କରି ନ ଥିଲା । ସେ କଅଣ କରିବ ସ୍ଥିର କରିପାରିଲା ନାହିଁ ।

 

ଜେରାର୍ଡ଼ କହିଲା, ‘‘–ଠିଆହୋଇ ରହିଲ କାହିଁକି ମାର୍ଟିନ୍‌ ପଳାଇବାର ଚେଷ୍ଟା କର ।’’

 

ମାର୍ଟିନ୍‌ ଉତ୍ତର କଲା, ‘‘ପକାଇଲେ ଲାଭ ହେବ କଅଣ ? ପଦାକୁ ଗଲେ ଆମକୁ କୁକୁରଗୁଡ଼ାକ ସହଜେ ମାରିପାରିବେ । ଏଇପାଖରେ ଗୋଟାଏ ଜାଗା ମୋତେ ଜଣାଅଛି, ସେଠାକୁ ଗଲେ ଅନ୍ତତଃ କିଛି ପ୍ରତିରୋଧ କରିବାର ଆଶା ଅଛି । ଜାଣ, ଡାହଳ କୁକୁର ରକ୍ତର ଗନ୍ଧ ବାରି ଶତ୍ରୁକୁ ଅନୁସରଣ କରେ ?’’

 

ଏହି ସମୟରେ କୁକୁରର ଭୁକିବା ନିକଟରୁ ଶୁଣାଗଲା । ମାର୍ଟିନ୍‌ ଭୟରେ ସ୍ତମ୍ଭୀଭୂତ ହୋଇଗଲା । ଜେରାର୍ଡ଼ ବୁଝିପାରିଲା ଯେ ତାର ଦେହରୁ ରକ୍ତ ପଡ଼ିଥିଲା; କୁକୁର ତାକୁ ହିଁ ଖୋଜି ଖୋଜି ଆସୁଛି ।

 

ଏ ବିପଦରୁ ଉଦ୍ଧାର ପାଇବା ପାଇଁ ମାର୍ଗାରେଟ୍‌ ମନେ ମନେ ଗୋଟାଏ ଉପାୟ ସ୍ଥିର କରିପକାଇଲା । ସେ ହଠାତ୍‌ ମାର୍ଟିନ୍‌ ହାତରୁ ଛୁରି ଆଣି ନିଜ ହାତର ଠାଏ ଚରିଦେଲା । ସେଥିରୁ ରକ୍ତ ବୋହିଲା । ସେହି ରକ୍ତରୁ କିଛି ନେଇ ସେ ନିଜ ଜୋତାରେ ବୋଳିଦେଲା । ମାର୍ଟିନ୍‌ ବା ଜେରାର୍ଡ଼ କେହି ଏହା ଲକ୍ଷ୍ୟ କରିପାରି ନ ଥିଲେ ।

 

ଏହା ପରେ ମାର୍ଗାରେଟ୍‌ ମାର୍ଟିନ୍‌କୁ କହିଲା, ‘‘କେଉଁଠାକୁ ଯିବାକୁ କହୁଥିଲ, ଶୀଘ୍ର ଚାଲ ଯିବା ।’’

 

ଯିବା, ସେ ସ୍ଥାନଟା ବେଶି ଦୂର ନୁହେଁ, କିନ୍ତୁ ସେଠାରେ ମଣିଷଠାରୁ ରକ୍ଷା ପାଇବାର ଆଶା ଅଛି ସିନା କିନ୍ତୁ ଡାହାଳ କୁକୁରଠାରୁ କିପରି ରକ୍ଷା ପାଇବା ?’’ ଏହା କହି ମାର୍ଟିନ୍‌ ଧୀରେ ଧୀରେ ଚାଲିଲା ।

 

ମାର୍ଗାରେଟ୍‌ ପଚାରିଲା, ‘‘ତେବେ କଅଣ କରିବା ?’’

 

‘‘ବଣ ଭିତରେ ଶେଷଯାଏ ଯାଇ ଅପେକ୍ଷା କରିବା । ଲୋକେ ଜଣକ ପଛରେ ଜଣେ ଆସିଲେ ଗୋଟି ଗୋଟି କରି ମାରିବା, ନ ପାରିଲେ ସେମାନଙ୍କ ହାତରେ ମରିବା ।’’

 

ଜେରାର୍ଡ଼ ପଚାରିଲା, ‘‘ଏହା ଛଡ଼ା ଅନ୍ୟ କିଛି ଉପାୟ ଦେଖାଯାଉ ନାହିଁ ?’’

‘‘ନା, ମୁଁ ଆଉ କିଛି ଭାବିପାରୁ ନାହିଁ ।’’

 

‘‘ତେବେ ମାର୍ଟିନ୍‌ ଏଣିକି ମୁଁ ଆମ ଦଳର ନେତା ହେବି । ତୁମେ ମୋ କଥା ଅନୁସାରେ କାମ କରିବ ।’’

 

ମାର୍ଟିନ୍‍ ଓ ମାର୍ଗାରେଟ୍‌ ଏ ପ୍ରସ୍ତାବରେ ରାଜି ହେଲେ । ସେମାନେ ଜଙ୍ଗଲ ଭିତରେ ଚାଲିଲେ ।

 

ଏହି ସମୟରେ ଡାହାଳ କୁକୁରର ଭୁକିବା ଶବ୍ଦ ନିକଟରେ ଶୁଣାଗଲା । ମାର୍ଟିନ୍‌ ଭୂଇଁରେ କାନ ଲଗାଇ ଓ ଶୁଣି କହିଲା, ‘‘ଖାଲି କୁକୁର ନୁହେଁ, ଘୋଡ଼ା ଟାପୁର ଶବ୍ଦ ମଧ୍ୟ ଶୁଣାଯାଉଛି ।’’

 

ଜେରାର୍ଡ଼ ‘‘ହଁ, ଘିସ୍‌ବ୍ରେକ୍‌ଟ ଆସୁଥିବ । ସେ ବଞ୍ଚିଥିବା ଯାଏ ମୋ ପଛେ ପଛେ ଲାଗିଥିବ ।’’

 

ମାର୍ଟିନ୍‌ ‘‘ଏଥର ସାଧାରଣ ମାଡ଼ ଦେଲେ ହେବ ନାହିଁ, ଏକବାରେ ମାରିଦେବାକୁ ହେବ-।’’

 

ଜେରାର୍ଡ଼–‘‘ହଁ, ସୁବିଧା ମିଳିଲେ ତା’ ପ୍ରାଣ ନ ନେଇ ଛାଡ଼ିବି ନାହିଁ ’’।

 

ଏଣିକି କେତେକ ବଡ଼ ଗଛ ଦେଖାଗଲା; କିନ୍ତୁ ସେଗୁଡ଼ିକ ପରସ୍ପରଠାରୁ ଖୁବ୍‌ ଛଡ଼ା ଛଡ଼ା –ତେଣୁ ଲୁଚିବା ପାଇଁ ସୁବିଧା ନ ଥିଲା ।

 

ବିପଦର ସମ୍ମୁଖୀନ ହେବାକୁ ସ୍ଥିର କରି ସେମାନେ ପ୍ରସ୍ତୁତ ହୋଇ ରହିଲେ । ବର୍ଗୋମାଷ୍ଟର ଲୋକମାନେ ଭଙ୍ଗା ଡାଳ ଭିତର ଦେଇ ଆସିଲାବେଳକୁ ଏକପ୍ରକାର ଶବ୍ଦ ହେଲା । ତା’ ସଙ୍ଗେ କୁକୁରମାନଙ୍କର ଶବ୍ଦ । ଉଭୟ ଶବ୍ଦ ପାଖେଇ ଆସିଲା । ଏହି ସମୟରେ ମାର୍ଗାରେଟ୍‌ ଜେରାର୍ଡ଼ର କାନ ପାଖରେ କହିଲା, ‘‘ମାର୍ଟିନ୍‌ଙ୍କର ଇଚ୍ଛା ଯଦି ଆମକୁ ଅଲଗା ହୋଇଯିବାକୁ ପଡ଼େ, ତେବେ ପଛରେ ଥିବା ସେହି ମଲାଗଛଠାରେ ପୁଣି ଭେଟ ହେବ ।’’

 

‘‘ହଁ, ସେକଥା ମୁଁ ଜାଣେ । ତୁମେ ଲୁଚିଯାଅ ।’’

 

ମାର୍ଗାରେଟ୍‌ ମାର୍ଟିନ୍‌ ଆଡ଼କୁ ଫେରିଗଲାବେଳକୁ ଅଧବାଟରେ ହଠାତ୍‌ ଗୋଟାଏ ଡାହାଳ କୁକୁର ତା ଆଡ଼କୁ ମାଡ଼ିଆସିଲା । ସେ ଭୟରେ ସ୍ତମ୍ଭୀଭୂତ ହୋଇ ରହିଗଲା; କିନ୍ତୁ କୁକୁର ଜେରାର୍ଡ଼ର ରକ୍ତ ଗନ୍ଧରେ ଆସିଥିଲା । ସେ ମାର୍ଗାରେଟ୍‌କୁ ନ ଚାହିଁ ଜେରାର୍ଡ଼ ଆଡ଼କୁ ଦୌଡ଼ିଲା, କିନ୍ତୁ ସେ ଜେରାର୍ଡ଼ ପାଖରେ ପହଁଞ୍ଚିବା ପୂର୍ବରୁ ମାର୍ଟିନ୍‌ର ଗୋଟିଏ ଶରରେ ପ୍ରାଣ ହରାଇ ପଡ଼ିଗଲା-। ଏହି ସମୟରେ ଆଉ ଗୋଟିଏ କୁକୁର ବାହାରିପଡ଼ି ମଲାକୁକୁର ପାଖରେ ପହଞ୍ଚିଗଲା ଓ ତାକୁ ଶୁଙ୍ଘିଲା । ଜେରାର୍ଡ଼ ତାକୁ ପିଟି ମାରି ଦେବା ପାଇଁ ଦୌଡ଼ିଆସିଲା । କିନ୍ତୁ ଜେରାର୍ଡ଼ର ପାହାର ତା’ ଦେହରେ ବାଜିବା ଆଗରୁ ମାର୍ଟିନ୍‌ର ଶର ଆସି ତା’ ଦେହରେ ପଶିଗଲା । କୁକୁରଟା ଆହତ ହୋଇପଡ଼ିଲେ ହେଁ ମଲା ନାହିଁ ।

 

ଏହି ସମୟରେ ବଣ ଭିତରୁ ହଠାତ୍‌ ତିନିଜଣ ଲୋକ ବାହାରି ପଡ଼ିଲେ । କୁକୁରଟାକୁ ପିଟି ମାରି ଦେବାପାଇଁ ଜେରାର୍ଡ଼କୁ ବେଳ ମିଳିଲା ନାହିଁ । ପଛକୁ ପଳାଇଯିବା ସକାଶେ ମାର୍ଟିନ୍‌କୁ ଇସାରା ଦେଇ ସେ ଗଭୀର ଜଙ୍ଗଲ ଭିତରକୁ ପଳାଇଲା । ଏହି ତିନିଜଣ ଲୋକଙ୍କ ପଛରେ ଛଡ଼ା ଛଡ଼ା ହୋଇ ଆହୁରି ଅନେକ ଲୋକ ଥିଲେ ।

 

ଜେରାର୍ଡ଼ ଓ ତା’ ପଛେ ପଛେ ମାର୍ଟିନ୍‌ ଓ ମାର୍ଗାରେଟ୍‌ ନଇଁ ନଇଁ ବଣ ଭିତରେ ପଛକୁ ଚାଲିଲେ । ଏଣେ ଘିସ୍‌ବ୍ରେକ୍‌ଟଙ୍କ ଲୋକେ ଆଗକୁ ଚାଲିଥାନ୍ତି । କିନ୍ତୁ ଖୁବ୍‌ ପାଖରେ ପରସ୍ପରର ବିପରୀତ ଦିଗକୁ ଚାଲିଥିଲେ ହେଁ ସେମାନେ ଜେରାର୍ଡ଼ର ଦଳକୁ ଦେଖିପାରି ନ ଥିଲେ ।

 

ଗୋଟାଏ ଚିତ୍କାର ଶୁଣାଯିବାରୁ ଜେରାର୍ଡ଼ ଓ ତା’ର ସଙ୍ଗୀମାନେ ବୁଝିପାରିଲେ ଯେ ଘିସ୍‌ବ୍ରେକ୍‌ଟର ଲୋକେ ଆହତ ହୋଇ ପଡ଼ିଥିବା କୁକୁରଟିକୁ ଦେଖିପାରିଛନ୍ତି । ଅନ୍ୟ ଲୋକମାନେ ସେମାନଙ୍କ ପାଖକୁ ଦଉଡ଼ି ଆସିଲେ । ଏହି ଅବସରରେ ପଳାତକମାନେ ଦଉଡ଼ିବାକୁ ସୁବିଧା ପାଇଲେ । ମାର୍ଟିନ୍‌ ଓ ମାର୍ଗାରେଟ୍‌ ଏକ ଦିଗରେ ଗଲେ, ଜେରାର୍ଡ଼ ଅନ୍ୟବାଟେ ଚାଲିଯାଇଥିଲା ।

 

ସେମାନେ ବନର ପ୍ରାନ୍ତଭାଗ ନିକଟରେ ହେଲାବେଳକୁ ପଛଆଡ଼ୁ ଲୋକଙ୍କର ଦୌଡ଼ିବା ଶବ୍ଦ ଶୁଣାଗଲା । ଏଥିମଧ୍ୟରେ ପଳାତକମାନେ ଜଙ୍ଗଲରୁ ପଳାଉଥିବାର ସେମାନେ ଲକ୍ଷ୍ୟ କରିପାରିଥିଲେ ।

 

ମାର୍ଟିନ୍‌ କହିଲା, ‘‘ସେମାନେ ଆମକୁ ଦେଖିଲେଣି, କିନ୍ତୁ ଜୋର୍‌ରେ ଦଉଡ଼ିଲେ ସେମାନେ ଆମକୁ ଆଉ ଦେଖିପାରିବେ ନାହିଁ ।’’

 

ମାର୍ଟିନ୍‌ ଦୌଡ଼ିବାକୁ ବାହାରିଲା ବେଳକୁ ଦେଖିଲା ଆଗରେ ଘିସ୍‍ବ୍ରେକ୍‌ଟ ଘୋଡ଼ାରେ ବସି ଜଗିରହିଛି । ତା ନାକରେ ଖଣ୍ଡେ କନା ବନ୍ଧା ହୋଇଛି, ସେଥିରେ ରକ୍ତର ଦାଗ ଦିଶୁଛି । ମାର୍ଟିନ୍‌ ଧନୁରେ ଶର ବସାଇଲା । ମାର୍ଗାରେଟ୍‌ ଭୟରେ ଆଖି ବୁଜିଦେଲା । ମାତ୍ର ମାର୍ଟିନ୍‌ ଶର ମାରିବା ପୂର୍ବରୁ ଜଣେ କେହି ଘିସ୍‍ବ୍ରେକ୍‌ଟର ପଛପଟୁ ଟାଣି ତାକୁ ତଳେ ପକାଇଦେଲା । ମାର୍ଟିନ୍‌ ଦେଖିଲା, ଜେରାର୍ଡ଼ ଘିସ୍‌ବ୍ରେକ୍‌ଟକୁ ମାଡ଼ିବସି ତାକୁ ଡାକୁଛି ।

 

ମାର୍ଟିନ୍‌ ଓ ମାର୍ଗାରେଟ୍‌ ଦୌଡ଼ିଯାଇ କହିଲେ, ‘‘ଜେରାର୍ଡ଼, ଆସ ଆମେ ପଳାଇଯିବା ।’’ କିନ୍ତୁ ମାର୍ଗାରେଟ୍‌ର ପଳାଇବାର ଶକ୍ତି ନ ଥିଲା । ସେ ହାତରେ ଯେଉଁ ଆଘାତ କରିଥିଲା ସେଥିରୁ ପ୍ରଚୁର ରକ୍ତ ବହି ତାକୁ ଦୁର୍ବଳ କରି ପକାଇଥିଲା । ସେ କହିଲା, ‘‘ମୁଁ ଯାଇପାରିବି ନାହିଁ । ମୋତେ ଏଠାରେ ଛାଡ଼ି ତୁମେ ଦୁହେଁ ଚାଲିଯାଅ ।’’

 

ଜେରାର୍ଡ଼ କହିଲା, ‘‘ନା, ତୁମକୁ ଛାଡ଼ି ଆମେ ଯାଇପାରିବୁ ନାହିଁ । ତୁମେ ଘିସ୍‍ବ୍ରେକ୍‌ଟର ଏଇ ଘୋଡ଼ା ଉପରେ ବସିପଡ଼ । ମୁଁ ତୁମ ପାଖେ ପାଖେ ଦଉଡ଼ିବି ।’’

 

ଘିସ୍‍ବ୍ରେକ୍‌ଟ ଭୂଇଁରୁ ଉଠି ସାହାଯ୍ୟ ପାଇଁ ତା’ର ଲୋକଙ୍କୁ ଡାକ ପକାଇଲା । କିନ୍ତୁ ଜେରାର୍ଡ଼ ତାକୁ ପୁଣି ତଳେ ପକାଇ ଗୋଟାଏ ଗୋଇଠା ମାରିଲା । ମାର୍ଗାରେଟ୍‌ ଘୋଡ଼ାରେ ବସିଲା-। ଠିକ୍‌ ଏତିକି ବେଳକୁ ଡେରିକ୍‌ ପାଞ୍ଚଜଣ ଲୋକଙ୍କୁ ଘେନି ସେଠାରେ ପହଞ୍ଚିଗଲା ।

Image

 

Unknown

କିଏ ଜିତିବ ?

 

ଘିସ୍‌ବ୍ରେକ୍‌ଟ ଓ ତା ଲୋକମାନେ ହିଂସ୍ରଜନ୍ତୁ ପରି ହୋଇଯାଇଥିଲେ । ସେମାନେ ଜେରାର୍ଡ଼ର ଖୁବ୍‌ ପାଖକୁ ଲାଗିଗଲେ, କିନ୍ତୁ ଧରିବାପାଇଁ ଠିକ୍‌ ହାତ ବଢ଼ାଇବାବେଳକୁ ସେ ଖସି ଚାଲିଗଲା । କ୍ରମେ ଜେରାର୍ଡ଼ ଓ ସେମାନଙ୍କ ମଧ୍ୟରେ ଦଶଗଜ ପର୍ଯ୍ୟନ୍ତ ବ୍ୟବଧାନ ହୋଇଗଲା । ଉଭୟ ପକ୍ଷ ପ୍ରାୟ ଶହେ ଗଜ ଦୌଡ଼ିଲେ, ତଥାପି ସେ ଦଶଗଜ ବ୍ୟବଧାନ କମିଲା ନାହିଁ ।

 

ମାର୍ଟିନ୍‍ ଚିତ୍କାର କଲା, ‘‘ସାବାସ୍‍ ଜେରାର୍ଡ଼ ! ସେ ଲୋକଗୁଡ଼ାକ ଥକିଗଲେଣି । ଦଉଡ଼ି, ଦଉଡ଼ି ।’’

 

ମାର୍ଟିନର କଥା ସତ । ଡେରିକ୍‌ ଓ ତାର ସାଥୀମାନେ ହାଲିଆ ହୋଇପଡ଼ିଥିଲେ । ଏଣିକି ଉଠାଣି ରାସ୍ତା ପଡ଼ିଲା । ଜେରାର୍ଡ଼କୁ ସୁବିଧା ମିଳିଲା । ଡେରିକ୍‍ ଉଠାଣି ମୁଣ୍ଡରେ ପହଞ୍ଚିଲା ବେଳକୁ ତା’ର ଆଉ ଦଉଡ଼ିବାର ଶକ୍ତି ନ ଥିଲା । ସେ ଦଉଡ଼ିବା ବନ୍ଦ କରି ଧିରେ ଧୀରେ ଚାଲିବାକୁ ଲାଗିଲା-। ସେ ଲୋକମାନଙ୍କୁ କହିଲା–ତାକୁ ଧରି ନ ପାରିଲେ ପ୍ରାଣରେ ମାରିଦିଅ ।

 

ଡେରିକ୍‌ ପରେ ଅନ୍ୟମାନେ ଜଣକ ପରେ ଜଣେ ପଡ଼ିଗଲେ । କେବଳ ଏରିକ୍‌ ବୋଲି ଜଣେ ଲୋକ ଜେରାର୍ଡ଼ର ପଛେ ପଛେ ଲାଗି ରହିଲା । ଏହା ପରେ ଗୋଟାଏ ମୁଣ୍ଡିଆ ପଡ଼ିଲା । ଜେରାର୍ଡ଼ ଘୋଡ଼ାକୁ ଆଶ୍ରା କରି ଉପରକୁ ଉଠିଲା । ଏରିକ୍‌ ପ୍ରାୟ ଅଶୀ ଗଜ ପଛରେ ରହିଗଲା । ତାର ଜେରାର୍ଡ଼କୁ ଧରିବାର ଆଶା ଲୋପ ପାଇଲା । ତେଣୁ ସେ ଜେରାର୍ଡ଼କୁ ଲକ୍ଷ୍ୟ କରି ଗୋଟାଏ ଶର ମାରିଲା । କିନ୍ତୁ ତିନିଜଣ ଯାକ କୁଆଡ଼େ ଉଭେଇ ଗଲେ । ଘୋଡ଼ାର ମଧ୍ୟ ଦେଖା ମିଳିଲା ନାହିଁ ।

Image

 

ବିଚ୍ଛେଦ

 

ଏରିକ୍‌ ଭାବିଲା, ତା ଶରରେ ଜଣେ କେହି ମରିଥିବ ଅନ୍ୟମାନେ ଭୟରେ ତଳେ ପଡ଼ିଥିବେ । ସେ ତାର ସଙ୍ଗୀମାନଙ୍କୁ ଡାକିଲା–ଆସ, ସମସ୍ତଙ୍କୁ ଧରି ଆଣିବା । ଏହା କହି ସେ ଆଗେଇଗଲା । ସେ ଅଧେ ବାଟ ନ ଯାଉଣୁ ମାର୍ଟିନ୍‍ ହଠାତ୍‌ ଧନୁଶର ଧରି ତା ଆଗରେ ଛିଡ଼ା ହୋଇଗଲା । ଏରିକ୍‌ ଭୟ ଓ ବିସ୍ମୟରେ ଗୋଟାଏ ଗଛ ପଛରେ ଲୁଚିଗଲା ।

ସେ ଦେଖିଲା, ମାର୍ଟିନ୍‌ର ଶର ତାର ଆଡ଼କୁ । ସେ ହଲ୍‌ଚଲ୍‌ ନ ହୋଇ ଛିଡ଼ା ହୋଇ ରହିଲା । ଏଥିମଧ୍ୟରେ ଏରିକ୍‌ର ସାଥୀମାନେ ଦେଖାଗଲେ । ମାର୍ଟିନ୍‌ ଘୋଡ଼ା ଉପରେ ବସି ଚାଲିଗଲା ।

ପୁଣି ସମସ୍ତେ ଦଉଡ଼ିଲେ । ପାହାଡ଼ ମୁଣ୍ଡରୁ ସେମାନେ ଜେରାର୍ଡ଼ ଓ ମାର୍ଗାରେଟ୍‌କୁ ଦେଖି ପାରିଲେ । ସେ ଦୁହେଁ ଖୁବ୍‌ ଦୂରରେ ଥିଲେ । ମାର୍ଟିନ୍‌ ଘୋଡ଼ାରେ ବସି ସେମାନଙ୍କ ପଛରେ ଯାଉଥିଲା ।

ଡେରିକ୍‌ ଶର ମାରିଲା ବେଳେ କଅଣ ହୋଇଥିଲା କହିଦେବା ଉଚିତ । ଶରଟି ଆସିଲା ବେଳକୁ ଦୈବାତ୍‌ ଘୋଡ଼ାର ଗୋଡ଼ ଗୋଟାଏ ଖାତରେ ପଡ଼ିଗଲା ଏବଂ ଜେରାର୍ଡ଼ ଓ ମାର୍ଗାରେଟ୍‌ ତା ଉପରୁ ତଳେ ପଡ଼ିଗଲେ । ଶରଟା କାହାରି ଦେହରେ ନ ବାଜି ଚାଲିଗଲା । ଘୋଡ଼ା ଉଠି ଛିଡ଼ାହେଲା । ମାର୍ଟିନ୍‌ ବୁଲିପଡ଼ି ଡେରିକ୍‌କୁ ଦେଖିଲା ଜଣେ ଲୋକ ଆସୁଥିବାର ଦେଖି ସେ ଜେରାର୍ଡ଼ ଓ ମାର୍ଗାରେଟ୍‌କୁ ପଳାଇବାକୁ କହି ନିଜେ ଘୋଡ଼ା ପାଖରେ ଧନୁଶର ଧରି ଜଗିରହିଥିଲା-

ଅନେକ ଦୂର ଯିବା ପରେ ମାର୍ଟିନ୍‌ ଜେରାର୍ଡ଼ ଓ ମାର୍ଗାରେଟ୍‌ ପାଖେ ପହଞ୍ଚିଲେ ଓ ସେ ଦୁହିଁଙ୍କୁ ଘୋଡ଼ାରେ ବସାଇ ନିଜେ ଦୌଡ଼ିବାକୁ ଲାଗିଲେ । କିଛି ସମୟ ପରେ ସେ କ୍ଳାନ୍ତ ହୋଇପଡ଼ିବାରୁ ଘୋଡ଼ାରେ ବସିଲେ ଓ ଅନ୍ୟ ଦୁହେଁ ଦୌଡ଼ିଲେ । ଏହିପରିଭାବେ ସେମାନେ ଡେରିକ୍‌ ଓ ତାର ଲୋକମାନଙ୍କଠାରୁ ଏତେ ଦୂରକୁ ଚାଲିଗଲେ ଯେ ଆଉ ସେମାନେ ଦେଖାଗଲେ ନାହିଁ । ଡେରିକ୍‌ ପଳାତକଙ୍କୁ ଧରିବା ଆଶା ଛାଡ଼ିଦେଇ ତାର ଲୋକମାନଙ୍କୁ ଘେନି ବର୍ଗୋମାଷ୍ଟର ଓ ଆହତ କୁକୁରକୁ ସାହାଯ୍ୟ କରିବା ପାଇଁ ଫେରିଗଲା ।

 

ନିରାପଦ ସ୍ଥାନରେ ପହଞ୍ଚି ପାରିଥିବାରୁ ଜେରାର୍ଡ଼ ଓ ମାର୍ଗାରେଟ୍‌ ଆନନ୍ଦିତ ହେଲେ । ଏହି ସମୟରେ ଜେରାର୍ଡ଼ ମାର୍ଗାରେଟ୍‌ ଦେହରେ ରକ୍ତ ଲାଗିଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଗଲା । ସେ ମନେକଲା ଯେ ଡେରିକ୍‌ର ଶର ବାଜି ଏହି କ୍ଷତ ହୋଇଥିବ; କିନ୍ତୁ ମାର୍ଗରେଟ୍‌ କହିଲା ‘‘ନା, ଶର ବାଜି ନାହିଁ । ମୁଁ ନିଜେ ଛୁରିରେ ରକ୍ତ ବାହାରକରି ପାଦରେ ବୋଳିଛି । ଡାହାଳ କୁକୁର ରକ୍ତ ଶୁଙ୍ଘି ଲୋକ ପଛରେ ଲାଗନ୍ତି ବୋଲି ଶୁଣିଲି । କୁକୁର ତୁମ ପଛରେ ନ ଲାଗି କିପରି ମୋ ପଛରେ ଲାଗିବ ସେଥିପାଇଁ ମୁଁ ଏହା କରିଛି । ତୁମପାଇଁ ମୁଁ ମୋର ପ୍ରାଣ ଦେବାକୁ ପ୍ରସ୍ତୁତ । ସାମାନ୍ୟ ରକ୍ତ ଦେଲି ବୋଲି ଚିନ୍ତା କାହିଁକି ?’’

 

ଏହା ଶୁଣି ଜେରାର୍ଡ଼ ଦୁଃଖରେ ଅଭିଭୂତ ହୋଇ କହିଲା, ‘‘ହାୟ । ତୁମେ ମୋ ପାଇଁ କଅଣ ନ କଲ ? କିନ୍ତୁ ଦୈବର ବିଡ଼ମ୍ୱନା ଦେଖ -ତୁମକୁ ଛାଡ଼ି ମୋତେ ଦୂରକୁ ଯିବାକୁ ହେବ । ତୁମେ ହଲାଣ୍ଡରେ ରହିବ, ମୁଁ ରହିବି ସୁଦୂର ଇଟାଲିରେ ।’’

 

ମାର୍ଟିନ୍‌ ସେ ଦୁହିଁଙ୍କୁ ଗୋଟିଏ ରାସ୍ତାରେ ପହଞ୍ଚାଇ ଦେଇ କହିଲା ‘‘ଜେରାର୍ଡ଼, ମୁଁ, ଏଇ ରାସ୍ତା ବିଷୟ ତୁମକୁ କହୁଥିଲି । ଦୂରରେ ସେଇ ଯେ ଘର ଦେଖିପାରୁଛ ସେଠାରୁ ସାହାଯ୍ୟ ପାଇପାରିବ ।’’

 

ଏଇଠାରୁ ଜେରାର୍ଡ଼ ମାର୍ଗାରେଟ୍‌ ଠାରୁ ବିଦାୟ ନେବାର କଥା । ଜେରାର୍ଡ଼ ମାର୍ଟିନ୍‍କୁ ଏକୁଟିଆ ଡାକିନେଇ କହିଲା–‘‘ମୁଁ ଯାଉଛି, ମାର୍ଗାରେଟ୍‌ ତୁମକୁ ଲାଗିଲା । ସେ ମୋର ସ୍ତ୍ରୀ ନୁହେଁ ଯେ ମୋ ଜୀବନର ଜୀବନ । ତାକୁ ତୁମେ ରକ୍ଷା କରିବ ।’’ ମାର୍ଟିନ୍‍ ଆଶ୍ୱାସନା ଦେଇ କହିଲା, ‘‘ଈଶ୍ୱରଙ୍କ ଉପରେ ନିର୍ଭର କରି ଯାଅ । ଜାଣିଥାଅ ମୁଁ ଥିବାଯାଏ ମାର୍ଗାରେଟ୍‌ର କିଛି ବିପଦ ହେବ ନାହିଁ ।’’

 

ଜେରାର୍ଡ଼ ଲୁହ ଛଳ ଛଳ ଆଖିରେ ଚାଲିବାକୁ ଲାଗିଲା । ମାର୍ଗାରେଟ୍‌ ଦୁଃଖରେ କାନ୍ଦି ପକାଇଲା । ମାର୍ଟିନ୍‍ ତାକୁ ଘୋଡ଼ାରେ ବସାଇ ଘର ଆଡ଼କୁ ଫେରିଲା ।

 

ଜେରାର୍ଡ଼ ଚାଲି ଚାଲି ଯାଇ ସେହି ଘରେ ପହଞ୍ଚିଲା । ମାର୍ଟିନ୍‍ ଯାହା କହିଥିଲା ସତ । ସେଠାରୁ ସେ ଗୋଟିଏ ଘୋଡ଼ା ଓ ବାଟ ଦେଖାଇବା ପାଇଁ ଜଣେ ଲୋକ ସାହାଯ୍ୟ ପାଇଲା । ଦୁହେଁ ଜର୍ମାନୀ ଆଡ଼କୁ ଅଗ୍ରସର ହେଲେ । ଅନେକ ସମୟ ପରେ ସେ ଦୁହେଁ ଗୋଟିଏ ଉଚ୍ଚ ପାହାଡ଼ ପାଖେ ପହଞ୍ଚିଲେ । ପାହାଡ଼ର ଅପର ପାର୍ଶ୍ୱର ପାଦଦେଶରେ ଗୋଟିଏ ଛୋଟ ନଦୀ ବହିଯାଉଥିଲା । ପଥପ୍ରଦର୍ଶକ ସେଠାରେ ରହିଯାଇ କହିଲା, ‘‘ମୋର ଏଣିକି ଯିବା ଦରକାର ନାହିଁ-। ଏଇ ନଦୀଟା ପାର ହୋଇଗଲେ, ତୁମେ ଜର୍ମାନୀ ରାଜ୍ୟରେ ପ୍ରବେଶ କରିବ । କିନ୍ତୁ ତୁମେ ଯେଉଁ ଦେଶକୁ ଯାଉଛ, ସେ ଯେ କେତେ ଦୂର ତୁମର ମନୋମତ ହେବ ସେ ବିଷୟରେ ମୋର ସନ୍ଦେହ-।’’

 

ପଥପ୍ରଦର୍ଶକ ଫେରିଗଲା । ଜେରାର୍ଡ଼, ନଦୀକୂଳକୁ ଯାଇ ତାର ନିର୍ମଳ ଜଳରୁ କିଛି ପିଇଲା, ହାତ ଗୋଡ଼ ଧୋଇଲା । ସେ ନୂତନ ଜୀବନ ପାଇଲା ପରି ଅନୁଭବ କଲା । ସେ କ୍ଷୁଦ୍ର ନଦୀଟି ପାର ହୋଇ ଜର୍ମାନୀ ରାଜ୍ୟରେ ପାଦଦେଲା । କିନ୍ତୁ ସେତେବେଳକୁ ସେ ପ୍ରକୃତରେ ନିତାନ୍ତ ଅବସନ୍ନ ହୋଇପଡ଼ିଥିଲା।

Image

 

ଅରଣ୍ୟତାରକା

 

କ୍ଲାନ୍ତ ଦେହ ଓ ବିଷର୍ଣ୍ଣ ମନ ନେଇ ଜେରାର୍ଡ଼ ଚାଲିଲା । ସୂର୍ଯ୍ୟ ଅସ୍ତ ହୋଇ ଆସିଲେ । ତାର ଚିନ୍ତା, ରାତିରେ କେଉଁଠାରେ ବିଶ୍ରାମ ନେବ । ଦୈବ ଯୋଗକୁ ମେଘ ଘୋଟି ଆସିଲା । ସେ ଦୌଡ଼ିବାକୁ ଲାଗିଲା । ଚାରିଆଡ଼ୁ ଅନ୍ଧାର ମାଡ଼ି ଆସିଲା । ତା ସାଙ୍ଗକୁ ଟୋପା ଟୋପା ବର୍ଷା । ଜେରାର୍ଡ଼ ଭାବିଲା, ‘ହାୟ ! ମାର୍ଗାରେଟ୍‌କୁ ଛାଡ଼ି ଆସିଲି କାହିଁକି ?’

 

ବଣ ଭିତରେ ସଂକୀର୍ଣ୍ଣ ରସ୍ତାଟିଏ । ଉପରୁ ବର୍ଷା ପଡ଼ୁଛି, ସେଥିରେ ଚାଲିଛି ଜେରାର୍ଡ଼ । ଅନ୍ଧାରରେ ଆବୁଡ଼ାଖାବୁଡ଼ା ରାସ୍ତାରେ ବାରମ୍ୱାର ଝୁଣ୍ଟି ପଡ଼ୁଛି । ଶେଷରେ ଘୋର ଜଙ୍ଗଲ ଭିତରେ ସେ ଗୋଟିଏ ଘର ଭିତରୁ ଆଲୁଅ ଦେଖିପାରିଲା । କେତେ ଜଣ ଲୋକ ଘର ଭିତରେ କଥାବାର୍ତ୍ତା ହେଉଥିବାର ଶୁଣାଗଲା । ଜେରାର୍ଡ଼ ଘରର କବାଟକୁ ଟିକିଏ ଠେଲି ଦେଇ ଭିତରକୁ ମୁଣ୍ଡ ଗଳାଇଲା । ସେ ଯାହା, ଦେଖିଲା, ସେଥିରେ ଘର ଭିତରେ ପଶିବାକୁ ତାର ମନ ହେଲା ନାହିଁ ।

 

ଘର ମଝିରେ ଗୋଟିଏ ବଡ଼ ଉହ୍ମେଇରେ ନିଆଁ ଜଳୁଛି । ତା’ ଚାରିପାଖେ ଲୋକଗୁ଼ଡ଼ିଏ ନିଆଁକୁ ବେଢ଼ି ବସିଛନ୍ତି । ସେମାନେ ଚାଷୀମୂଲିଆ ଶ୍ରେଣୀର ଲୋକପରି ବୋଧହେଉଥିଲେ । ଜେରାର୍ଡ଼ ଘର ଭିତରେ ପଶିଯାଇ ପଚାରିଲା, ‘‘ଏଠି ଏ ରାତିକ ପାଇଁ ମୋତେ ଆଶ୍ରା ମିଳିପାରିବ-?’’

 

କେହି ଜଣେ କହିଲା, ‘‘ତୁ କେଉଁଠୁ ଆସିଲୁ ? ତୋତେ କଅଣ ଏ ଅରଣ୍ୟତାରକା ହୋଟେଲର ନାମ ଜଣା ନାହିଁ ?’’

 

‘‘ଯାହା ହେଉ, ହୋଟେଲ ମାଲିକଙ୍କର କେଉଁଠି ଦେଖା ମିଳିବ ?’’

‘‘ହୋଟେଲ ମାଲିକ ? କଣ ମାଲିକାଣୀଙ୍କ କଥା କହୁଛୁ ? ତୁ ମାଲିକାଣୀଙ୍କୁ ଚିହ୍ନୁନା-?’’

 

ଊହ୍ମେଇ ପାଖରେ ପ୍ରାୟ ଚାଳିଶ ବର୍ଷର ଜଣେ ସ୍ତ୍ରୀ ଲୋକ ଚଉକି ଉପରେ ବସିଥିଲା । ସେ ଚଉକିଟି ଅନ୍ୟ ଚଉକିଗୁଡ଼ିକଠାରୁ ଟିକିଏ ବେଶୀ ଉଚ୍ଚ । ଜେରାର୍ଡ଼ ସେହି ସ୍ତ୍ରୀ ଲୋକ ଆଡ଼କୁ ଚାହିଁ ପଚାରିଲା –‘‘ଖାଇବାକୁ କିଛି ମିଳିପାରିବ ?’’

 

ମାଲିକାଣୀ–‘‘ଘଣ୍ଟାଏ ହେଲା ଖିଆପିଆ ସରିଲାଣି । କାଲି ସକାଳୁ କିଛି ଖାଇବାକୁ ମିଳିପାରେ ।’’

 

ଜେରାର୍ଡ଼ ମନ ଦୁଃଖରେ କହିଲା, ‘‘ଶୋଇବାକୁ ଜାଗା ମିଳିବ ତ ? ଏ ଓଦାଲୁଗାରେ ବସି ହେଉ ନାହିଁ । ସେଥିରେ ପୁଣି ପେଟରେ ଭୋକ ।’’

 

ବିଛଣା ଆସି ନାହିଁ । ସମସ୍ତେ ଯେତେବେଳେ ଶୋଇବେ ତୁମେ ବି ସେତେବେଳେ ଶୋଇବ । ହୋଟେଲ ତ ଜଣକ ପାଇଁ ନୁହେଁ –ସମସ୍ତଙ୍କ ପାଇଁ’’–ମାଲିକାଣୀ କହିଲା ।

 

ଏହି ସମୟରେ କେତେଜଣ ଲୋକ ଶୁଖିଲା ଘାସ ବିଡ଼ା ବିଡ଼ା କରି ଆଣି ଘରେ ପକାଇଦେଲେ । ସେମାନେ ଏହି ଘାସକୁ ଉହ୍ମେଇ ଚାରିପାଖେ ବିଛାଇ ତା’ ଉପରେ ଶୋଇପଡ଼ିଲେ । ଏତେବେଳକୁ ଜେରାର୍ଡ଼ ‘ବିଛଣା ଆସିବା’ର ଅର୍ଥ ବୁଝିପାରିଲା । ଜେରାର୍ଡ଼ ମଧ୍ୟ ସେହି ଘାସ ଉପରେ ପଡ଼ିଗଲା । ଅଳ୍ପ ସମୟ ମଧ୍ୟରେ ଅନ୍ୟମାନଙ୍କର ଘୁଙ୍ଗୁଡ଼ି ଶବ୍ଦ ଶୁଣାଗଲା । କିନ୍ତୁ ଜେରାର୍ଡ଼ର ଆଖିରେ ନିଦ ନାହିଁ । ତା’ର ଦେହଟା ସେଠାରେ ଥିଲା, କିନ୍ତୁ ମନ ଥିଲା ହଲାଣ୍ଡରେ–ମାର୍ଗାରେଟ୍‌ ପାଖରେ ।

 

ଜେରାର୍ଡ଼ ଭୋରରୁ ଉଠିଲାକ୍ଷଣି ଜଣେ ସୈନିକ ତାକୁ ଫରାସୀ ଭାଷାରେ ପଚାରିଲା, ‘‘ସୂର୍ଯ୍ୟ ଉଇଁବା ଆଗରୁ ଉଠିପଡ଼ିଲେ ଯେ !’’

 

‘‘ନ ଉଠି ଉପାୟ କଅଣ ଅଛି ? ଏପରି ଜାଗାରେ କଅଣ ନିଦ ହୁଏ ?’’

 

ଦୁହିଁଙ୍କ ଭିତରେ ପରିଚୟ ହୋଇଗଲା । ଯେଉଁ ସୈନିକଟି ପ୍ରଥମେ ପଚାରୁଥିଲା ତା’ର ନାମ ଡେନିସ୍‌ । ଦୁହେଁ ସାଙ୍ଗ ହୋଇ ହୋଟେଲରୁ ବାହାରିଲେ ।

Image

 

ଭାଲୁ

 

ଜେରାର୍ଡ଼ ଓ ଡେନିସ୍‌ ଗୋଟିଏ ଜଙ୍ଗଲ ଭିତରେ ଯାଉଥାନ୍ତି । ଜେରାର୍ଡ଼ର ଦୁଷ୍ଟି ରାସ୍ତା ଉପରେ ନ ଥାଏ । ତା’ ମନରେ ମାର୍ଗାରେଟ୍‌ ଛଡ଼ା ଅନ୍ୟ କୌଣସି ଚିନ୍ତା ପଶିପାରୁ ନ ଥିଲା । ହଠାତ୍‌ ଡେନିସ୍‌ ତା’ର କାନ୍ଧରେ ହାତ ଭରା ଦେଇ ଛିଡ଼ା ହୋଇଗଲା । ଅନ୍ୟ ହାତରେ ଧନୁ । ସେ ଚୁପ୍‌ଚୁପ୍‌ କରି ଜେରାର୍ଡ଼କୁ କହିଲା, ‘‘କିଛି ଶବ୍ଦ କର ନାହିଁ ।’’ ଜଙ୍ଗଲରୁ ଗୋଟାଏ କିଛି ଶବ୍ଦ ଶୁଣାଯାଉଥିଲା । ଜେରାର୍ଡ଼ ଏଥିମଧ୍ୟରେ ଗୋଟାଏ କୁର୍‌ହାଢ଼ି ଯୋଗାଡ଼ କରିଥିଲା । ସେ କୁର୍‌ହାଡ଼ିଟିକୁ ଜୋର୍‌ରେ ଧରି ଛିଡ଼ାହେଲା । ଡେନିସ୍‌ ବଣ ଭିତରକୁ ପଶିଯାଇ ଗୋଟାଏ ଶର ମାରିବା ସଙ୍ଗେ ସଙ୍ଗେ ପାଟିକଲା, ‘‘ଜେରାର୍ଡ଼, ତା’ ଦେହରେ ଶରଟା ବାଜିଛି । ତୁମେ ଆଗକୁ ଦଉଡ଼ିଯାଇ ରାସ୍ତାରେ ଜଗିରହ ।’’

 

ଜେରାର୍ଡ଼ ଅଳ୍ପ ଦୂର ନ ଯାଉଣୁ ଗୋଟାଏ ଭାଲୁଛୁଆ ତା’ ଆଗକୁ ଦୌଡ଼ିଆସି ପଛ ଗୋଡ଼ରେ ଛିଡ଼ା ହୋଇଗଲା । ସେ ପାଟି ମେଲାକରି ଆଗ ଗୋଡ଼ରେ ରାମ୍ପୁଡ଼ିବାକୁ ଗଲାବେଳକୁ ଜେରାର୍ଡ଼ କୁରାଢ଼ିରେ ତା’ ମୁହଁରେ ଚୋଟ ଉପରେ ଚୋଟ ମାରିଲା । ଛୁଆ ଭାଲୁଟା ମରି ତଳେ ପଡ଼ିଗଲା । ଡେନିସ୍‌ ଆସି କହିଲା, ‘‘ଥାଉ, ସେତିକି ହୋଇଥାଉ । ରାତିକି ମାଂସ ହୋଇଗଲା । ଦୁହେଁଯାକ ପାଳି କରି ଏଟାକୁ ବୋହି ନେବା ।’’

 

ଜେରାର୍ଡ଼ ପଛପଟୁ ପୁଣି ଶବ୍ଦ ଶୁଣି ବୁଲିପଡ଼ି ଦେଖେ ତ ଗୋଟାଏ ପ୍ରକାଣ୍ଡ ଭାଲୁ, ସେମାନଙ୍କର ଖୁବ୍‌ ପାଖକୁ ଆସିଗଲାଣି । ସେ ଡାକି ଦେଲା–ଡେନିସ୍‌ । ଡେନିସ୍‌ ବୁଲିପଡ଼ି ଦେଖିଲା ଗୋଟାଏ ପ୍ରକାଣ୍ଡ ଭାଲୁ । ଏଇଟା ଛୁଆଭାଲୁର ମାଆ ବୋଲି ବୁଝିବାକୁ ସେମାନଙ୍କୁ ସମୟ ଲାଗିଲା ନାହିଁ । ସାକ୍ଷାତ୍‌ ଯମ ପରି ପଛରେ ଧାଇଁଛି ।

 

ଭାଲୁ ଜେରାର୍ଡ଼କୁ ଦେଖି ଆଁ କରି ମାଡ଼ିଆସିଲା । ଡେନିସ୍‌ ଡାକ ଛାଡ଼ିଲା, ‘‘ଗଛ ଉପରକୁ ଉଠିଯାଅ –ଗଛ ଉପରକୁ ।’’

 

ଏହା କହିବା ସଙ୍ଗେ ସଙ୍ଗେ ସେ ମଲା ଛୁଆଭାଲୁଟାକୁ ତଳେ ଫିଙ୍ଗିଦେଇ ଗୋଟାଏ ଗଛରେ ଚଢ଼ିଗଲା । ତା’ ପଛେ ପଛେ ଜେରାର୍ଡ଼ ମଧ୍ୟ ଗଛ ଉପରକୁ ଉଠିଗଲା । ଏଣେ ଭାଲୁଟା ମଲା ଛୁଆ ପାଖରେ ରହିଯାଇ ତାକୁ କିଛି ସମୟ ଶୁଙ୍ଘିଲା । ଲୋକ ଦୁଇ ଜଣଙ୍କ ଉପରେ ମଧ୍ୟ ତାର ନଜର ଥାଏ । ଛୁଆଟା ମରିଥିବାର ଜାଣିପାରି ସେ କ୍ରୋଧରେ ଦଉଡ଼ିଯାଇ ଆଗେ ଗଛର ଗଣ୍ଡିକୁ କାମୁଡ଼ି ପକାଇଲା । ତତ୍ପରେ ସେ ଧୀରେ ଧୀରେ ଗଛ ଉପରକୁ ଉଠିଲା ।

 

ଡେନିସ୍‌ ଗଛର ସବା ଉପର ଡାଳଯାଏ ଚଢ଼ିଗଲା । ଗଛ ସେତେ ଡେଙ୍ଗା ନୁହେଁ ପୁଣି ଶୁଖିଲା । ଭାଲୁ ତା’ର ପାଖକୁ ମାଡ଼ିଚାଲିଲା ।

 

ଜେରାର୍ଡ଼ ଡେନିସ୍‌ର ବିପଦ ଦେଖି ଗଛ ଡାଳରୁ ତଳକୁ ଡେଇଁପଡ଼ିଲା ଓ ତଳେ ପଡ଼ିଥିବା ଧନୁକୁ ଟେକିନେଇ ଭାଲୁକୁ ଗୋଟାଏ ଶର ମାରିଲା । ଶର ବାଜିବାରୁ ଭାଲୁ ଗର୍ଜନ କଲା-। ଡେନିସ୍‌ ଡାକ ଦେଲା–ଜେରାର୍ଡ଼, ଗଛ ଉପରକୁ ପଳାଅ । ନ ହେଲେ ଭାଲୁ ତୁମ ପ୍ରାଣ ନେବ ।

 

ଜେରାର୍ଡ଼ କହିଲା, ‘‘ମଲେ ମରିବି–ସେଥିପାଇଁ ମୋର ଚିନ୍ତା ନାହିଁ ।’’ ଏହା କହି ସେ ଭାଲୁ ଉପରକୁ ଆଉ ଗୋଟାଏ ଶର ମାରିଲା । ଡେନିସ୍‌ ପୁଣି ଡାକ ଦେଲା, ‘‘ପଳାଅ ପଳାଅ ! ଓଃ, କେଡ଼େ ଓଲୁ ! ପଳାଅ ।’’

 

ଭାଲୁ ଗଛ ଉପରେ ଡେନିସ୍‌କୁ ଛାଡ଼ି ତଳକୁ ଓହ୍ଲାଇବାକୁ ଲାଗିଲା । ତହୁଁ ଜେରାର୍ଡ଼ ଦଉଡ଼ିଯାଇ ଅନ୍ୟ ଏକ ଗଛରେ ଚଢ଼ିଗଲା, କିନ୍ତୁ ସେ ଅଳ୍ପ ଦୂର ଉଠିଲା ବେଳକୁ ଭାଲୁ ଦଉଡ଼ିଯାଇ ପଛଗୋଡ଼ରେ ଛିଡ଼ା ହୋଇ ଆଗ ଗୋଡ଼ରେ ତାକୁ ଆକ୍ରମଣ କଲା । ଏହା ଫଳରେ ଜେରାର୍ଡ଼ର ଗୋଡ଼ ଖଣ୍ଡିଆ ହୋଇ ରକ୍ତ ବୋହିଲା ଓ ତା’ର ପୋଷାକରୁ ଖଣ୍ଡେ ଛିଡ଼ିଆସିଲା । ଜେରାର୍ଡ଼ ଆଉ ତଳକୁ ନ ଚାହିଁ ଉପର ଡାଳକୁ ଚଢ଼ିଗଲା । ଭାଲୁ ମଧ୍ୟ ତା’ ପଛେ ପଛେ ଚଢ଼ିଲା ।

 

ତାହା ଦେଖି ଭୟରେ ଜେରାର୍ଡ଼ର ରକ୍ତ ପାଣି ହୋଇ ଆସିଲା ସେତେବେଳକୁ ସେ ଭୂଇଁଠାରୁ ପ୍ରାୟ ଚାଳିଶ ଫୁଟ ଉଚ୍ଚରେ । ସେଠାରୁ ଡେଇଁବା ଅର୍ଥ ମୃତ୍ୟୁ । ଏଣେ ଭାଲୁ ଆସୁଛି- ନ ଡେଇଁଲେ ଭାଲୁ ହାତରେ ମଧ୍ୟ ମୃତ୍ୟୁ । ସେ କଅଣ କରିବ ସ୍ଥିର କରି ପାରିଲା ନାହିଁ ।

 

ଭାଲୁ ତାର ଖୁବ୍‌ ନିକଟ ହେଇ ଆସିଲା ବେଳକୁ ଡେନିସ୍‍ର ଶର ଆସି ଭାଲୁ ଦେହରେ ବାଜିଲା । ଭାଲୁ ଆହତ ହୋଇ ତଳକୁ ଖସିପଡ଼ିଲା; କିନ୍ତୁ ସେ ଖସିପଡ଼ିବା ସଙ୍ଗେ ସଙ୍ଗେ ଛିଟିକି ଯିବାରୁ ଜେରାର୍ଡ଼ ମଧ୍ୟ ଛାଟି ହୋଇ ତଳେ ପଡ଼ିଲା । ଦୈବଯୋଗକୁ ସେ ଭାଲୁର ଗୋଡ଼ ଉପରେ ପଡ଼ିଗଲା । ତଥାପି ସେ ତଳେ ପଡ଼ି ଅଚେତ ହୋଇଗଲା । ମାତ୍ର ଭାଲୁ ଉପରେ ପଡ଼ିଥିବାରୁ ଜେରାର୍ଡ଼ର ବିଶେଷ କ୍ଷତି ହୋଇନଥିଲା ।

 

କିଛି ସମୟ ପରେ ଭାଲୁଟା ମରିଗଲା । ଡେନିସ୍‌ ଜେରାର୍ଡ଼କୁ ମଲା ଭାଲୁ ଉପରେ ଆଉଜାଇ ବସାଇଦେଲା । ଆସ୍ତେ ଆସ୍ତେ ଜେରାର୍ଡ଼ର ଚେତା ଫେରିଆସିଲା ।

Image

 

ଜେରାର୍ଡ଼ ଓ ଡେନିସ୍‌

 

ଜେରାର୍ଡ଼ ଓ ଡେନିସ୍‌ ଭିତରେ ବନ୍ଧୁତା ବଢ଼ିବାକୁ ଲାଗିଲା ଦୁହେଁଯାକ ଦିନଯାକ ଚାଲନ୍ତି, ରାତିରେ କୌଣସିଠାରେ ବିଶ୍ରାମ ନିଅନ୍ତି । ଏହିପରି ଚାଲି ଚାଲି ଅନେକ ଦିନ ପରେ ସେ ଦୁହେଁ ବର୍ଗାଣ୍ଡି ରାଜ୍ୟରେ ପହଞ୍ଚିଲେ । ଏହିଠାରେ ଏକ ବିପଦ ଉପସ୍ଥିତ ହେଲା ।

 

ସେତେବେଳକୁ ଶୀତ ଦିନ । ଚାରିଆଡ଼େ ବରଫ ପଡ଼ିଥାଏ । ଦିନେ ଦୁହେଁଯାକ ଗୋଟିଏ ସହରରେ ଯାଉଛନ୍ତି, ଏହି ସମୟରେ ଜଣେ ସୈନିକ ଦୌଡ଼ି ଦୌଡ଼ି ଆସି ସେମାନଙ୍କୁ ଅଟକାଇଲା-। ଏହି ସୈନିକଟି ଡେନିସ୍‌ର ପରିଚିତ ବନ୍ଧୁ । ଦୁହିଁଙ୍କୁ ସେ ଗୋଟିଏ ଘରକୁ ଡାକି ନେଇ କିଛି ଖାଇବାକୁ ଦେଲା । ଡେନିସ୍‌ ଓ ସେହି ସୈନିକ ଭିତରେ ଗଳ୍ପ ଚାଲିଲା । ସୈନିକଟି କହିଲା–ଫ୍ଲାଣ୍ଡର୍ସରେ ଯୁଦ୍ଧ ଲାଗିଛି । ବର୍ଗାଣ୍ଡିର ସବୁ ସୈନ୍ୟଙ୍କୁ ଆଦେଶ ହୋଇଛି ସେମାନେ ଫ୍ଲାଣ୍ଡର୍ସକୁ ଯିବେ ।

 

ଡେନିସ୍‌ କହିଲା, ‘‘ଜେରାର୍ଡ଼ ଶୁଣୁଛ, ମୋର ଏହି ବନ୍ଧୁ ହଲାଣ୍ଡ ଯାଉଛନ୍ତି । ତୁମେ ଚିଠି ଦେଲେ ସେ ନେଇଯିବେ ।’’

 

ଜେରାର୍ଡ଼ ସଙ୍ଗେ ସଙ୍ଗେ କାଗଜକଲମ ବାହାର କରି ଚିଠି ଲେଖି ବସିଲା । ସେଥିରେ ସେ ଭାଲୁ ମୁହଁରୁ ରକ୍ଷାପାଇବା ଓ ଡେନିସ୍‌ ସହିତ ବନ୍ଧୁତା ବିଷୟ ବିଶେଷ ଭାବରେ ଲେଖିଲା । ସେ ଘରେ ଯେତେ ଲୋକ ଥିଲେ, ସେମାନେ, ସମସ୍ତେ ଜେରାର୍ଡ଼ର ସୁନ୍ଦର ହସ୍ତାକ୍ଷର ପ୍ରଶଂସା କଲେ ।

 

ଡେନିସ୍‌ ଜେରାର୍ଡ଼ର ଚିଠିଖଣ୍ଡିକ ତା’ର ସୈନିକ ବନ୍ଧୁ ହାତରେ ଦେଲା ଓ ସେ ଦୁହେଁ ପୁଣି ଚାଲିଲେ ।

 

ଅଳ୍ପଦୂର ଯିବା ପରେ ସେମାନେ ପ୍ରାୟ ପଚାଶ ଜଣ ଘୋଡ଼ସବାର ସୈନ୍ୟଙ୍କୁ ଦେଖିଲେ । ଡେନିସ୍‌ ଆନନ୍ଦରେ କହିଲା, ‘‘ଏମାନଙ୍କ ଭିତରେ ମଧ୍ୟ ମୋର ପରିଚିତ ବନ୍ଧୁ ଥାଇ ପାରନ୍ତି । ବର୍ଗାଣ୍ଡିର ଜାତୀୟ ପତାକା କିପରି ଉଡ଼ୁଛି ଦେଖିଲ ?’’

 

କେହି ଜଣେ ଆଦେଶ ଦେବାରୁ ସୈନ୍ୟମାନେ ରହିଗଲେ । ବର୍ଗାଣ୍ଡିର ରାଜା ଘୋଡ଼ାରେ ଆଗେଇ ଡେନିସ୍‌କୁ କହିଲେ, ‘‘ଏ ବଡ଼ ଆଶ୍ଚର୍ଯ୍ୟର କଥା । ସବୁ ସୈନ୍ୟ ଉତ୍ତରମୁହାଁ ହୋଇ ଫ୍ଳାଣ୍ଡର୍ସକୁ ଚାଲିଛନ୍ତି । କିନ୍ତୁ ତୁମେ ଜଣେ ସୈନିକ ହୋଇ ଦକ୍ଷିଣକୁ ଚାଲିଛ କୁଆଡ଼େ ?’’ ଡେନିସ୍‌ ଉତ୍ତର କଲା, ‘‘ଅନେକ ବର୍ଷ ହେଲା ଯୁଦ୍ଧବିଭାଗରେ କାର୍ଯ୍ୟ କଲା ପରେ ମୁଁ ଛୁଟି ନେଇ ମୋ ଘରକୁ ଯାଉଛି ।’’

 

ରାଜା କ୍ରୁଦ୍ଧ ହୋଇ କହିଲେ, ‘‘ମୋତେ ଉତ୍ତର ଦେବାକୁ ତୁମର ସାହସ । ଜୀବନକୁ କଅଣ ଆଶା ନାହିଁ ? ସେ ଯୁବକର ହାତ ଛାଡ଼ିଦେଇ ଘୋଡ଼ାରେ ବସ । ମୁଁ ଆଉ କିଛି ଶୁଣିବାକୁ ଚାହେଁ ନାହିଁ ।’’ ଡେନିସ୍‌ ଅଗତ୍ୟା ସୈନ୍ୟଦଳରେ ଯୋଗଦେଲା ।

 

ଜେରାର୍ଡ଼ ଛଳ ଛଳ ଆଖିରେ ଡେନିସ୍‌କୁ ବିଦାୟ ମାଗି କହିଲା, ‘‘ତୁମେ ହଲାଣ୍ଡକୁ ଯାଉଛ-। ମାର୍ଗାରେଟ୍‌ର ଠିକଣା ତୁମେ ଜାଣ । ତାକୁ ମୋ ସମ୍ୱାଦ ଦେବ ।’’

 

ଆଉ ସମୟ ନଥିଲା । ଡେନିସ୍‌ ଗୋଟାଏ ଘୋଡ଼ାରେ ବସି ସୈନ୍ୟମାନଙ୍କ ସଙ୍ଗରେ ଚାଲିଲା ।

Image

 

ପଥରେ ଜେରାର୍ଡ଼ର ଅଭିଜ୍ଞତା

 

ଡେନିସ୍‌ଠାରୁ ଅଲଗା ହେବା ପରେ ଜେରାର୍ଡ଼କୁ ଅନେକ ବିପଦର ସମ୍ମୁଖୀନ ହେବାକୁ ପଡ଼ିଥିଲା । କେତେଜଣ ଲୋକ ଘୋଡ଼ାରେ ଆସି ତାର ସମସ୍ତ ଟଙ୍କା ଛଡ଼ାଇନେଲେ । ସେ ବନ୍ଧୁହୀନ, ଅର୍ଥହୀନ ହୋଇ ଘୋର ଦୁଃଖରେ ଚାଲିଲା । ଶେଷରେ ନିକାନ୍ତ କ୍ଳାନ୍ତ ହୋଇ ବରଫ ଉପରେ ପଡ଼ିରହିଲା । ଘଣ୍ଟାଏ ଦୁଇ ଘଣ୍ଟା ପରେ ଜଣେ କେହି ତାକୁ ଟାଣି ଉଠାଇ ଦେଇ କହିଲା, ‘‘ତୁମେ କଅଣ ପାଗଳ ! ବରଫ ଉପରେ ଶୋଇଛ କିପରି ? କଣ, ଏଠି ହେଟାବାଘର ଉତ୍ପାତ । ଜୀବନକୁ କଅଣ ଆଶା ନାହିଁ ?

 

ଜେରାର୍ଡ଼ ଉଠି ଛିଡ଼ା ହେବା ପରେ ସେ ପୁଣି ପଚାରିଲା, ‘‘ତୁମେ ଧନୀ ନା ଗରିବ ?’’ ଜେରାର୍ଡ଼ ଦେଖିଲା, ତା’ ଆଗରେ ଜଣେ ସ୍ତ୍ରୀଲୋକ ।

 

ଏ ପ୍ରଶ୍ନର କି ଉତ୍ତର ଦେବ ତାହା ଜେରାର୍ଡ଼ ସ୍ଥିର କରିପାରିଲା ନାହିଁ । ଶେଷରେ ସେ କହିଲା, ‘‘କିଛି ସମୟ ପୂର୍ବେ ମୁଁ ଧନୀ ଥିଲି । ମୋ’ ପାଖରେ ଟଙ୍କା ଥିଲା, ମୋର ଜଣେ ବନ୍ଧୁ ଥିଲେ, କିନ୍ତୁ ବର୍ଗାଣ୍ଡିର ରାଜା ମୋର ବନ୍ଧୁଙ୍କୁ ମୋ’ଠାରୁ ଛଡ଼ାଇ ନେଲେ, ଆଉ କେତେଜଣ ମୋର ସମସ୍ତ ଟଙ୍କା ପଇସା ନେଇଗଲେ । ତେଣୁ ମୋତେ ନିତାନ୍ତ ଦରିଦ୍ର କହିବାକୁ ହେବ ।’’

 

ରମଣୀଟି ଜେରାର୍ଡ଼କୁ ତା’ ଘରକୁ ନେଇଗଲା । ଟେବୁଲ ଉପରେ ଜଣକ ପାଇଁ ଭୋଜନ ସଜଡ଼ା ହୋଇ ରହିଥିଲା । ଜେରାର୍ଡ଼ ବୁଝିଲା ଯେ ଜଣେ ଲୋକର ମୃତ୍ୟୁ ହୋଇଅଛି । ମୃତଦେହକୁ କବର ଦେବା ପରେ ଜଣେ ଦରିଦ୍ର ଲୋକକୁ ପୂର୍ଣ୍ଣ ଭୋଜନ ଦେବା ବିଧି । ସେହି ଉଦ୍ଦେଶ୍ୟରେ ଜେରାର୍ଡ଼କୁ ନିମନ୍ତ୍ରଣ । ସେ ଉତ୍ତମ ଭୋଜନ ପାଇ ତ୍ରସ୍ତ ହେଲା । ସେହିଠାରେ ତା’ର ଶୋଇବାର ବ୍ୟବସ୍ଥା ମଧ୍ୟ ହେଲା ।

 

ପରଦିନ ସ୍ତ୍ରୀଲୋକଟି ଜେରାର୍ଡ଼କୁ ବାଟଖର୍ଚ୍ଚ ପାଇଁ କିଛି ଟଙ୍କା ଯାଚିଲା । ଜେରାର୍ଡ଼ର ଟଙ୍କା ନିତାନ୍ତ ଦରକାର ଥିଲା; କିନ୍ତୁ ସାହାଯ୍ୟ ଗ୍ରହଣ କରିବାକୁ ତା’ର ମନ ହେଲା ନାହିଁ । ସ୍ତ୍ରୀ ଲେକାଟି କହିଲା, ‘‘ତୁମେ ଗରିବ, ମୁଁ ମଧ୍ୟ ଗରିବ । ଗରିବକୁ ଗରିବ ସାହାଯ୍ୟ ନ କଲେ ଆଉ କିଏ କରିବ-?’’

 

ଜେରାର୍ଡ଼ କହିଲା, ‘ମୁଁ ଅଭାବରେ ପଡ଼ିଛି ସତ, କିନ୍ତୁ ବିନା ପରିଶ୍ରମରେ କାହାଠାରୁ କିଛି ଗ୍ରହଣ କରିବା ମୋର ଇଚ୍ଛା ନୁହେଁ । କହିଲେ ତୁମ ପାଇଁ ଖଣ୍ଡିଏ ଛବି ଆଙ୍କିଦେବି ।’’

 

‘‘ଏଁ ତୁମେ ଛବି ମଧ୍ୟ ଆଙ୍କିପାର ? ତୁମେ ମୋର ଛବିଟିଏ ଆଙ୍କି ପାରିଲେ ମୁଁ ଭାରି ଆନନ୍ଦିତ ହେବି ।’’

 

ଜେରାର୍ଡ଼ ସ୍ତ୍ରୀ ଲୋକଟିକୁ ଆଲୁଅରେ ବସାଇ ତା’ର ଗୋଟିଏ ଛବି ଆଙ୍କିଲା । ସ୍ତ୍ରୀ ଲୋକଟି ଛବିଟିକୁ ନେଇ ତା’ର ପ୍ରେମିକକୁ ଦେଖାଇଲା । ଦୁହେଁଯାକ ଆନନ୍ଦରେ ଭୋଳ ହୋଇ ଜେରାର୍ଡ଼କୁ ଆଲିଙ୍ଗନ କଲେ । ଏହାପରେ ଜେରାର୍ଡ଼ ସେ ଦୁହିଁଙ୍କଠାରୁ ବିଦାୟ ନେଇ ରାଇନ୍‌ ନଦୀ ଅଭିମୁଖରେ ଚାଲିଲା ।

 

ଜେରାର୍ଡ଼ ନଦୀ ପାର ହୋଇ ଅଗସବର୍ଗରେ ପହିଞ୍ଚିଲା । ସେ ଦେଖିଲା, ଅଗସବର୍ଗରେ ଛାପାବହି ପ୍ରବେଶ କଲାଣି । ଛଅଟି ଛାପାଖାନା ଚାଲୁଛି । ତଥାପି ହାତଲେଖା ଲୋପ ପାଇ ଯାଇନାହିଁ । ସି ଫଗର ବୋଲି ଜଣେ ଧନୀ ବଣିକ ତାଙ୍କ ହିସାବ ଲେଖିବା କାମରେ ଜେରାର୍ଡ଼କୁ ନିଯୁକ୍ତି କଲେ ଓ ଭଲ ଦରମା ଦେବେ ବୋଲି କହିଲେ । ଫଗର୍‌ଙ୍କ ପିତା ଜଣେ ସାମନ୍ୟ ତନ୍ତୀ ଥିଲେ, କିନ୍ତୁ ଫଗର୍‌ ନିଜ ବୁଦ୍ଧି ବଳରେ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇଥିଲେ । ତାଙ୍କର ଅନେକ ଜାହାଜ ମଧ୍ୟ ଥିଲା ।

 

ଫଗର୍‌ ଓ ଅନ୍ୟ କେତେ ଜଣ ବଣିକ ରୋମ୍‌ ଯାଉଥିଲେ । ସ୍ଥିର ହେଲା, ଜେରାର୍ଡ଼ ରାତିରେ ଫଗର୍‌ଙ୍କ ଚିଠିପତ୍ର ଲେଖିବ ଓ ସେଥିପାଇଁ ତାଙ୍କଠାରୁ ଖାଦ୍ୟପେୟ ପାଇବ । ତାକୁ ଜାହାଜ ଭଡ଼ା ଦେବାକୁ ହେବ ନାହିଁ । ଏହି ସୁବିଧା ନେଇ ସେ ରୋମ୍‌ ଚାଲିଗଲା ।

Image

 

ଟର୍ଗାଓର ହାଲଚାଲ

 

ଜେରାର୍ଡ଼ ଓ ଟର୍ଗାଓରୁ ପଳାଇଯିବା ପରେ ସମସ୍ତଙ୍କ ମୁହଁରେ ତା’ର କଥା ଶୁଣାଗଲା । ଲୋକେ ତା’ର ଯେତିକି ପ୍ରଶଂସା କଲେ, ତା’ର ବାପ ଓ ବର୍ଗୋମାଷ୍ଟରର ସେତିକି ନିନ୍ଦା କଲେ । ଇଲିଆସ୍‌ର ଘରେ କେହି ମାର୍ଗାରେଟ୍‌ର ନାଁ ଧରୁ ନ ଥିଲେ, କିନ୍ତୁ ବାହାରେ ସମସ୍ତେ ତା’ ପାଇଁ ଦୁଃଖ ପ୍ରକାଶ କରୁଥିଲେ, ତା’ର ଧୈର୍ଯ୍ୟ ଓ ସାହସର ପ୍ରଶଂସା କରୁଥିଲେ । ବିଶେଷତଃ ଯୁବକଯୁବତୀମାନେ ତାହା ପ୍ରତି ଗଭୀର ସହାନୁଭୂତି ଦେଖାଉଥିଲେ ।

 

ମାର୍ଗାରେଟ୍‌ ଖାଲି ଜେରାର୍ଡ଼ ବିଷୟ ଚିନ୍ତା କରି କରି ସମୟ କଟାଉ ନ ଥିଲା; ବୃଦ୍ଧ ପିତା ପ୍ରତି ସେ ତା’ର କର୍ତ୍ତବ୍ୟରେ ଆଦୌ ହେଳା କରୁ ନ ଥିଲା । କଠୋର ପରିଶ୍ରମ ଓ ଚିନ୍ତା ଫଳରେ ତା’ର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଲା ।

 

ମାର୍ଟିନ୍‌ ଉଇଟେନ୍‌ହାଗେନ୍‌ ଭାବିଲା–ବର୍ଗୋମାଷ୍ଟରର ଅତ୍ୟାଚାରରୁ ରକ୍ଷା ପାଇବାକୁ ହେଲେ ସ୍ୱୟଂ ରାଜାଙ୍କୁ ଜଣାଇବା ଛଡ଼ା ଅନ୍ୟ ଗତି ନାହିଁ । ରାଜାଙ୍କ ସହିତ ସାକ୍ଷାତ ଉଦ୍ଦେଶ୍ୟରେ ସେ ରଟରଡାମ୍‍କୁ ଗଲା । କିନ୍ତୁ ପ୍ରହରୀମାନେ ତାକୁ ରାଜାଙ୍କ ପାଖକୁ ଯିବାପାଇଁ ଛାଡ଼ିଲେ ନାହିଁ । ଏହାର ପରଦିନ ସକାଳେ ରାଜା ଶିକାରକୁ ଯିବାର ଥିଲା । ମାର୍ଟିନ୍‌ ରାଜାଙ୍କ ଯିବା ବାଟରେ ପଡ଼ିରହିଲା । ରାଜା ଆସୁଥିବାର ଦେଖି ସେ ଚିତ୍କାର କଲା, ‘‘ମହାରାଜ, ମୋର ଗୁହାରି ଶୁଣାଯାଉ-।’’ ରାଜାଙ୍କ ପାଖଲୋକେ ତାକୁ ବାଟରୁ ଟାଣିନେବାକୁ ବସିଥିଲେ, କିନ୍ତୁ ରାଜା ସେମାନଙ୍କୁ ବାରଣ କରି ପଚାରିଲେ, ବୃଦ୍ଧ, ତୁମର ଆପତ୍ତି କଅଣ ?’’

 

‘‘ଏ ବୃଦ୍ଧ ସୈନିକ ପ୍ରତି ମହାରାଜାଙ୍କର ଦୟା ହେଉ । ସହରର ଲୋକେ ମୋର ସର୍ବନାଶ କରୁଛନ୍ତି ।’’

 

ରାଜା ଫିଲିପ୍‍ ମାର୍ଟିନ୍‍କୁ ପାଖକୁ ଡକାଇଲେ । ଗୋଟାଏ ଯୁଦ୍ଧରେ ଫିଲିପ୍‍ଙ୍କୁ ଲକ୍ଷ୍ୟକରି ଶତ୍ରୁପକ୍ଷ ଶର ମାରିଥିଲେ; କିନ୍ତୁ ମାର୍ଟିନ୍‍ ରାଜାଙ୍କ ପାଖକୁ ଦୌଡ଼ିଆସି ତାଙ୍କୁ ରକ୍ଷା କରିଥିଲା; ଶରଟି ମାର୍ଟିନ୍‍ର ବାହୁରେ ଆଘାତ କରିଥିଲା । ମାର୍ଟିନ୍‍ ରାଜାଙ୍କୁ ଏହି ଘଟଣା ସ୍ମରଣ କରାଇଦେଲା-। ରାଜା ମାର୍ଟିନ୍‍ ଉପରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାର ନିବେଦନ ଜାଣିବାକୁ ଚାହିଁଲେ । ମାର୍ଟିନ୍‍ ଜେରାର୍ଡ଼ର ବନ୍ଦୀ ହେବା, ତାର ବନ୍ଦୀଶାଳାରୁ ପଳାୟନ, ତାକୁ ଧରିବାପାଇଁ ବର୍ଗୋମାଷ୍ଟରଙ୍କ ଉଦ୍ୟମ, କୁକୁରର ହତ୍ୟା–ଏ ସବୁ ବର୍ଣ୍ଣନା କରିଗଲା । ରାଜା ଧୈର୍ଯ୍ୟ ସହକାରେ ସବୁ ଶୁଣି କହିଲେ, ‘‘ଏବେ ତୁମେ କଅଣ ଚାହଁ ।’’

 

‘‘ମୋତେ ଓ ଜେରାର୍ଡ଼କୁ ସକଳ ଅପରାଧରୁ କ୍ଷମା ମିଳୁ ।’’

‘‘କେଉଁ ଅପରାଧର କ୍ଷମା ?’’

‘‘ଜେଲ୍‍ଖାନାରୁ ପଳାଇବା ।’’

 

‘‘ଆଚ୍ଛା, ଏଇଟା ସେଭଳି ବଡ଼ ଅପରାଧ ନୁହେଁ । ଚଢ଼େଇକୁ ପିଞ୍ଜରାରେ ବନ୍ଦ କଲେ ସେ ଉଡ଼ିଯିବାକୁ ଚେଷ୍ଟା କରିବ ହିଁ କରିବ । ଜଣେ ଯୁବକ ଜଣେ ଯୁବତୀକୁ ଭଲ ପାଇଲା–ସେଥିପାଇଁ ଜଣକୁ ବନ୍ଦୀ କରିବାର ଅର୍ଥ ମୁଁ ବୁଝି ପାରୁନାହିଁ । ଆଉ କି ଅପରାଧ ?’’

 

ବର୍ଗୋମାଷ୍ଟରଙ୍କୁ ମାଡ଼ ଦେବା ।’’

 

‘‘ଜନ୍ତୁ ଶିକାର କଲାବେଳେ ଜନ୍ତୁ ଓଲଟିପଡ଼ି ଶିକାରୀକୁ ଆକ୍ରମଣ କରିଥାଏ–ଏହା ଜଗତର ନିୟମ । ଏହା ସେପରି କିଛି ଗୁରୁତର ଦୋଷ ନୁହେଁ । ଆଉ କଅଣ ?’’

 

କୁକୁରମାନଙ୍କର ହତ୍ୟା ।’’

 

ରାଜାଙ୍କର ମୁଖ ଗମ୍ଭୀର ହୋଇ ଆସିଲା । ମାର୍ଟିନ୍‍ ତାହା ଲକ୍ଷ୍ୟ କରିପାରି କହିଲା, ‘‘ମୁଁ ଜାଣେ, ଡାହାଳ କୁକୁରକୁ ବଧ କରିବା ଭୀଷଣ ଅନ୍ୟାୟ; କିନ୍ତୁ ଯେତେବେଳେ ଦେଖିଲି, ଏମାନଙ୍କୁ ବଧ ନ କଲେ ମୋର ପ୍ରାଣ ରହିବ ନାହିଁ, ସେତେବେଳେ ମୁଁ ସେମାନଙ୍କୁ ବଧକଲି ।’’

 

‘‘ସେ କୁକୁର କାହାର ?’’

‘‘ଜଙ୍ଗଲ ଜଗୁଆଳିର ।’’

 

‘‘ଅବଶ୍ୟ କେହି ମୋର କୁକୁରକୁ ମାରିଲେ ମୁଁ ତାକୁ କ୍ଷମା ଦିଅନ୍ତି ନାହିଁ । କିନ୍ତୁ ମୋର ଜଣେ ବୃଦ୍ଧ ସୈନିକକୁ କୁକୁର ଲଗାଇ ମାରିବାକୁ ଯିବା ଘୋର ଅନ୍ୟାୟ । ନିଜର ଜୀବନ ରକ୍ଷା ପାଇଁ ସେ କୁକୁରକୁ ବଧ କରିଥିବା ହେତୁ ତୁମକୁ କ୍ଷମା ଦେଲି । ଆଉ କିଛି ଅଛି ? ’’

 

‘‘ସେ ଜେରାର୍ଡ଼ ବିଚାରା କଥା !’’

 

‘‘ହଁ, ଜେରାର୍ଡ଼ କଥା ! ତୁମେ ସେ ବର୍ଗୋମାଷ୍ଟରକୁ କହିଦେବ –ତାର କାର୍ଯ୍ୟରେ ମୁଁ ବଡ଼ ଅସନ୍ତୁଷ୍ଟ । ସେ ନିଜକୁ ଜଣେ ରାଜା ବୋଲି ମନେକରୁଛି । ହଲାଣ୍ଡରେ ମୋ ଛଡ଼ା ଅନ୍ୟ କେହି ରାଜା ରହି ନ ପାରେ । ତା ବିରୁଦ୍ଧରେ ଆଉ କିଛି ଆପତ୍ତି ଶୁଣାଗଲେ, ତାକୁ ତାର ଦୁଆାରେ ମୁହଁରେ ଫାଶୀ ଦିଆଯିବ । ଆଉଥରେ ସେହିପରି ଗୋଟାଏ ଦୁଷ୍ଟ ବର୍ଗୋମାଷ୍ଟରକୁ ଫାଶୀ ଦେଇଥିଲି ।’’

 

ରାଜା ଜଣେ କର୍ମଚାରୀକୁ ଡାକି ବୃଦ୍ଧ ସୈନିକ ମାର୍ଟିନ୍‍ ଓ ଇଲିଆସ୍‍ର ପୁଅ ଜେରାର୍ଡ଼କୁ କ୍ଷମା ଦିଆଗଲା ବୋଲି ଲେଖି ଆଣିବାକୁ କହିଲେ । କ୍ଷମାପତ୍ର ଲେଖା ହୋଇ ଆସିବାରୁ ରାଜା ସେଥିରେ ସ୍ୱାକ୍ଷର କରି ମୋହର ଦେଲେ । ମାର୍ଟିନ୍‍ କାଗଜ ଖଣ୍ଡିକ ନେଇ ଆନନ୍ଦରେ ଫେରିଗଲା ।

 

ଦିନେ ମାର୍ଗାରେଟ୍‍ ଚୁଲି ପାଖରେ ବସିଥିଲା, ଏହି ସମୟରେ ମାର୍ଟିନ୍‍ ଖଣ୍ଡିଏ କାଗଜ ଧରି ପହଞ୍ଚିଲା । ଆଉ କୌଣସି ବିଷୟ ନ ଉଠାଇ ସେ କହିଲା, ‘‘ମାର୍ଗାରେଟ୍‍, ଶୁଭ ଖବର ଅଛି । ଏଥିରେ ରାଜା ଜେରାର୍ଡ଼କୁ କ୍ଷମା ଦେଇଅଛନ୍ତି । ହଲାଣ୍ଡର ସବୁ ବର୍ଗୋମାଷ୍ଟର ଏକାଠି ହେଲେ ମଧ୍ୟ ଏଣିକି ଜେରାର୍ଡ଼ ଦେହରେ ହାତ ଛୁଆଇଁ ପାରିବେ ନାହିଁ । ଶୀଘ୍ର ଜେରାର୍ଡ଼ ପାଖକୁ ଖବର ପଠାଇଦିଅ ।’’

 

ମାର୍ଗାରେଟ୍‍ ଏହି କାଗଜଖଣ୍ଡିକ ନେଇ ମାର୍ଗାରେଟ୍‍ ଭାନ୍‍ଇକ୍‌ଙ୍କୁ ଦେଖାଇଲା । ଅବଶ୍ୟ ସେ ମାର୍ଗାରେଟ୍‍ର ଆନନ୍ଦରେ ଆନନ୍ଦିତ ହେଲେ; କିନ୍ତୁ ଜେରାର୍ଡ଼ ବିଷୟରେ ସେ ଯେଉଁ ଉଚ୍ଚ ଆଶା ପୋଷଣ କରିଥିଲେ, ତାହା ମଉଳିଗଲା । ସେ କହିଲେ, ‘‘ମୋର ବିଚାର ଥିଲା, ଜେରାର୍ଡ଼ ଇଟାଲିରେ ପାଞ୍ଚ ଛଅ ବର୍ଷ ରହି ପ୍ରଚୁର ଧନ ଅର୍ଜିବା ସଙ୍ଗେ ସଙ୍ଗେ ଚିତ୍ର ବିଦ୍ୟାରେ କୃତିତ୍ୱ ଅର୍ଜନ କରି ଘରକୁ ଫେରିବ । ମୁଁ ଦେଖୁଛି, ତୁମେ ତାକୁ ଛାଡ଼ି ବଞ୍ଚି ପାରିବ ନାହିଁ । ଧନ, ମାନ ଏସବୁ ତୁମ ଦୁହିଁଙ୍କ ସୁଖ ନିକଟରେ କିଛି ନୁହେଁ । ତେଣୁ ଜେରାର୍ଡ଼ କିପରି ଶୀଘ୍ର ଫେରିଆସିବ ତାର ବ୍ୟବସ୍ଥା କରିବାକୁ ହେବ ।‘‘

 

‘‘କିନ୍ତୁ କିପରି ଖବର ପଠାଯାଇପାରିବ ?’’

 

‘‘ଆମ ଘରେ ଆଜି ଜଣେ ଲୋକ ପହଞ୍ଚିଛନ୍ତି । ତାଙ୍କର ନାମ ହାନସ୍‌ ମେମ୍‌ଲିଙ୍ଗ । ଆସନ୍ତା ସପ୍ତାହରେ ସେ ଇଟାଲି ଯିବାର କଥା ଅଛି । ଥରେ ସେ ଏଠାରେ ଜେରାର୍ଡ଼କୁ ଦେଖିଥିଲେ-। ସେ ଇଟାଲିରେ ଜେରାର୍ଡ଼କୁ ଖୋଜି ବାହର କରିପାରିବେ । ତୁମେ ଜେରାର୍ଡ଼ ପାଖକୁ ଖଣ୍ଡିଏ ଚିଠି ଲେଖ । ଚିଠି ପଠାଇବାର ଭାର ମୋ ଉପରେ ରହିଲା ।’’

 

ହାନ୍‍ସ ମେମ୍‍ଲିଙ୍ଗ ଜଣେ ଭଲ ଚିତ୍ରକର ହୋଇଥିବାରୁ ମାର୍ଗାରେଟ୍‍ ଭାନ୍‍ଇକ୍‍ଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । କିନ୍ତୁ ତାଙ୍କର ଗୋଟିଏ ଭୀଷଣ ଦୋଷ ଥିଲା । ବେଳେବେଳେ ସେ ଅତିରିକ୍ତ ମଦ ପିଇ ମାତାଲ ହୋଇପଡ଼ୁଥିଲେ । ମାର୍ଗାରେଟ୍‍ ଚିଠିଖଣ୍ଡିକ ଲେଖି ମାର୍ଗାରେଟ୍‍ ଭାନ୍‍ଇକ୍‍ଙ୍କୁ ଦେଲେ । ମାର୍ଗାରେଟ୍‍ ଭାନ୍‍ଇକ୍‍ ଚିଠି ଉପରେ ଠିକଣା ଲେଖି ହାନ୍‍ସ ମେମ୍‍ଲିଙ୍ଗଙ୍କୁ ଦେଲେ ଓ ବାଟଖର୍ଚ୍ଚ ପାଇଁ କିଛି ଟଙ୍କା ମଧ୍ୟ ଦେଲେ ।

 

ହାନସ୍‌ ଚିଠି ଓ ଟଙ୍କା ନେଇ କିଛି ଦୂର ଯିବା ପରେ ଦୁଇ ଜଣ ବନ୍ଧୁଙ୍କୁ ଭେଟିଲା । ସେ ଦୁହିଁଙ୍କ ସାଥିରେ ହାନସ୍‌ ଗୋଟିଏ ମଦ୍ୟଶାଳାକୁ ମଦ୍ୟପାନ ପାଇଁ ଗଲା । ଦୈବାତ୍‌ ଜେରାର୍ଡ଼ର ଭାଇ ଶିବ୍ରାଣ୍ଟ ମଧ୍ୟ ସେତେବେଳକୁ ପାଖରେ ବସି ମଦ ପିଉଥିଲା । କିନ୍ତୁ ହାନ୍‌ସ ବା ତାର ବନ୍ଧୁମାନେ କେହି ତାକୁ ଚିହ୍ନି ନ ଥିଲେ । ହାନ୍‍ସ ତାର ବନ୍ଧୁ ଦୁହିଁଙ୍କୁ କହିଲା, ‘‘ମୁଁ ଆଜି ଇଟାଲିକୁ ବାହାରିଛି । ମୁଁ ସେଠାରେ ଲୋକଙ୍କୁ ଦେଖାଇ ଦେବି, ପ୍ରକୃତ ଚିତ୍ର ବିଦ୍ୟା କାହାକୁ କହନ୍ତି । ଟର୍ଗାଓର ଜେରାର୍ଡ଼ ବୋଲି ଜଣେ ଲୋକ ପାଖକୁ ଖଣ୍ଡେ ଚିଠି ନେଇ ଯାଉଛି । ସେ ଏବେ ଇଟାଲିରେ ଅଛି ।’’

 

ଏତିକି ଶୁଣିଲାକ୍ଷଣି ଶିବ୍ରାଣ୍ଟ କର୍ଣ୍ଣେଲିସ୍‌ ପାଖକୁ ଦଉଡ଼ିଲା । ଦୁଇ ଭାଇ ଯାକ ବସି ବିଚାର କଲେ–ଇଟାଲି ଏଠାରୁ ବହୁତ ଦୂର । ଜେରାର୍ଡ଼ ସେଇଠି ଥିଲେ ଆମର କିଛି କରିପାରିବ ନାହିଁ । ସେ ଯେପରି ଫେରି ନ ଆସେ ସେଥିରେ ଉପାୟ କରିବାକୁ ହେବ ।

 

କର୍ଣ୍ଣେଲିସ୍‌–ସେ କଥା ସତ, କିନ୍ତୁ ମାର୍ଗାରେଟ୍‌କୁ ଛାଡ଼ି ସେ ବରାବର ଇଟାଲିରେ ରହି ପାରିବ ନାହିଁ । ଯେତେବେଳେ ହେଲେ ତା ପାଖକୁ ଫେରିଆସିବ ।

 

ଶିବ୍ରାଣ୍ଟ–ସେ ଟୋକୀ ବେମାର ପଡ଼ିଥିଲା । ମରିଯାଇଥିଲେ ଭଲ ହୋଇଥାନ୍ତା ।

 

କର୍ଣ୍ଣେଲିସ୍‌–ସେ କଅଣ ମରୁଛି ? ଆମକୁ ହଇରାଣ କରିବା ପାଇଁ ମରଣ ମୁହଁରୁ ବଞ୍ଚିଆସୁଛି ।

 

ଜେରାର୍ଡ଼ ଫେରି ନ ଆସିଲେ ତାର ପୈତୃକ ସମ୍ପତ୍ତିର ଭାଗ ଏ ଦୁଇ ଭାଇ ପାଇବେ । ତେଣୁ ଜେରାର୍ଡ଼ କିପରି ଚିରକାଳ ଇଟାଲିରେ ରହିବ କାହାହିଁ ଦୁଇଭାଇଙ୍କର ଇଚ୍ଛା । କିନ୍ତୁ କି ଉପାୟରେ ଏହା କରିହେବ ସ୍ଥିର କରାଯାଇ ପାରିଲା ନାହିଁ । ଶେଷରେ ଦୁହେଁଯାକ ବର୍ଗୋମାଷ୍ଟର ସହିତ ପରାମର୍ଶ କରିବାକୁ ସ୍ଥିର କଲେ ।

 

ଦୁଇ ଭାଇ ବର୍ଗୋମାଷ୍ଟର ପାଖକୁ ଯାଇ ଟିକିନିଖି କରି ସବୁ ଖବର ଦେଲେ । ବିଚାରରେ ସ୍ଥିର ହେଲା ଯେ ସେ ଚିଠିକୁ ବଦଳାଇ ଆଉ ଖଣ୍ଡିଏ ଚିଠି ଦେବାକୁ ହେବ । ସେଥିରେ ଲେଖାଯିବ ଯେ ମାର୍ଗାରେଟ୍‍ ମରି ଯାଇଛି । ତାହାହେଲା ଜେରାର୍ଡ଼ ଆଉ ହଲାଣ୍ଡକୁ ଆସିବା ପାଇଁ ମନ କରିବ ନାହିଁ ।

 

ହାନସ୍‌ ମେମ୍‌ଲିଙ୍ଗ ସହରଠାରୁ ତିନି ମାଇଲ ରାସ୍ତା ଗଲାବେଳକୁ ସନ୍ଧ୍ୟା ହୋଇଗଲା । ଚନ୍ଦ୍ର ଉଇଁ ନ ଥାନ୍ତି । ଅନ୍ଧାରିଆ ହୋଇଥାଏ । ହଠାତ୍‌ ଦୁଇଜଣ ଲୋକ ତାକୁ ଦୁଇଆଡ଼ୁ ଆକ୍ରମଣ କରି କହିଲେ, ‘‘ରହ ପକେଟରେ କଅଣ ରଖିଛୁ ବାହାର କରି ଦେଇପକା’’ ।

 

‘‘ମୋ ପକେଟରେ ଖାଲି ଖଣ୍ଡେ ଚିଠି ଅଛି । ଟଙ୍କା ପଇସା ନାହିଁ ।’’

‘‘ବାହାର କର-ଆମେ ଦେଖିବୁ ।’’

 

ଏ ଦୁଇଜଣ ପ୍ରକୃତରେ କର୍ଣ୍ଣେଲିସ୍‌ ଓ ଶିବ୍ରାଣ୍ଟଙ୍କ ଛଡ଼ା ଆଉ କେହି ନୁହନ୍ତି । ଶିବ୍ରାଣ୍ଟ ଚିଠିଖଣ୍ଡକ ନେଇ ଯାଇ ଏପାଖ ସେପାଖ ଦେଖି କହିଲା, ‘‘ହଁ, ଚିଠିଟାଏ ।’’

 

ହାନ୍‌ସ କହିଲା, ‘‘ଚିଠିଟା ଦୟାକରି ଫେରାଇ ଦିଅ । ସେ ଚିଠିଖଣ୍ଡିକ ହଜାଇ ଦେଲେ ମାର୍ଗାରେଟ୍‌ ଭାନ୍ଇକ୍‌ ମୋ ଉପରେ ବିରକ୍ତ ହେବେ ।

 

‘‘ଆଚ୍ଛା, ତୋ ଚିଠି ଫେରାଇ ଦିଆଯିବ । ଅନ୍ୟ ସବୁ ପକେଟ ଖୋଲି ଦେଖା ।’’ ଏହା କହି କର୍ଣ୍ଣେଲିସ୍‍ ଚିଠିଖଣ୍ଡିଏ ବଢ଼ାଇ ଦେଲା । କିନ୍ତୁ ଏଇଟି ପ୍ରକୃତରେ ମାର୍ଗାରେଟ୍‌ ଭାନ୍‌ଇକ୍‌ ଲେଖିଥିବା ଚିଠି ନୁହେଁ । ବର୍ଗୋମାଷ୍ଟର ଲେଖିଥିବା ଜାଲ୍‌ ଚିଠି ।

 

ହାନ୍‌ସ ଅନ୍ୟ ପକେଟ ଖୋଲିବା ବାହାନା କରୁଥିଲା । ହଠାତ୍‌ ସେ ବାଡ଼ି ଉଠାଇ କର୍ଣ୍ଣେଲିସ୍‍ର କାନମୁଣ୍ଡାରେ ପାହାରେ ଦେଲା ଓ ଶିବ୍ରାଣ୍ଟର ମୁହଁକୁ କେଞ୍ଚିଦେଲା । ଏହାପରେ ସେ ‘ଚୋର, ଚୋର’ ବୋଲି ପାଟିକଲା ।

 

ଚୋର ଦୁହେଁ ସେଠାରୁ ଦୌଡ଼ି ଚାଲିଗଲେ ।

Image

 

ରୋମ୍‌ରେ

 

ଜେରାର୍ଡ଼ ରୋମ୍‌ରେ ପହଞ୍ଚି ଟାଇବର ନଦୀ କୂଳରେ ଗୋଟିଏ ଛୋଟ ଘର ଭଡ଼ା ନେଲା । ସେ ପ୍ରତିଦିନ ନିଜ ହାତ ଲେଖାର ଖଣ୍ଡିଏ ନମୁନା ଧରି କାମ ଖୋଜି ବାହାରୁଥିଲା । କିନ୍ତୁ କେହି କାମ ଦେଉ ନଥିଲେ, କହୁଥିଲେ, ‘‘ତୁମ ଅକ୍ଷରଗୁଡ଼ାକ ଖୁବ୍‌ ମୋଟା । ତୁମ ଅକ୍ଷର ଆମ ଅକ୍ଷର ଭଳି ନୁହେଁ ।’’ ସେ ନିରାଶ ହୋଇ ଫେରୁଥିଲା ।

 

ଘରର ମାଲିକାଣୀ ଜେରାର୍ଡ଼ର ଆଚରଣରେ ସନ୍ତୁଷ୍ଟ ଥିଲା, ବେଳେ ବେଳେ ତା ସଙ୍ଗେ ଗଳ୍ପ କରୁଥିଲା । ଦିନେ କଥାବାର୍ତ୍ତା ପ୍ରସଙ୍ଗରେ ସେ ପଚାରିଲା, ‘‘ମୁଁ ଦେଖୁଛି ତୁମର ମନ ଭଲ ନାହିଁ-। ତୁମ ଚିନ୍ତାରେ କାରଣ କଅଣ ?’’ ଜେରାର୍ଡ଼ ଉତ୍ତର କଲା ଏଠାରେ ବ୍ୟବସାୟୀମାନେ ମୋର ଚିନ୍ତାର କାରଣ ।

 

ଏଠି ବ୍ୟବସାୟୀମାନେ ଦରମା ଦେଇ ଲେଖକ ରଖିଛନ୍ତି । ସେମାନେ ଲେଖକମାନଙ୍କୁ ସାମାନ୍ୟ ଦରମା ଦେଇ ସେମାନଙ୍କ ପରିଶ୍ରମରୁ ଲାଭ ଉଠାଉ ଅଛନ୍ତି । ମୁଁ ଦେଖୁଛି, ତୁମ ଲେଖା ସେମାନଙ୍କ ଲେଖାଠାରୁ ବହୁ ଗୁଣରେ ଉତ୍କୃଷ୍ଟ । ସେମାନେ ଯାହା ବିକ୍ରି କରୁଛନ୍ତି ତୁମ ଲେଖା ପାଖରେ ତାହା ନିତାନ୍ତ ତୁଚ୍ଛ । କିନ୍ତୁ ରୋମ୍‌ରେ ଧନୀ ଲୋକ ଅଛନ୍ତି । ଭଲ ଲେଖା ପାଇଁ ସେମାନେ ଯେ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ । ରାଜଦରବାରର ଜଣେ ମହିଳାଙ୍କ ସଙ୍ଗେ ମୋର ପରିଚୟ ଅଛି । ତାଙ୍କୁ ତୁମ ବିଷୟ କହିବି । ସେ ତୁମ ପାଇଁ କିଛି କାମ ଯୋଗାଇ ପାରିବେ-।’’

 

ଏହାର ପରଦିନ ପୁଣି ଦୁହିଁଙ୍କର କଥାବାର୍ତ୍ତା ହେଲା । ଘରର ମାଲିକାଣୀ କହିଲେ, ‘‘ମୋର ଟେରେସାଙ୍କ ସହିତ ଦେଖା ହୋଇଥିଲା । ପାଞ୍ଚ ଜଣ ଲର୍ଡ଼ ତୁମର ଲେଖା କିଣିବାକୁ ଇଚ୍ଛା ପ୍ରକାଶ କରିଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋମ୍‌ର ପ୍ରସିଦ୍ଧ ଫ୍ରାକଲୋନା ।

 

ଦିନକ ପରେ ଜେରାର୍ଡ଼ ଫ୍ରାକଲୋନାଙ୍କ ଆହ୍ୱାନ ପାଇ ତାଙ୍କ ଗୃହରେ ଉପସ୍ଥିତ ହେଲା-। ଜଣେ ଭୃତ୍ୟ ତାକୁ ଡାକିନେଲେ ବୈଠକଖାନାରେ ବସିବାକୁ କହିଲା । ଜେରାର୍ଡ଼ ଦେଖିଲା, ଘରଟିଯାକ ଚିତ୍ର ଓ ନାନା ପୁସ୍ତକରେ ପରିପୂର୍ଣ୍ଣ । ଘର ମଝିରେ ଲର୍ଡ଼ ଫ୍ରାକଲୋନା ଗୋଟିଏ ଆସନରେ ବସିଥିଲେ । ତାଙ୍କର ଦୃଷ୍ଟି ଗୋଟିଏ ପାରସିକ ଲେଖା ଉପରେ ନିବଦ୍ଧ ଥିଲା । କିଛି ସମୟ ପରେ ସେ ଜେରାର୍ଡ଼କୁ ଖଣ୍ଡିଏ କାଗଜ ଦେଇ ଟେବୁଲ ଆଡ଼କୁ ନିର୍ଦ୍ଦେଶ କରି କହିଲେ, ‘‘ଏଥିରେ ଲେଖ । ତୁମର ଅକ୍ଷର କିପରି ଦେଖିବା ।’’

 

ଜେରାର୍ଡ଼ ଗୋଟିଏ ଗ୍ରୀକ୍‌ କବିତା ଲେଖି ପାଖେ ପାଖେ ତାର ଲାଟିନ୍‌ ଅନୁବାନ ଲେଖିଲା ଓ ଲେଖିସାରି କାଗଜଖଣ୍ଡିକ ଫ୍ରାକଲୋନାଙ୍କୁ ବଢ଼ାଇ ଦେଲା । ତାର ଲେଖା ସମ୍ୱନ୍ଧରେ ମନ୍ତବ୍ୟ ଶୁଣିବାକୁ ସେ ଆଶଙ୍କାରେ ଥରିଗଲା । କିନ୍ତୁ ଫ୍ରାକଲୋନା କିଛି ନ କହି ଉଠିପଡ଼ିଲେ ଓ ଆନନ୍ଦରେ ଜେରାର୍ଡ଼କୁ ଆଲିଙ୍ଗନ କଲେ । ସେ ଯେ ତାର ଲେଖାକୁ ପସନ୍ଦ କରିଛନ୍ତି ଏ ବିଷୟରେ ଆଉ ସନ୍ଦେହ ରହିଲା ନାହିଁ ।

 

ଜେରାର୍ଡ଼ ଫ୍ରାକଲୋନାଙ୍କର ଲେଖକରୂପେ ନିଯୁକ୍ତ ହେଲା । ଅଳ୍ପ ଦିନ ମଧ୍ୟରେ ଏହି ଲର୍ଡ଼ଙ୍କଠାରୁ ଜେରାର୍ଡ଼ର ପ୍ରଶଂସା ଶୁଣି ଅନେକ ରାଜା ଓ ଜମିଦାର ଜେରାର୍ଡ଼କୁ ନିଯୁକ୍ତ କରିବାର ଇଚ୍ଛା ପ୍ରକାଶ କଲେ । ଫ୍ରାକଲୋନା ତାକୁ ଏହି କଥା ଜଣାଇବାରୁ ଜେରାର୍ଡ଼ କହିଲା, ‘‘ମୁଁ ଆପଣଙ୍କ ପାଖରେ ରହି ସନ୍ତୁଷ୍ଟ । ଅନ୍ୟତ୍ର ଯିବି କାହିଁକି ?’’ ଲର୍ଡ଼ ମହାଶୟ ବୁଝାଇ ଦେଲେ, ‘‘ତୁମେ ସଂସାରୀ; ଅର୍ଥ ଉପାର୍ଜନ କରିବା ତୁମର ଲକ୍ଷ୍ୟ । ମୁଁ ଯାହା ଦେଉଛି, ତାହାର ତିନି ଗୁଣ ତୁମେ ଅର୍ଜି ପାରିବ । ମୋ ପାଖରେ ରହି ନିଜର କ୍ଷତି କରିବ କାହିଁକି ?’’

 

ଜେରାର୍ଡ଼ର ଖ୍ୟାତି ଦିନକୁ ଦିନ ବୃଦ୍ଧି ପାଇଲା । ତାର ଲେଖା ପାଇଁ ସେ ଯେଉଁ ମୂଲ୍ୟ ଚାହିଁଲା ତାହା ପାଇ ପାରିଲା । ଅନେକ ରାଜା ଜମିଦାର ତା ସହିତ ବନ୍ଧୁତ୍ୱ ସ୍ଥାପନ କଲେ । ଧନ ଓ ସମ୍ମାନ ଲାଭ କଲେ ହେଁ ଜେରାର୍ଡ଼ ନିଜକୁ ଭୁଲିଯାଇ ନ ଥିଲା; ଗର୍ବ ବା ଅଭିମାନକୁ ସେ କେବେ ମନରେ ସ୍ଥାନ ଦେଇ ନ ଥିଲା । ଶେଷରେ ସ୍ୱୟଂ ପୋପ୍‌ ଜେରାର୍ଡ଼କୁ ଡକାଇ କେତେକ ଧର୍ମଗ୍ରନ୍ଥ ଲେଖାଇଲେ । ଏହାଠାରୁ ବଳି କି ଅଧିକ ସମ୍ମାନ ଆଶା କରାଯାଇପାରେ ?

 

ଜେରାର୍ଡ଼ର ମନ ଆନନ୍ଦରେ ପୂର୍ଣ୍ଣ । ସେ ଅର୍ଥ ସଞ୍ଚୟ କରି ପାରିଛି । ବର୍ଷେ ଦୁଇବର୍ଷ ପରେ ସେ ପ୍ରଚୁର ଧନ ନେଇ ସ୍ୱଦେଶକୁ ଫେରିଯିବ ଓ ମାର୍ଗାରେଟ୍‍ ସହିତ ସୁଖମୟ ପାରିବାରିକ ଜୀବନ ଯାପନ କରିବ ଭାବି ଆନନ୍ଦିତ ହେଲା ।

Image

 

ଭାଗ୍ୟ ବିପର୍ଯ୍ୟୟ

 

ଦିନେ ଜେରାର୍ଡ଼ ରୋମ୍‌ର ବଜାରରେ ବୁଲୁ ବୁଲୁ ଗୋଟିଏ ଦୋକାନରେ କେତେକ ସୁନ୍ଦର ବହି ଦେଖିଲା । ବହିର ଅକ୍ଷର କିପରି ଦେଖିବାକୁ ସେ ତାହାକୁ ଖୋଲିଲା । ଦେଖିଲା, ସେ ବହି ସବୁ ହାତର ଲେଖା ନୁହେଁ–କଳରେ ଛାପା ହୋଇଅଛି।

 

ଜେରାର୍ଡ଼ ଚିନ୍ତା କରିବାକୁ ଲାଗିଲା, ‘‘ରୋମ୍‍ରେ ମଧ୍ୟ ଛାପାକଳ ପ୍ରବେଶ କଲାଣି । ମୋର ସୌଭାଗ୍ୟ ଶେଷ ହୋଇଗଲା । ମୋର ହାତଲେଖା ଯେତେ ସୁନ୍ଦର ହେଲେ ସୁଦ୍ଧା ମୁଁ କି କଳସ ଥିରେ ପ୍ରତିଦ୍ୱନ୍ଦିତା କରିପାରିବି ? ଆଉ କେତେଟା ମାସରେ ଘରେ ଘରେ ଛାପାବହି ଦେଖିବାକୁ ମିଳିବ । ଲେଖକମାନଙ୍କୁ ଆଉ କେହି ପଚାରିବେ ନାହିଁ ।’’

 

ସେ ହଲାଣ୍ଡରୁ ଆସିଲାବେଳେ ଫ୍ଲୋରିସ୍‌ ବ୍ରାଣ୍ଟ ଲେଖିଦେଇଥିବା କାଗଜଖଣ୍ଡିକ ଆଣିଥିଲା । ଏହାର ଅକ୍ଷର ଅତି ଖରାପ ଥିବାରୁ ସେ ତାକୁ ନ ପଢ଼ି ରଖିଦେଇଥିଲା । ଦିନେ ସନ୍ଧ୍ୟାବେଳେ ଅନ୍ୟ କିଛି କାମ ନ ଥିବାରୁ ସେ ତାହାକୁ ବାହାର କରି ମନେଦେଇ ପଢ଼ିବାକୁ ଚେଷ୍ଟାକଲା । ସେଥିରୁ ଜଣାଗଲା ଯେ ମାର୍ଗାରେଟ୍‍ର ପିତାମହ ଫ୍ଳୋରିସ୍‍ ବ୍ରାଣ୍ଟକୁ ଘିସ୍‍ବ୍ରେକ୍‌ଟ ଟଙ୍କା ଦେଇଥିଲେ ଓ ତାହା ପରିବର୍ତ୍ତରେ ଫ୍ଳୋରିସ୍‌ ବ୍ରାଣ୍ଟ ନିଜର କେତେକ ଘର ଘିସ୍‌ବ୍ରେକ୍‌ଟକୁ ଛାଡ଼ି ଦେଇଥିଲେ । ଚୁକ୍ତି ହୋଇଥିଲା ଯେ ଉକ୍ତ ଘରର ଭଡ଼ାରୁ ଘିସ୍‍ବ୍ରେକ୍‍ଟ ସମସ୍ତ ଟଙ୍କା ପାଇଲା ପରେ ସେ ଘର ପୁଣି ଫ୍ଲୋରିସ୍‌ ବ୍ରାଣ୍ଟ ଦଖଲ କରିବେ । ଜେରାର୍ଡ଼ ହିସାବ କରି ଦେଖିଲା, ଅନେକ ଦିନରୁ ଘିସ୍‍ବ୍ରେକ୍‌ଟର ଟଙ୍କା ପରିଶୋଧ ହୋଇ ସାରିବଣି । ଖାଲି ସେତିକି ନୁହେଁ , ଅନେକ ଅଧିକ ଟଙ୍କା ମଧ୍ୟ ନେଇଥିବ । ଆଗରୁ ସେ ଏହି କାଗଜଖଣ୍ଡିକ ପଢ଼ି ନଥିବାରୁ ମନେ ମନେ ଅନୁତପ୍ତ ହେଲା

 

ଶୀଘ୍ର ଘରକୁ ଫେରିଯିବାପାଇଁ ଜେରାର୍ଡ଼ ବ୍ୟାକୁଳ ହେଲା । ହଲାଣ୍ଡକୁ କେବେ ଜାହାଜ ଯିବ ବୁଝିବା ସକାଶେ ସେ ଜାହାଜ ଘାଟକୁ ଗଲା । ଚାରିଦିନ ପରେ ଗୋଟିଏ ଜାହାଜ ଆମଷ୍ଟରଡମ୍‍ ଅଭିମୁଖରେ ଯିବ ବୋଲି ବୁଝି ସେ ବସାକୁ ଫେରିଆସିଲା ।

 

ବସାରେ ପହଞ୍ଚି ଜେରାର୍ଡ଼ ଘରର ମାଲିକାଣୀଠାରୁ ଶୁଭ ଖବର ପାଇଲା ଯେ, ତାର ଖଣ୍ଡିଏ ଚିଠି ହଲାଣ୍ଡରୁ ଆସିଛି ।

 

‘‘ଚିଠି, ଆସିଛି ? କିଏ ଦେଇଗଲା ?’’

 

ଲୋକଟି ମୋର ଅପରିଚିତ । ସେ ଜଣେ ଚିତ୍ରକର ଓ ତାର ଘର ହଲାଣ୍ଡରେ ବୋଲି କହିଲା । ତାର ନାଁଟା ମଧ୍ୟ ପଚାରିଥିଲି । ଗୋଟାଏ ବିଚିତ୍ର ନାଁ । ଆନସେଲିମ ନା ସେହିପରି କଅଣ ଗୋଟାଏ କହିଲା ।’’

 

ଓଃ, ହାନସ୍‌ ମେମ୍‍ଲିଙ୍ଗ–ମୋର ଜଣେ ଚିତ୍ରକର ବନ୍ଧୁ ।’’

 

ଜେରାର୍ଡ଼ ଅତି ଆଗ୍ରହରେ ଚିଠିଖଣ୍ଡିକ ନେଲା । ସେ ଭାବିଥିଲା, ମାର୍ଗାରେଟ୍‍ ଚିଠି ଦେଇଥିବ । କିନ୍ତୁ ଉପର ଠିକଣାରୁ ଦେଖିଲା, ତାହା ମାର୍ଗାରେଟ୍‍ର ଲେଖା ନୁହେଁ- ମିସ୍‌ ଭାନ୍‍ଇକ୍‌ଙ୍କର ଲେଖା । ତହୁଁ ସେ ବିଚାରିଲା, ଭିତରେ ମାର୍ଗାରେଟ୍‍ର ଚିଠି ଥିବ । କିନ୍ତୁ ଚିଠି ଖୋଲି ସେ ନିରାଶ ହୋଇଗଲା । ଭିତରର ଲେଖା ମଧ୍ୟ ସେହି ମାର୍ଗାରେଟ୍‌ ଭାନ୍‍ଇକ୍‌ଙ୍କ ହାତର । ସେ ଅଧୀର ହୋଇ ପଢ଼ିବାକୁ ଲାଗିଲା–

 

ସ୍ନେହର ଜେରାର୍ଡ଼,

 

ତୁମକୁ ସୁଖର ସମ୍ବାଦ ପରିବର୍ତ୍ତେ ଗୋଟିଏ ନିତାନ୍ତ ଦୁଃଖକର ସମ୍ୱାଦ ଦେବାକୁ ପଡ଼ୁଛି-। ଗତ ସପ୍ତାହ ବୁଧବାର ଦିନ ମାର୍ଗରେଟ୍‍ ବ୍ରାଣ୍ଟର ମୃତ୍ୟୁ ହୋଇ ଯାଇଛି । ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସେ ମୋ କୋଳରେ ଥିଲା । ତାର ଶେଷକଥା ହେଉଛି-ଜେରାର୍ଡ଼ ଆସିଲେ ତାଙ୍କୁ କହିବ, ଅନ୍ତିମ ମୁହୂର୍ତ୍ତରେ ମଧ୍ୟ ମୁଁ ତାଙ୍କର ମଙ୍ଗଳ ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛି । ମୋର ଆତ୍ମାର ଶାନ୍ତିପାଇଁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିବେ । ମାର୍ଗରେଟ୍‌ ଶାନ୍ତିରେ ମରିଛି, ତାର ଯଥାବିଧି ସତ୍କାରରେ ମୁଁ ହେଳା କରିନାହିଁ । ବର୍ତ୍ତମାନ ଏ ଦୁଃଖରେ ଆଉ ଅଧିକ କଅଣ ଲେଖିବ ?

 

ତୁମ୍ଭର ଶୁଭେଚ୍ଛୁ

ମାର୍ଗାରେଟ୍‍ ଭାନ୍‍ଇକ୍‌

 

ଘରର ମାଲକାଣୀ ଚିଠିର ବିଷୟ ଶୁଣୁଥିଲେ । ତାଙ୍କ ଆଖିରୁ ଲୁହ ବହିଗଲା । ଜେରାର୍ଡ଼ କହିଲା, ‘‘ଦୂର ବିଦେଶରେ ଥିବା ଜଣେ ହତଭାଗ୍ୟ ଯୁବକ ପାଖକୁ ଏଭଳି ଚିଠି କେହି ଦିଏ ? ଆଉ ମୋର ଜୀବନରେ କି କାର୍ଯ୍ୟ ? ଯାଉଛି ଆତ୍ମହତ୍ୟା କରିବି । ମୁଁ ଦେଖିଛି, ଈଶ୍ୱର ନାହାନ୍ତି । ଈଶ୍ୱର ଥିଲେ କଅଣ ପୃଥିବୀରେ ଏଭଳି ଅନ୍ୟାୟ ହେଉଥାନ୍ତା !’’

 

ମାଲିକାଣୀ କହିଲେ, ‘‘ଶୁଣ ସମ୍ବାଦ ଥିବ ବୋଲି ଭାବି ମୁଁ ଚିଠିଟି ତମୁକୁ ଦେଇଥିଲି, କିନ୍ତୁ କିଏ ଜାଣିଥିଲା ଲୋ ଏଥିରେ ଏପରି ଦୁଃସମ୍ବାଦ ଅଛି ? ଧୈର୍ଯ୍ୟ ଧର । ଜଗତରେ ମୃତ୍ୟୁ କାହାକୁ ଛାଡ଼ିନାହିଁ । ଅଧୀର ହେଲେ କଅଣ ହେବ ?’’

 

‘‘ମୁଁ ପିଲାଦିନୁ ଶୁଣି ଆସିଛି ଈଶ୍ୱର ସର୍ବ ଶକ୍ତିମାନ୍‌ । ମୃତ୍ୟୁ ଉପରେ ମଧ୍ୟ ତାଙ୍କର ଅଧିକାର ଅଛି । ମୃତ୍ୟୁ ଯଦି ମାର୍ଗରେଟ୍‌କୁ ନେଇପାରିଲା, ତେବେ ଈଶ୍ୱରଙ୍କୁ ବିଶ୍ୱାସ କରିବ କିପରି-? ବରଂ କହିବି, ସଇତାନ ହେଉଛି ପୃଥିବୀରେ ସର୍ବେସର୍ବା । ହାୟ ମୋ ମାର୍ଗରେଟ୍‌ ! ମାର୍ଗାରେଟ୍‌ ନାହିଁ । ନା, ଏହା ସତ୍ୟ ହୋଇ ନ ପାରେ । ଆଗେ ଯାଇ ଦେଖେ ସେ ହାନ୍‌ସ କୁଆଡ଼େ ଗଲା ?’’ ଏହା କହି ସେ ବସାରୁ ବାହାରିଗଲା ।

 

ଜେରାର୍ଡ଼ ଦିନଯାକ ହାନ୍‌ସ ମେମ୍‍ଲିଙ୍ଗକୁ ଖୋଜି ଖୋଜି ନିରାଶ ହୋଇ ସନ୍ଧ୍ୟାବେଳକୁ ବସାକୁ ଫେରି ଆସିଲା । ତାର ଚେହେରା ଏକାବାରେ ବଦଳି ଯାଇଥିଲା–ସତେ ଅବା ଦୀର୍ଘକାଳରେ ଏକ ରୋଗୀ !

Image

 

ମାର୍ଗାରେଟ୍‌

 

ଏହି ଘଟନା ପରେ ଜେରାର୍ଡ଼ର ଜୀବନରେ ଅଦ୍ଭୁତ ପରବିର୍ତ୍ତନ ଘଟିଲା । ମାର୍ଗାରେଟ୍‌ ପ୍ରତି ତାର ପବିତ୍ର ପ୍ରେମ ଆଜିଯାଏ ତା ଜୀବନର ଧ୍ରୁବତାରା ପରି କାର୍ଯ୍ୟ କରୁଥିଲା । ଏବେ ମାର୍ଗାରେଟ୍‌ର ମୃତ୍ୟୁ ସମ୍ୱାଦରେ ସେ ନୈରାଶ୍ୟର ଅକୂଳ ସମୁଦ୍ରରେ ଭାସିବାକୁ ଲାଗିଲା ।

ଏତେ କଷ୍ଟ ସହି ସେ ମାର୍ଗାରେଟ୍‌ ପାଇଁ ଟଙ୍କା ସଞ୍ଚିଥିଲା ତାକୁ ସେ ଅପବ୍ୟୟ କରିବାକୁ ଲାଗିଲା । ଯାହାକୁ ଇତର ଲୋକେ ସୁଖ ବୋଲି କହନ୍ତି, ତାହାରି ପଛରେ ସେ ଧାଇଁଲା । କିନ୍ତୁ ସୁଖ କଅଣ କିଛି ଜାଣି ପାରିଲା ନାହିଁ । ସେ ଦ୍ୱିଗୁଣ ଦୁଃଖ ଅନୁଭବ କଲା । ଶାନ୍ତି ପାଇବା ଆଶାରେ ସେ ନିର୍ଜନ ରାତିରେ ନଦୀ କୂଳରେ ବୁଲିବାକୁ ଲାଗିଲା । ତାର ଜୀବନ ଶୂନ୍ୟ ବୋଧହେଲା ।

ସେଭେନ୍‍ବର୍ଜନର ଗୋଟିଏ କୋଠରୀରେ ମାର୍ଗରେଟ୍‌ ଶୋଇଛି । ତାର କୋଳରେ ଗୋଟିଏ ଶିଶୁ-ଜେରାର୍ଡ଼ର ପୁତ୍ର ସନ୍ତାନ । ମାର୍ଗାରେଟ୍‌ ହଠାତ୍‌ କାନ୍ଦିଉଠିଲା ।

କାଥେରିନ୍‌ ପଚାରିଲେ, ‘‘କାନ୍ଦି ଉଠିଲୁ, କାହିଁକି, ଝିଅ ?’’

‘‘ସେ ଏହାକୁ ଦେଖିଥିଲେ ସିନା ମୋର ସୁଖ ହୋଇଥାନ୍ତା’’

‘‘ଜେରାର୍ଡ଼ ଅଳ୍ପ ଦିନରେ ଆସି ପହଞ୍ଚିବ । ଈଶ୍ୱର ତୋତେ ଖୁବ୍‌ ଦୟା କରିଛନ୍ତି । ଦେଖିଲୁ, କେଡ଼େ ସୁନ୍ଦର ପିଲାଟିଏ–ସତେ ଅବା ସ୍ୱର୍ଗର ଦେବଦୂତ ! ହଲାଣ୍ଡଯାକରେ ଏପରି ପିଲାଟିଏ ଦେଖା ନଥିବ ।’’

‘‘ମାଆ, ବାସ୍ତବରେ ମୋର କାନ୍ଦିବାର କାରଣ ନାହିଁ । ଜେରାର୍ଡ଼ ଏଠାରେ ଥିଲେ ଭାବିବାର କିଛି ନ ଥିଲା । ଦୁଃଖବେଳେ ମୁଁ ଜେରାର୍ଡ଼ର ବିଚ୍ଛେଦ ସହିଥିଲି, କିନ୍ତୁ ଏ ସୁଖବେଳେ ସହି ପାରୁନାହିଁ । ହେ ପ୍ରାଣପ୍ରିୟ ଜେରାର୍ଡ଼-ଆସ ।’’ ଏହା କହି ସେ ଶୂନ୍ୟକୁ ହାତ ବଢ଼ାଇଲା ।

 

ମାର୍ଗାରେଟ୍‌ କାଥେରିନ୍‍ଙ୍କ ଆଡ଼କୁ ଏକ ଦୃଷ୍ଟିରେ ଚାହିଁ ରହି କହିଲା ‘‘ମାଆ, ଶୁଣିଲ ?’’

‘‘ନା କିଛି ଶୁଣି ନାହିଁ ।’’

‘‘ମୁଁ ଜେରାର୍ଡ଼ କଥା ଭାବି ଭାବି ତାଙ୍କୁ ଡାକିଲି ।’’

‘‘ହଁ, ତୁ ଜେରାର୍ଡ଼ ବୋଲି କହିବାର ମୁଁ ଶୁଣିଛି ।’’

‘‘ସେ ଉତ୍ତର ଦେଲେ ।’’

‘‘ଦୂର୍‍ ପାଗଳୀ ! ଅସମ୍ଭବ କଥା କହନା ।’’

 

‘‘ନା, ନା, ମୁଁ ମୋଟେ ମିଛ କହୁନାହିଁ । ମୁଁ ଜେରାର୍ଡ଼ ବୋଲି ଡାକିଲା ବେଳକୁ ସେ ଉତ୍ତର ଦେଲେ, ‘ମାର୍ଗାରେଟ୍‌’ । କିନ୍ତୁ ତାଙ୍କ ସ୍ୱରରୁ ସେ ଦୁଃଖିତ ଥିଲେ ବୋଲି ମନେହେଲା ।’’

 

ଠିକ୍‌ ସେହି ରାତିରେ, ସେତିକିବେଳେ, ଜେରାର୍ଡ଼ ଟାଇବର ନଦୀ ଗର୍ଭକୁ ଡେଇଁପଡ଼ିଲ। ତାର ତୁଣ୍ଡରୁ ସେତେବେଳେ ବାହାରି ପଡ଼ିଥିଲା ‘‘ମାର୍ଗାରେଟ୍‌’’ । ଟାଇବର ନଦୀ କୂଳର ଏହି ‘‘ମାର୍ଗାରେଟ୍‌’’ ଶବ୍ଦଟି ହଲାଣ୍ଡରେ ଥାଇ ମାର୍ଗାରେଟ୍‌ କିପରି ଶୁଣିଲା ? କିନ୍ତୁ ସେ ଯେ ଶୁଣିଥିଲା, ଏଥିରେ ସନ୍ଦେହ ନାହିଁ । ଏ ବିଷମ ରହସ୍ୟ କେଉଁ ଶାସ୍ତ୍ର ଉଦ୍‌ଘାଟନ କରିପାରିବ ?

Image

 

ବ୍ରଦର କ୍ଳିମେଣ୍ଟ

 

ରୋମ୍‌ର ଗୋଟିଏ ଘରେ କେତକେ ଧର୍ମଯାଜକ ବାସ କରୁଥିଲେ । ସେହି ଘରେ ଜଣେ ବିଦେଶୀ ଲୋକ ଅନେକ ଦିନ ହେଲା ରୋଗଗ୍ରସ୍ତ ହୋଇ ପଡ଼ିଛି । ସେ ଏଠାକୁ ଅଣାଗଲା ବେଳେ ତାର ଆଦୌ ବଞ୍ଚିବାର ଆଶା ନଥିଲା, କିନ୍ତ ଏବେ ସେ ଟିକିଏ ଭଲ ଅଛି, ତଥାପି ଖୁବ୍‌ ଦୁର୍ବଳ । ତାର ରୋଗଶଯ୍ୟା ପାଖରେ ଜଣେ ଧର୍ମଯାଜକ ବସି ଉଚ୍ଚ ସ୍ୱରରେ ପ୍ରାର୍ଥନା କରୁଥିଲେ-। ରୋଗୀ ତାଙ୍କ ଆଡ଼କୁ ଚାହିଁ ବେଳେ ବେଳେ ଶୁଣୁଥିଲା, ପୁଣି କେବେ କେବେ ଆଖି ବୁଜି ରହୁଥିଲା-

 

ରୋଗୀ ପଚାରିଲା, ‘‘ଫାଦର ଜେରୋମ କୁହ ମୁଁ କିପରି ଏଠାକୁ ଆସିଲି ।’’

 

ଫାଦର ଜେରୋମ-ଭଗବାନ ତୁମକୁ ଏଠାକୁ ଅଣାଇ ଅଛନ୍ତି । ଜୀବନ ହେଉଛି ମନୁଷ୍ୟ ପ୍ରତି ଭଗବାନଙ୍କର ଦାନ । ତୁମେ ସେହି ମହା ଦାନକୁ ଫିଙ୍ଗି ଦେଇଥିଲ; ଭଗବାନ ପୁଣି ତାହା ତୁମକୁ ଫେରାଇ ଦେଇ ଅଛନ୍ତି । ତୁମେ ସାଂସରିକ ଜୀବନରେ ଅସାରତା ଅନୁଭବ କରିଅଛ । ଏବେ ଧର୍ମସମ୍ପ୍ରଦାୟରେ ରହି ଜୀବନ ଅନୁଭବ କର । ଧର୍ମଯାଜକର ଜୀବନରେ ଶାନ୍ତି ମିଳେ ତୁମେ ସେହି ଶାନ୍ତିର ଅଧିକାରୀ ହୁଅ ।’’

 

ଫାଦର ଜେରୋମ ଚାଲିଗଲେ, ଜେରାର୍ଡ଼ ବିଛଣାରେ ପଡ଼ି ଆଖି ବୁଜି ଗଭୀର ଚିନ୍ତାକଲା । ଗୀର୍ଜାରୁ ପ୍ରାର୍ଥନା ଧ୍ୱନି ଶୁଣାଗଲା । ସେ ଗଭୀର ମନୋଯୋଗ ଦେଇ ଗୀର୍ଜାର ପ୍ରାର୍ଥନା ଶୁଣିବାକୁ ଲାଗିଲା । ଜେରାର୍ଡ଼ ନିଜର ଶାନ୍ତିମୟ ବାଲ୍ୟଜୀବନ ବିଷୟ ଭାବିବାକୁ ଲାଗିଲା-। ଶେଷରେ ସେ ଚିନ୍ତାକଲା–ଧର୍ମଯାଜକର ଜୀବନ ହିଁ ଶାନ୍ତିମୟ ଅନ୍ୟତ୍ର ଶାନ୍ତି ମିଳି ନ ପାରେ । ଜେରାର୍ଡ଼ ଧର୍ମସଂପ୍ରଦାୟରେ ଯୋଗଦେଲା ।

 

ଏଣିକି କେବଳ ଧର୍ମଗ୍ରନ୍ଥ ପାଠ, ପ୍ରାର୍ଥନା ଓ ଧ୍ୟାନରେ ଜେରାର୍ଡ଼ ନିଜକୁ ନିଯୁକ୍ତି କଲା । ସଂସାର ସହିତ ସେ ଆଉ ସମ୍ୱନ୍ଧ ରଖିଲା ନାହିଁ । ସେ ଯେଉଁ ଜେରାର୍ଡ଼ ନାମରେ ସାଂସାରିକ କ୍ଷେତ୍ରରେ ପରିଚିତ ଥିଲା, ସେ ନାମକୁ ମଧ୍ୟ ପରିତ୍ୟାଗ କଲା । ଏଣିକି ତାର ନାମ ହେଲା ବ୍ରଦର କ୍ଳିମେଣ୍ଟ ।

 

ଏହି ସଂପ୍ରଦାୟର ଧର୍ମଯାଜକମାନେ ଦେଶଯାକ ବୁଲି ଲୋକ ସାଧାରଣକୁ ଧର୍ମ ବିଷୟରେ ଉପଦେଶ ଦେଉଥିଲେ । ବ୍ରଦର କ୍ଳିମେଣ୍ଟ ନାନା ଭାଷାରେ ପ୍ରବୀଣ ହୋଇଥିବାରୁ ଅଳ୍ପଦିନ ଭିତରେ ସଂପ୍ରଦାୟର ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କଲେ ।

 

ଏଥିମଧ୍ୟରେ ରୋମ୍‌ର ପୋପ୍‌ ଜଣେ ଧର୍ମଯାଜକଙ୍କୁ ବାସେଲ ସହରକୁ ପଠାଇବାପାଇଁ ଆଦେଶ ଦେଲେ । ବ୍ରଦର କ୍ଳିମେଣ୍ଟଙ୍କୁ ନିର୍ବାଚନ କରାଗଲା । ସେ ବାସେଲରେ କାର୍ଯ୍ୟଭାର ଗ୍ରହଣକରି ସେ ଅଞ୍ଚଳରେ ଲୋକମାନଙ୍କୁ ଧର୍ମଶିକ୍ଷା ଦେବାକୁ ଲାଗିଲେ । ପ୍ରାୟ ବର୍ଷକ ପରେ ଦିନେ ବ୍ରଦର ଜେରୋମି ଆସି କହିଲେ, ‘‘ବ୍ରଦର କ୍ଳିମେଣ୍ଟ, ତୁମକୁ ଏଥର ମୋ ସଙ୍ଗରେ ଯିବାକୁ ହେବ ।’’

 

ବ୍ରଦର ଜେରୋମ ଓ ବ୍ରଦର କ୍ଳିମେଣ୍ଟ ଇଂଲଣ୍ଡ ଅଭିମୁଖରେ ବାହାରିଲେ । ପ୍ରଥମ ସେମାନେ ରାଇନ୍‌ ନଦୀରେ ଅନେକ ଦୂର ଯାଇ ହଲାଣ୍ଡରେ ପ୍ରବେଶ କଲେ । ଆମଷ୍ଟରଡାମ୍‌ଠାରୁ ଜାହାଜରେ ବସି ଇଂଲଣ୍ଡ ଯିବା ସୋମନଙ୍କର ଉଦ୍ଦେଶ୍ୟ ଥିଲା । ଦୁହେଁଯାକ ସେଭେନ୍‍ବର୍ଜନ ଗ୍ରାମ ବାଟେ ଗଲେ । ପିଟରଙ୍କ ଘର କ୍ଳିମେଣ୍ଟଙ୍କ ଆଖିରେ ପଡ଼ିଲା । ମାର୍ଗାରେଟ୍‌ର ସାମଧିମନ୍ଦିର ଦେଖିବା ଉଦ୍ଦେଶ୍ୟରେ ସେ କବରଖାନାକୁ ଗଲେ; କିନ୍ତୁ ସେପରି କୌଣସି ସମାଧିମନ୍ଦିର ଦେଖି ପାରିଲେ ନାହିଁ ।

 

ତାଙ୍କର ଧାରଣା ହେଲା–ଦାରିଦ୍ର୍ୟ ହେତୁ ମାର୍ଗାରେଟ୍‌ର ଆତ୍ମୀୟମାନେ ତା ଉଦ୍ଦେଶ୍ୟରେ ଖଣ୍ଡିଏ ସ୍ମୃତିଫଳକ ମଧ୍ୟ ଦେଇପାରି ନାହାନ୍ତି । ସେ ଗୀର୍ଜାକୁ ଯାଇ ମାର୍ଗାରେଟ୍‌ର ଆତ୍ମାର ଶାନ୍ତି ନିମନ୍ତେ ପ୍ରାର୍ଥନା କଲେ ।

Image

 

ମୃତବ୍ୟକ୍ତିର ଜୀବନ ପ୍ରାପ୍ତି

 

ପିତା ପିଟରଙ୍କ ମୃତ୍ୟର ଅଳ୍ପି ଦିନ ପରେ ମାର୍ଗାରେଟ୍‌ କାଥେରିନ୍‌ଙ୍କୁ ସାହାଯ୍ୟ କରିବାକୁ ଆସିଲେ । ସେ ଏପରି ସାହାଯ୍ୟ କରିବାଦ୍ୱାରା ମନକୁ କୌଣସି ନା କୌଣସି କାର୍ଯ୍ୟରେ ନିଯୁକ୍ତି ରଖିପାରୁଥିଲେ । ଦିନେ ପଡ଼ିଶାଘରର ଜଣେ ସ୍ତ୍ରୀଲୋକ ଆସି ମାର୍ଗାରେଟ୍‌ଙ୍କ ସଙ୍ଗେ ଗଳ୍ପ କରିବାକୁ ଲାଗିଲେ । ସେ କହିଲେ, ‘‘ନୂଆ ଗୀର୍ଜାରେ ଜଣେ ଧର୍ମଯାଜକ ଯେଉଁ ବକ୍ତୃତା ଦେଲେ, ସେପରି ବକ୍ତୃତା ମୁଁ ଜୀବନରେ ଶୁଣି ନ ଥିଲି । ଯେତେ ଲୋକ ଥିଲେ, ସମସ୍ତେ ସ୍ୱର୍ଗୀୟ ଆନନ୍ଦ ଅନୁଭବ କଲେ । ଆଜି ଉପରଓଳି ସେ ପୁଣି ଉପଦେଶ ଦେବାକୁ ଆସିବେ । ତୁମେ ଶୁଣିବାକୁ ଆସ’’, ମାର୍ଗାରେଟ୍‌ ଆଗ୍ରହରେ ଯିବାକୁ ସମ୍ମତ ହେଲେ ।

 

ମାର୍ଗାରେଟ୍‌ ଗୀର୍ଜାରେ ପହଞ୍ଚିଲା ବେଳକୁ ଜାନାକୀର୍ଣ୍ଣ ଗୀର୍ଜାରେ ବ୍ରଦର କ୍ଳିମେଣ୍ଟଙ୍କର ବକ୍ତୃତା ଆରମ୍ଭ ହୋଇଯାଇଥିଲା । ମାର୍ଗାରେଟ୍‌ ବକ୍ତାଙ୍କ ନିକଟରୁ ପଚାଶ ଫୁଟ ଦୂରରେ ରହି ବକ୍ତୃତା ଶୁଣିବାକୁ ଲାଗିଲେ । ହଠାତ୍‌ ତାଙ୍କୁ ଜଣାଗଲା–ଏ ସ୍ୱର ତାଙ୍କର ଦୀର୍ଘକାଳରୁ ପରିଚିତ । ସେ ଧର୍ମଯାଜକଙ୍କ ଆଡ଼କୁ ଚାହିଁଲେ, କିନ୍ତୁ ତାଙ୍କର ମୁଖ ଅନ୍ୟ ଦିଗକୁ ଥିବାରୁ ସେ ତାଙ୍କ ମୁଣ୍ଡର ପଛପାଖଟି ମାତ୍ର ଦେଖିଲେ ।

 

ବକୃତା ଚାଲୁ ଚାଲୁ ହଠାତ୍‌ ବନ୍ଦ ହୋଇଗଲା । କେହି କାରଣ ବୁଝିପାରିଲେ ନାହିଁ । ଧର୍ମଯାଜକ ଏକ ଦୃଷ୍ଟିରେ ମାର୍ଗାରେଟ୍‌ଙ୍କ ଆଡ଼କୁ ଚାହିଁ ରହିଥିଲେ । ଲୋକେ ସେ ଦୁହିଁଙ୍କୁ ଚାହିଁରହିଲେ । ମାର୍ଗାରେଟ୍‌ ଭୟ ଓ ବିସ୍ମୟରେ ବସିପଡ଼ି ଥରିବାକୁ ଲାଗିଲେ । ସେ ଭାବିବାକୁ ଚେଷ୍ଟା କଲେ; କିନ୍ତୁ ତାଙ୍କର ଚିନ୍ତା ଗୋଳମାଳ ହୋଇଗଲା ।

 

କିଛି ସମୟ ପରେ ପୁଣି ବକ୍ତୃତା ଚାଲିଲା । ବକ୍ତୃତା ଶେଷରେ ଲୋକେ ବାହାରିଗଲେ, ମାର୍ଗାରେଟ୍‌ ମଧ୍ୟ ସେମାନଙ୍କ ସଙ୍ଗେ ବାହାରକୁ ଚାଲିଗଲେ । ଅନ୍ୟମାନେ ନିଜ ନିଜ ଘରକୁ ଗଲେ, କିନ୍ତୁ ମାର୍ଗାରେଟ୍‌ ପିତାଙ୍କ କବର ନିକଟକୁ ଯାଇ ବସିଲେ । କାଳେ କିଏ ତାଙ୍କ ମୁଣ୍ଡର ବାଳ ଦେଖି ଚିହ୍ନି ପକାଇବ, ଏହି ଭୟରେ ସେ ଖଣ୍ଡିଏ ରୁମାଲରେ ମୁଣ୍ଡକୁ ଘୋଡ଼ାଇ ପକାଇଲେ । ସେହି କବର ପାଖରେ ବସି ମାର୍ଗାରେଟ୍‌ କହିଲେ, ‘‘ପିତା, ମୁଁ ମହା ସନ୍ଦେହରେ ପଡ଼ିଛି । ସେ ଧର୍ମଯାଜକ କିଏ ? କାହିଁକି ମୋତେ ସେପରି ଚାହିଁଲେ ? ମୋର ମନେହେଲା, ସେ ସାଧାରଣ ମନୁଷ୍ୟ ନୁହନ୍ତି-। ଜଣେ ମୃତବ୍ୟକ୍ତି ହଠାତ୍‌ ପୁନର୍ଜୀବନ ପାଇଲାପରି ଜଣାଗଲା । ମୋର ଏ ବିପଦରେ, ହେ ସ୍ୱର୍ଗତ ପିତା, ତୁମେ ସହାୟ ହୁଅ ।

Image

 

ପ୍ରକୃତ ଘଟଣା

 

ବ୍ରନ୍ଦର କ୍ଳିମେଣ୍ଟ ଧର୍ମ ବିଷୟରେ ବକ୍ତୃତା ଦେଉଥିଲା ବେଳେ ଏକପ୍ରକାର ପବିତ୍ର ଆନନ୍ଦ ଅନୁଭବ କରୁଥିଲେ । ଲୋକେ ଅଭିଭୂତ ହୋଇ ତାଙ୍କ ଭାଷଣ ଶୁଣୁଥିଲେ । ଭାଷଣ ଦେଉ ଦେଉ ସେ ଲୋକମାନଙ୍କ ଉପରେ ଦୃଷ୍ଟି ପକାଇଲେ । ତାଙ୍କ ଆଖି ଗୋଟିଏ ମୁହଁ ଉପରେ ଲାଖି ରହିଲା । ସେ ମୁହଁଟି ମାର୍ଗାରେଟ୍‌ ବ୍ରାଣ୍ଟଙ୍କର । ତାହା ଉପରେ ସୂର୍ଯ୍ୟ କିରଣ ପଡ଼ୁଥିଲା । ଏହି ମୁହଁଟି ଦେଖିଲାମାତ୍ରେ ବ୍ରଦର କ୍ଳିମେଣ୍ଟଙ୍କର ଅଙ୍ଗ ଅବଶ ହୋଇଗଲା । ତାଙ୍କ ତୁଣ୍ଡ ବନ୍ଦ ହୋଇଗଲା । ବାକ୍ୟ ମଝିରେ ବକ୍ତୃତା ବନ୍ଦ ହେବାରୁ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ ।

 

ବ୍ରଦର କ୍ଳିମେଣ୍ଟ ପ୍ରଥମେ ମନେକଲେ, ଏହା ତାଙ୍କର ଭ୍ରମ । ମାର୍ଗାରେଟ୍‌ ମରିଛି, ସେ କାହୁଁ ଆସନ୍ତା । ନା, ଏ ଅଶରୀରୀ ମୂର୍ତ୍ତି, ଦେଖାଦେଇ ଉଭେଇଯିବ ! କିନ୍ତୁ ସେ ଉଭେଇଗଲା ନାହିଁ-। ମାର୍ଗାରେଟ୍‌ ମଧ୍ୟ ବ୍ରଦର କ୍ଳିମେଣ୍ଟଙ୍କୁ ଚାହିଁଲେ । ସେ ଯେ ମାର୍ଗାରେଟ୍‌ ଏଥିରେ ତାଙ୍କର ସନ୍ଦେହ ରହିଲା ନାହିଁ । ସେ ମାର୍ଗାରେଟ୍‌ ବୋଲି ଡାକିବାକୁ ମନ କରିଥିଲେ । କିନ୍ତୁ ଏହି ସମୟରେ ମାର୍ଗାରେଟ୍‌ ବୁଲିପଡ଼ି ବାହାରି ଗଲେ ।

 

ବ୍ରଦର କ୍ଳିମେଣ୍ଟ ଭାବିଲେ–ମାର୍ଗାରେଟ୍‌ର ଅଶରୀରୀ ମୂର୍ତ୍ତି କାହିଁକି ଦେଖାଦେଲା ? ବୋଧହୁଏ ତାର ସମାଧି ସେହି ସ୍ଥାନର ନିକଟରେ-ଏହା ଜଣାଇ ଦେବାପାଇଁ ସେ ଆସିଥିଲା । ସେ ଗୀର୍ଜାରୁ ବାହାରି କବରଖାନା ଆଡ଼କୁ ଗଲେ । ସେଠାରେ ଜଣେ ଲୋକ କାମ କରୁଥିଲା । ବ୍ରଦର କ୍ଳିମେଣ୍ଟ ତାକୁ ପଚାରିଲେ, ‘‘ମାର୍ଗାରେଟ୍‌ ବ୍ରାଣ୍ଟକୁ କେଉଁଠାରେ କବର ଦିଆଯାଇଛି, କହିପାରିବ ?’’ ଲୋକଟି ଟିକିଏ ରହିଯାଇ କହିଲା, ‘‘ମାର୍ଗାରେଟ୍‌ ବ୍ରାଣ୍ଟ ! ଓହୋ, ତୁମେ ତାର ବାପା ପିଟର ବ୍ରାଣ୍ଟର କବର କଥା କହୁଛ ? ହଁ, ପିଟର ମରିବାର ଦୁଇମାସ ହେଲାଣି । ତାର ଝିଅ ମାର୍ଗାରେଟ୍‌ ତାର ଶବ ସତ୍କାରର ସବୁ ବ୍ୟୟ ଦେଇଥିଲା । କବର ଉପରେ ଗୋଟିଏ ପଥର ରହିଛି । ସେଥିରେ ପିଟର ବ୍ରାଣ୍ଟର ନାମ ଖୋଳାଯାଇଛି ।’’

 

‘‘ତାଙ୍କ ଝିଅ ଏସବୁ କରାଇଛନ୍ତି ? ତୁମେ କହିବାର ଅର୍ଥ ମାର୍ଗାରେଟ୍‌ ଏବେ ବଞ୍ଚିଛନ୍ତି-?’’

 

‘‘ଅର୍ଥ କଅଣ–ମାର୍ଗାରେଟ୍‌ ନିଶ୍ଚୟ ବଞ୍ଚିଛି । ତୁମେ ଏପରି ପଚାରୁଛ କାହିଁକି ? ତୁମର ଦେହ ଭଲ ନାହିଁ ପରା ?’’

 

‘‘ଓଃ, ଆଶ୍ଚର୍ଯ୍ୟ ! ଆଶ୍ଚର୍ଯ୍ୟ ! ଆନନ୍ଦ ଓ ଭୟରେ ମୋର କଅଣ ହୋଇଯାଉଛି ?’’

‘‘ମାର୍ଗାରେଟ୍‌ ବ୍ରାଣ୍ଟ ମରିଛି ବୋଲି ତୁମକୁ କିଏ କହିଲା ?’’

 

‘‘ମୁଁ ଇଟାଲିରେ ଜେରାର୍ଡ଼ ବୋଲି ଜଣକୁ ଜାଣିଥିଲି । ତାର ବାପର ନାମ ଇଲିଆସ୍‌ । ମୁଁ ତା ପାଖରେ ଥିଲି । ଏହି ସମୟରେ ସେ ମାର୍ଗାରଟ୍‌ ଭାନ୍‍ଇକ୍‌ଙ୍କଠାରୁ ଖଣ୍ଡେ ଚିଠି ପାଇଲା ଯେ ମାର୍ଗାରେଟ୍‌ର ମୃତ୍ୟୁ ହୋଇ ଯାଇଛି । ମାର୍ଗାରେଟ୍‌ ବ୍ରାଣ୍ଟକୁ ଜେରାର୍ଡ଼ ପ୍ରାଣଭରି ଭଲ ପାଉଥିଲା । ଓଃ, ମୁଁ ଛିଡ଼ା ହୋଇ ପାରୁନାହଁ–ବସିଯାଏ ।’’

 

ଲୋକଟି କହିଲା, ‘‘ଫାଦର ! ତୁମେ ମୋତେ ପଚାରି ଭଲ କରିଛ । ମୁଁ ସବୁ କଥା ଜାଣେ-। ତୁମେ ଯାଇ ଜେରାର୍ଡ଼କୁ କହିଦେବ ଯେ, ସେ ଯେଉଁ ଚିଠିପାଇଛି ସେଇଟା ଜାଲ୍‌ । ମୁଁ ଦିନେ ବର୍ଗୋମାଷ୍ଟର ଘିସ୍‍ବ୍ରେକ୍‌ଟ ଘରେ କାମ କରୁଥିଲି । କର୍ଣ୍ଣେଲିସ୍‍ ଓ ଶିବ୍ରାଣ୍ଟ ଆସି ଗୋଟାଏ ଚିଠିକୁ ବଦଳାଇବା ବିଷୟରେ ଘିସ୍‍ବ୍ରେକ୍‌ଟ ସାଥିରେ ପରାମର୍ଶ କରୁଥିଲେ । ହାନ୍‌ସ ମେମ୍‍ଲିଙ୍ଗ ବୋଲି ଜଣେ ଲୋକ ସେ ଚିଠି ନେଇ ଯାଇଥିଲା ।’’

 

ବ୍ରଦର କ୍ଳିମେଣ୍ଟ ପାଗଳ ପରି ସେଠାରୁ ଚାଲିଗଲେ । ଲୋକଟି ଆଶ୍ଚର୍ଯ୍ୟ ହୋଇ ଚାହିଁରହିଲା ।’’

 

ଲୋକଟି ଫେରିଯାଇ ମାର୍ଗାରେଟ୍‌କୁ କହିଲା, ‘‘ସେ ଧର୍ମଯାଜକ ମୋତେ ପଚାରିଲେ, ‘‘ମାର୍ଗାରେଟ୍‌ ବ୍ରାଣ୍ଟର କବର କେଉଁଠି ?’’ ସେ ତୁମ ଜେରାର୍ଡ଼କୁ ଦେଖିଥିଲେ । ତୁମର ମୃତ୍ୟୁ ହୋଇଛି ବୋଲି ଖଣ୍ଡେ ଚିଠି ପାଇ ତା ମନ ଏକବାର ଖରାପ ହୋଇଯାଇଛି । କର୍ଣ୍ଣେଲିସ୍‍, ଶିବ୍ରାଣ୍ଟ ଓ ବର୍ଗୋମାଷ୍ଟର କିପରି ଷଡ଼ଯନ୍ତ୍ର କରି ଜାଲ୍‍ ଚିଠି ପଠାଇଛନ୍ତି, ସେ କଥା ମୁଁ ଧର୍ମଯାଜକଙ୍କୁ କହିଦେଇଛି । ମୋ କଥା ଶୁଣି ସେ ରାଗରେ ଜଳି ଉଠିଲେ । ସେ ହେଉଛନ୍ତି ଜେରାର୍ଡ଼ର ଜଣେ ବନ୍ଧୁ । ମୁଁ ତାଙ୍କୁ ଇଲିଆସ୍‍ଙ୍କ ଘରକୁ ଯିବାପାଇଁ କହିଦେଇଛି ।’’

 

‘‘ତୁମେ ବଡ଼ ଭୁଲ କଲ ।’’ ଏତିକି କହି ମାର୍ଗାରେଟ୍‌ ନିଜ ଘରକୁ ଚାଲିଗଲେ ।

 

ସନ୍ଧ୍ୟାବେଳକୁ ସମସ୍ତେ ଖାଇବା ଘରକୁ ଗଲେ; କିନ୍ତୁ ମାର୍ଗାରେଟ୍‌ର ଦେଖାନାହିଁ । ଆଖ ପାଖରେ ତାକୁ ଖୋଜାଗଲା, ମାତ୍ର ମାର୍ଗାରେଟ୍‌ ନ ମିଳିବାରୁ ଅନ୍ୟମାନେ ଖାଇବାକୁ ବସିଲେ । ଏହି ସମୟରେ ହଠାତ୍‌ ଜଣେ ଧର୍ମଯାଜକୁ ଘର ଭିତରକୁ ପଶିଗଲେ ଏବଂ କର୍ଣ୍ଣେଲିସ୍‍ ଓ ଶିବ୍ରାଣ୍ଟ ଏ ଦୁହିଁଙ୍କ ଆଗରେ ଛିଡ଼ା ହୋଇ କହିଲେ–ରେ ପାପିଷ୍ଠ, ତୁମର ଯେଉଁ ମୁହଁ ମିଥ୍ୟାରେ ମାର୍ଗାରେଟ୍‌ ମରିଛି ବୋଲି କହିଲା, ସେ ଅକାଳରେ କବରରେ ସ୍ଥାନ ପାଉ । ତୁମର ଯେଉଁ ହାତ ଅସଲ ଚିଠିକୁ ବଦଳାଇ ଜାଲ୍‌ ଚିଠି ଦେଇଥିଲା, ସେ ହାତ ଛିଡ଼ିପଡ଼ୁ, ତୁମେ ନରକକୁ ଯାଅ ।’’

 

ଏହା କହି ସେ ପକେଟରୁ ଖଣ୍ଡେ ଚିଠି ବାହାର କରି ତାର ବାପା ଇଲିଆସ୍‍ଙ୍କ ଆଗକୁ ଫିଙ୍ଗିଦେଇ କହିଲା, ‘‘ଏଇ ଚିଠିକୁ ଭଲକରି ପଢ଼ । ତୁମେ ଗୋଟାଏ ପୁଅକୁ ଜେଲ୍‍ଖାନାରେ ବନ୍ଦୀ କରାଇଥିଲ, କିନ୍ତୁ ଦେଖ, ତୁମର ଅନ୍ୟ ପୁଅମାନେ କିପରି ସଇତାନ୍‍ ।’’

 

ଏହିପରି କହି ସେ ଚାଲିଗଲେ ।

 

କିଛି ସମୟ ପରେ ମାର୍ଗାରେଟ୍‌ ଘରକୁ ଆସିଲେ; କିନ୍ତୁ ସେତେବେଳକୁ ଧର୍ମଯାଜକ ଚାଲିଯାଇଥିଲେ ।

 

ଇଲିଆସ୍‍ ରାଗରେ ଗୋଟାଏ ଛୁରା ଧରି କର୍ଣ୍ଣେଲିସ୍‍ ଓ ଶିବ୍ରାଣ୍ଟଙ୍କ ମାରିବାକୁ ବାହାରିବାରୁ ସେ ଦୁହେଁ ଦୌଡ଼ି ପଳାଇଲେ । ଇଲିଆସ୍‍ ସେମାନଙ୍କୁ ଧରି ପାରିଲେ ନାହିଁ ।

 

କାଥେରିନ୍‌ କାନ୍ଦି କାନ୍ଦି କହିଲା, ‘‘ସେ ଇଟାଲିରେ ଥିଲା, ଭଲ ହୋଇଥିଲା । ଘରକୁ କାହିଁକି ଆସିଲା ? ମୋ ପିଲା ଦୁଇଟାଙ୍କୁ ଖାଲି ଅଭିଶାପ ଦେଲା ।’’

 

ଇଲିଆସ୍‌ ପାଟିକଲା, ‘‘ଚୁପ୍‌ ରହ ! ପାଟି କରନା ! ମର୍ଗାରେଟ୍‌, ସେ ସିନା ତୋତେ ସାନ୍ତ୍ୱନା ଦିଅନ୍ତା । ଓଲଟି ସେ ଜେରାର୍ଡ଼ ଉପରେ ରାଗ କରୁଛି । ତୁ, ଏଣିକି ମୋର ଝିଅ, ମୁଁ ତୋର ବାପା ।’’

 

ମାର୍ଗାରେଟ୍‌ ଇଲିଆସ୍‍ କୋଳରେ ନିଜର ମୁଣ୍ଡ ରଖିଲା ।

 

କିନ୍ତୁ ବ୍ରଦର କ୍ଳିମେଣ୍ଟ ଗଲେ କୁଆଡ଼େ ? ସେତେବେଳେକୁ ବ୍ରଦର କ୍ଳିମେଣ୍ଟ ଘୋର ଦୁଃଖରେ ଗୀର୍ଜାରେ ତଳେ ପଡ଼ିଥିଲେ ।

Image

 

ଦେବଶିଶୁ

 

ପାହାଡ଼କୁ ଲାଗି ଗୋଟିଏ ଗୁହା । ବୁଦା ଓ ଲଟାରେ ପାହାଡ଼ଟାଯାକ ଆବୃତ । ଗୁହା ଭିତରକୁ ଯିବାପାଇଁ ଗୋଟିଏ ବଡ଼ ମେଲା, ଏହା ହିଁ ଦ୍ୱାର । ଉପରକୁ ଗୋଟିଏ ଝରକା ଓ ଆଉ ଦୁଇଟି କଣା । ଗୋଟିଏ କଣା ବାଟେ ଭକ୍ତମାନେ ଖାଦ୍ୟଦ୍ରବ୍ୟ ଭିତରକୁ ରଖିଦିଅନ୍ତି, ଅନ୍ୟ ଜଣା ବାଟେ ଯାହା ପଚାରିବାକୁ ଥାଏ ପଚାରନ୍ତି । ଏହି ଗୁହାରେ ବ୍ରଦର କ୍ଳିମେଣ୍ଟ ରହୁଛନ୍ତି ।

 

ବ୍ରଦର କ୍ଳିମେଣ୍ଟଙ୍କର ଦେଖା ପାଇବାପାଇଁ ମାର୍ଗାରେଟ୍‌ ଲୁଚି ଲୁଚି ପାହାଡ଼ ପାଖକୁ ଯାଉଥିଲା । କେତେ ଦିନ ପରେ ସେ ଦେଖିଲା, ପାହାଡ଼ ଉପରକୁ ଚଢ଼ି ତଳକୁ ଚାହିଁଲେ ସେ ଗୁହା ଭିତରକୁ ଦେଖି ପାରିବ । ବୁଦା ଭିତରେ ଗୋଟିଏ ସ୍ଥାନ ସଫା କରି ସେ ଲୁଚିରହିଲା । ଗୁହାଭିତରେ ଜଣେ ଲୋକ ଯିବା ଆସିବା କରୁଥିବାର ଶବ୍ଦ ବେଳେ ବେଳେ ସେ ଶୁଣି ପାରୁଥିଲା, କିନ୍ତୁ ସେହି ଲୋକଟି କେବେ ବାହାରକୁ ଆସୁ ନ ଥିଲେ । ମାର୍ଗାରେଟ୍‌ ମନେକଲା, ସେ ନିଶ୍ଚୟ ରାତିରେ ପଦାକୁ ବାହାରୁଥିବେ ।

 

ଏହିପରି ସ୍ଥିରକରି ସେ ରାତିରେ ଗୁହା ନକଟକୁ ଗଲା । ନିର୍ଜନ ରାତି, ମାର୍ଗାରେଟ୍‌ ଏକୁଟିଆ ପାହାଡ଼ର ଗୁହା ନିକଟରେ ଅପେକ୍ଷା କଲା । ତାର ଛାତି ଉଠୁଥିଲା ପଡ଼ୁଥିଲା । ସେ ଭୟରେ ଗୁହାର କାନ୍ଥରେ ଭରା ଦେଇ ଛିଡ଼ାହେଲା । ତା ଆଗରେ ଗୋଟିଏ ପୁରୁଷର ମୂର୍ତ୍ତି ।

 

ମାର୍ଗାରେଟ୍‌ ସାହସ କରି କହିଲା,‘‘ଜେରାର୍ଡ଼, ମୁଁ ତୁମ ପାଖରେ କି ଅପରାଧ କରିଛି ଯେ ମୋତେ ତୁମେ ହତାଶ କରୁଚ ?’’

 

ପୁରୁଷଟି କହିଲା, ‘‘ମାର୍ଗାରେଟ୍‌ ତୁମକୁ ମୁଁ ପ୍ରେମ କରୁଥିଲି, କିନ୍ତୁ ସେ ଦିନ ଯାଇଛି । ତୁମେ ଯେ ମୋତେ ଦେଖାଦେଲ ସେଥିପାଇଁ ଧନ୍ୟବାଦ । ଆମେ ପରସ୍ପରଠାରୁ ଅଲଗା ହୋଇ ରହିବା ଶ୍ରେୟ ।’’

 

‘‘ନା ନା ଜେରାର୍ଡ଼, ଆମେ ଅଲଗା ହୋଇ ପାରିବା ଅସମ୍ଭବ ।’’ ମୋ କଥା ତୁମକୁ ଶୁଣିବାକୁ ହେବ । ନ ଶୁଣିଲେ ମୁଁ ଏଠାରୁ ଯିବିନାହିଁ । ଯଦି ମୋଠାରୁ ଶୁଣିବ ନାହିଁ, ତେବେ ମୋ କଥା ଅନ୍ୟ ଜଣେ କହିବ । ଥରେ ଏଆଡ଼କୁ ଚାହଁ ।’’

 

ଜେରାର୍ଡ଼ ମାର୍ଗାରେଟ୍‌ ପାଖରୁ ପଳାଇବାକୁ ବସିଲା । ଅଳ୍ପ ଦୂରରେ ଥିବା ଛୋଟ ନଦୀ ପାର ହୋଇ ସେ ଛିଡ଼ା ହୋଇଗଲା । ପଛକୁ ଚାହିଁ ସେ ଦେଖିଲା ମାର୍ଗାରେଟ୍‌ ତା ପଛରେ ।

 

ଜେରାର୍ଡ଼ ଶୁଣିବାକୁ ପାଇଲା–ହେ ଈଶ୍ୱର, ତୁମେ ସବୁ ଦେଖିଛ, ଦେଖୁଛ । ମୋ ପ୍ରତି ଯେଉଁ ବ୍ୟବହାର ହେଉଛି, ତା ତୁମେ ଦେଖୁଛ । ମୋତେ କ୍ଷମା କର । ମୋର ଏ ଜୀବନରେ ଆଉ ପ୍ରୟୋଜନ ନାହିଁ । ଆଉ ଦିନେ ସୁଦ୍ଧା ବଞ୍ଚି ରହିବାକୁ ମୋର ଇଚ୍ଛା ନାହିଁ ।’’

 

ଜେରାର୍ଡ଼ ପୁଣି ଗୁହାକୁ ଫେରିଆସି ପ୍ରାର୍ଥନା କଲା, ‘‘ହେ ଭଗବାନ, ମୋତେ ପଥ ଦେଖାଇ ଦିଅ । ପାପରୁ ଉଦ୍ଧାର କର ।’’ ଗୋଟିଏ ବତି ଜାଳି ସେ ଈଶ୍ୱରଙ୍କ ସ୍ତବ ପଢ଼ିବାକୁ ଲାଗିଲା ।

 

ହଠାତ୍‌ ଗୁହାର ଗୋଟାଏ କୋଣ ଆଡ଼େ ତାର ଦୁଷ୍ଟି ପଡ଼ିଲା । ସେଠାରେ ଗୋଟାଏ କିଛି ପଡ଼ିଛି ଭାବି ସେ ନିକଟକୁ ଗଲା । ଯାହା ଦେଖିଲା, ସେଥିରେ ବିସ୍ମିତ ହୋଇ ସେ କହିଲା, ‘‘ଏ କଅଣ ? ସ୍ୱର୍ଗର ଏ ଦେବ ଶିଶୁଟି କାହୁଁ ଆସିଲା । ସେ ଶିଶୁ ନିକଟରେ ଆଣ୍ଠୁମାଡ଼ି ତାର ସୁନେଲି ବାଳ ଓ ପଦ୍ମ ପରି ମୁହଁକୁ ଚାହିଁଲା । ଶିଶୁଟି ଉଠିପଡ଼ି ଜଣେ ଅପରିଚିତ ଲୋକକୁ ଦେଖି କାନ୍ଦିଉଠିଲା, ‘‘ମା–ଆ’’ । ତା ଆଖିରୁ କେତେ ଟୋପା ଲୁହ ଗଳିପଡ଼ିଲା ।

 

‘‘ଈଶ୍ୱର ତୋର ମଙ୍ଗଳ କରନ୍ତୁ । ତୋର ମାଆ ନଥିଲେ ମୁଁ ତୋ ମାଆର ସ୍ଥାନ ପୂରଣ କରିବି । ତୋର କଅଣ ବାପା ମାଆ କେହି ନାହାନ୍ତି ? ଆଚ୍ଛା, ମୁଁ ତୋର ବାପା, ମୁଁ ତୋର ମାଆ । ଗପ ଶୁଣିବୁ ?’’

 

’’ହଁ, ଗପ କହ ।’’

ଜେରାର୍ଡ଼ ଗୋଟିଏ ଗପ କହିଲା, ଶିଶୁଟି ମନଦେଇ ଶୁଣିଲା ।

‘‘ତୁମେ କିଏ ? ତୁମେ କଅଣ ମନିଛ ?’’

‘‘ହଁ ମଣିଷ, କିନ୍ତୁ ମୁଁ ଗୋଟାଏ ଖରାପ ମଣିଷ ।’’

‘‘କରାପ ମନିଛ ମତେ ଭଲ ଲାଗେ । ଆଉ ଗୋଟାଏ ଗପ କହ ।’’

ଏହା କହୁ କହୁ ଶିଶୁଟି ପୁଣି ନିଦରେ ଶୋଇପଡ଼ିଲା ।

 

ଗୁହା ଭିତରେ ଚନ୍ଦ୍ର କିରଣ ପଡ଼ିଲା । ଜେରାର୍ଡ଼ ଦେଖିଲା, ମାର୍ଗାରେଟ୍‌ ତାର ନିକଟକୁ ଆଣ୍ଠୁମାଡ଼ି ବସିଛି । ସେ କହିଲା, ‘‘ଜେରାର୍ଡ଼, ତୁମେ କଅଣ ଆମ ଦୁହିଁଙ୍କୁ ତଡ଼ିଦେବ ?’’

 

‘‘ଦୁହିଁଙ୍କୁ ? ଦୁହେଁ କିଏ ?’’

‘‘ଓଃ, ବାପା ହୋଇ ପୁଅକୁ ଚିହ୍ନି ପାରୁନ ? ଏଇ ଶିଶୁଟି ତୁମରି ପୁଅ ।’’

‘‘କଅଣ ? କଅଣ କହିଲ ? ଏ ଦେବଶିଶୁଟି ମୋରି ସନ୍ତାନ ?’’

‘‘ଯେ ମୋର ସନ୍ତାନ ସେ ତୁମର ସନ୍ତାନ ନ ହୋଇ ଆଉ କାହାର ହୋଇପାରେ ?’’

ଜେରାର୍ଡ଼ ଶୋଇଥିବା ଶିଶୁଟିକୁ ଏକ ଦୃଷ୍ଟିରେ ଚାହିଁ ରହିଲା । ସେ କାନ୍ଦିପକାଇଲା ।

 

ମାର୍ଗାରେଟ୍‌ ପୁଣି କହିଲା, ‘‘ଜେରାର୍ଡ଼, ତୁମେ ବୁଦ୍ଧିମାନ୍‌, ସତ୍ୟ ଓ ନ୍ୟାୟ ପଥରେ ଚଳି ଆସିଛ । ତୁମେ ଯେ ଆମକୁ ଛାଡ଼ିବାକୁ ବସିଛ ତାର କାରଣ କଅଣ ?’’

 

‘‘ମାର୍ଗାରେଟ୍‌, ମୁଁ ପାପଠାରୁ ଦୂରରେ ରହିବାକୁ ଚାହେଁ, ମୋର ଆତ୍ମାକୁ ପବିତ୍ର କରିବାକୁ ଚାହେଁ । ମୁଁ ସେ ଅଧମ ଭାଇ ଦୁଇଟିକୁ କ୍ରୋଧରେ ଅଭିଶାପ ଦେଲି । ତାହା ମୋର ପାପର ପରିଚୟ ।’’

 

‘‘ଅନ୍ୟର ଆତ୍ମାକୁ ଯେ ପବିତ୍ର କରିପାରେ ତାର ନିଜର ଆତ୍ମା ଅପବିତ୍ର ହେବ କିପରି-? ଯିଏ ଅନ୍ୟର ମଙ୍ଗଳ କାମନା କରେ ଈଶ୍ୱର ତାର ମଙ୍ଗଳ କରନ୍ତି । ଏ ଶିଶୁଟିକୁ କୋଳରେ ଧର-। ମୋତେ ତୁମର ହାତ ଦିଅ ।’’

 

‘‘ଏ ଯେ ଦେବତାଙ୍କ ଆଦେଶ ’’

ମାର୍ଗାରେଟ୍‌ ବିଜୟ ଲାଭ କଲା ।

Image

 

ଶାନ୍ତି

 

ଏତେ ରାଜ୍ୟ ବୁଲି ବୁଲି ଜେରାର୍ଡ଼ ପୁଣି ଟର୍ଗାଓକୁ ଫେରି ଆସିଛି, ମାର୍ଗାରେଟ୍‌କୁ ଫେରିପାଇଛି ।’’ ମାର୍ଗାରେଟ୍‌ ଫାଟକ ଫିଟାଇ ବଗିଚାକୁ ପଶିଯିବା ମାତ୍ରେ ଜେରାର୍ଡ଼ ଓ ତାର ପୁଅକୁ ଦେଖିପାରିଲେ । ପୁଅଟି ଘାସଉପରେ ଡେଇଁ ଡେଇଁ ଖେଳୁଥିଲା । ଜେରାର୍ଡ଼ ଗୋଟାଏ ଚଉକିରେ ବସି କାଗଜ ଓ ପେନ୍‌ସିଲ୍‌ ଧରି ତାର ଚିତ୍ର ଆଙ୍କିବାକୁ ଚେଷ୍ଟା କରୁଥିଲା । ସେ ମାର୍ଗରେଟ୍‌କୁ ଅଧା ଚିତ୍ରଟି ଦେଖାଇ କହିଲା, ‘‘ସେ ସ୍ଥିର ହୋଇ ରହିଲେ ସିନା ମୁଁ ଚିତ୍ର କରନ୍ତି । ପ୍ରତି ମୁହୂର୍ତ୍ତରେ ସେ ବଦଳୁଛି । କିନ୍ତୁ ସବୁ ଅବସ୍ଥାରେ ସେ ସୁନ୍ଦର । ଏହାକୁ ଦେଖି ମୋର ମନେହୁଏ, ଆମେ ଏଥିପୂର୍ବରୁ ଦେବଶିଶୁ ବୋଲି ଯେଉଁ ଚିତ୍ରସବୁ ଆଙ୍କୁଥିଲୁ ସେସବୁ ନିତାନ୍ତ ଅସୁନ୍ଦର, କୃତ୍ରିମ ।’’

 

ଏହା କହି ସେ କାଗଜଖଣ୍ଡିକ ଫିଙ୍ଗିଦେଲା । କିନ୍ତୁ ପରେ ମାର୍ଗାରେଟ୍‌ ଏହାକୁ ଲୁଚାଇ ନେଇଯାଇଥିଲା ।

 

ସେଦିନ ରାତିରେ ଟର୍ଗାଓର ନିଜ ଘରେ କାଥେରିନ୍‌, ମାର୍ଗାରେଟ୍‌ ଓ ଜେରାର୍ଡ଼ ବସିଥିଲେ । ଜେରାର୍ଡ଼ କହିଲା, ‘‘ଜଗତରେ ଏତେ ସୁନ୍ଦର ଜିନିଷ ଥାଉଁ ଥାଉଁ କେତେ ଲୋକ ଅସନ୍ତୋଷରେ ଦିନ କଟାନ୍ତି । ସେମାନେ ଥରେ ନିଜ ଦେଶ ଛାଡ଼ି ବିଦେଶରେ ବୁଲି ଆସନ୍ତୁ, କିଛିଦିନ ନିର୍ଜନ ସ୍ଥାନରେ ଏକାକୀ ବାସ କରନ୍ତୁ–ତାହାହେଲେ ସେମାନେ ପୃଥିବୀର ସୌନ୍ଦର୍ଯ୍ୟ ଅନୁଭବ କରିପାରିବେ । ମନୁଷ୍ୟ ଭଗବାନଙ୍କ ସୃଷ୍ଟିର ପରାକାଷ୍ଠା ତାହା କଣ ବୁଝି ପାରିବ । ମାର୍ଗାରେଟ୍‌ ସୁନ୍ଦରୀ, କିନ୍ତୁ ତାର ସୁନ୍ଦରପଣ ବୁଝି ପାରିଲି ନାହିଁ । ତାହା ହରାଇ ଅନେକ ବର୍ଷ ପରେ ତାକୁ ଫେରି ପାଇବାକୁ ଆଜି ମୁଁ ତାର ପ୍ରକୃତ ସୌନ୍ଦର୍ଯ୍ୟ ଜାଣି ପାରୁଛି ।’’

 

ମାର୍ଗାରେଟ୍‌ କେବଳ ହସିଦେଇ ମୁଣ୍ଡ ହଲାଇଲା ।

 

ଜେରାର୍ଡ଼ ପୁଣି କହିଲା, ‘‘ମୋର ମାଆ ସବୁକାଳେ ଦୟାଳୁ, ମୋ ପ୍ରତି ସବୁବେଳେ ତାର ସ୍ନେହ ରହିଥାଏ । କିନ୍ତୁ ସେ ଯେ କେଡ଼େ ସୁନ୍ଦରୀ, ତାହା ଆଜିଯାଏ ଜାଣି ନ ଥିଲି ।’’

 

କାଥେରିନ୍‌ କହିଲେ, ‘‘ମୁଁ ସୁନ୍ଦରୀ ବୋଲି କେବେ ନିଜେ ଭାବି ନାହିଁ । ହୁଏତ କୋଡ଼ିଏ ବର୍ଷ ଆଗେ କିଏ ଅବା ମୋତେ ସୁନ୍ଦରୀ ବୋଲି ମନେକରିଥାନ୍ତା । କିନ୍ତୁ ଏ ବୁଢ଼ୀ ବୟସରେ....

 

ଜେରାର୍ଡ଼ କହିଲା, ‘‘ମାଆ, ତୁମର ବୁଝିବାରେ ଭୁଲ । ଖାଲି ଯୌବନରେ ସୌନ୍ଦର୍ଯ୍ୟ ନଥାଏ । ମନୁଷ୍ୟର ପ୍ରତ୍ୟେକ ଅବସ୍ଥାରେ ଗୋଟାଏ ପ୍ରକାରର ସୌନ୍ଦର୍ଯ୍ୟ ଥାଏ । ତୁମର ଆଖିରୁ ମାତୃସ୍ନେହର ଧାରା ଆମ ଉପରେ ବୋହି ଯାଉଛି । ସେହି ସ୍ନେହ ଅକ୍ଷୟ । କାଳ ତାକୁ ଲୋପ କରି ପାରିବ ନାହିଁ । ମାଆ, ମୋ ଆଖିରେ ତୁମେ ଅପୂର୍ବ ସୁନ୍ଦରୀ ।’’

 

ମା ସ୍ନେହରେ କହିଲେ, ‘‘ଜେରାର୍ଡ଼’’, ସେତିକି ହେଇଥାଉ । ଯାଆ ଶୋଇବୁ ।’’

 

ଜେରାର୍ଡ଼ ଓ ମାର୍ଗାରେଟ୍‌ଙ୍କ ଜୀବନରେ କେତେ ଝଡ଼ଝଞ୍ଜା ବହି ଯାଇଛି । ଏବେ ତାର ସ୍ମୃତି ମାତ୍ର ରହିଛି ।

Image